‘ଫନି’: ଗୁରୁବାର ସଂଧ୍ୟା ସୁଦ୍ଧା ପୁରୀ ଛାଡ଼ି ଦେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ଭୁବନେଶ୍ୱର: ମେ ୩ ସୁଦ୍ଧା ରାଜ୍ୟରେ ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ହେବାକୁ ଥିବା ପରୀକ୍ଷା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି।

ପୁରୀରେ ୩ ତାରିଖ ଦିନ ପବନର ବେଗ ଘଣ୍ଟା ପ୍ରତି ୧୭୦ କିଲୋମିଟର୍‌ ଟପିବ ବୋଲି ସୂଚନା ରହିଥିବାରୁ ଗୁରୁବାର ସଂଧ୍ୟା ସୁଦ୍ଧା ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟରୁ ଆଦର୍ଶ ଆଚରଣ ବିଧି ଉଠାଇବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରାରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇ ଦେବାକୁ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଥିଲେ। ନିର୍ବାଚନ ଅଧିକାରୀ ମଞ୍ଜୁରୀ ଦେଇ ଓଡ଼ିଶାର ୧୧ଟି ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି।

ରାଜ୍ୟରେ ସମୁଦାୟ ୮୭୯ଟି ଆଶ୍ରୟ ଗୃହ ରାଜ୍ୟବାସୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି। ଅସ୍ଥାୟୀ ଭାବେ ପ୍ରାୟ ୧୦ ଲକ୍ଷ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର