କେତେ ସୁଧୁରିଲାଣି ସରକାର ଜଣାଇଲେ

ଘର ଲାଇନ ସଜାଡିବେ ଆଇଟିଆଇ ଛାତ୍ର, କଟକରେ ବିଦ୍ୟୁତ ପୁନରୁଦ୍ଧାର କାମ ଜାରି ଅଛି, ୧୨ରେ ସମ୍ପୂର୍ଣ୍ଣ ହେବ, ଶୁକ୍ରବାର ମଧ୍ୟରାତି ସୁଦ୍ଧା ଭୁବନେଶ୍ବରର ୮୦% ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ

ଉଦ୍ଧାର ଓ ରିଲିଫ ପାଇଁ ପୁରୀ ଜିଲ୍ଲାର ୩ଟି ପଞ୍ଚାୟତକୁ ପୁରସ୍କୃତ କରାଯିବ
‘ଫନି’ରେ ପୁରୀ ଜିଲ୍ଲାରେ ୪,୭୦୦, ଚିଲିକାରେ ୧୫୦୦ ବୋଟ୍ ସମ୍ପୂର୍ଣ୍ଣ କ୍ଷତି
୧୦ କୋଟି ଟଙ୍କାର ମତ୍ସ୍ୟଚାଷ ପ୍ରଭାବିତ
ଭଦ୍ରକ, କେନ୍ଦ୍ରାପଡ଼ାରେ ଶତପ୍ରତିଶତ ପାଇପ ଜଳ ଯୋଗାଣର ପୁନରୁଦ୍ଧାର

ଭୁବନେଶ୍ବର : ଗୁରୁବାର ସରକାର କହିଥିଲେ, କଟକର ଜଗତପୁର ଶିଳ୍ପାଞ୍ଚଳକୁ ଛାଡ଼ି ସହରର ବାକି ସବୁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ମିଳିସାରିଛି। ଏ ନେଇ ଗଣମାଧ୍ୟମରେ ବାସ୍ତବ ଚିତ୍ର ପ୍ରକାଶ ପାଇବା ପରେ ଆଜି ସରକାର କଟକ ସହର ହିସାବ ଦେଇଛନ୍ତି। କହିଛନ୍ତି, ଆସନ୍ତା ୧୨ ତାରିଖ ସୁଦ୍ଧା ସହରରେ ଶତପ୍ରତିଶତ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶୁକ୍ରବାର ମଧ୍ୟ ରାତି ସୁଦ୍ଧା ସହରର ୮୦% ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯିବ। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା ଅନ୍ତର୍ଗତ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶତପ୍ରତିଶତ ପୁନରୁଦ୍ଧାର କାର୍ଯ୍ୟ ସରିଥିବାବେଳେ ଯାଜପୁର, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ୫୦% ପିଡବ୍ଲୁଏସ କାମ େଶଷ େହାଇଛି। ‘ଫନି’ରେ ରିଲିଫ ଓ ପୁନରୁଦ୍ଧାର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩ଟି ପଞ୍ଚାୟତକୁ ପୁରସ୍କୃତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

‘ଫନି’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ଭୁବନେଶ୍ବରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି, କଟକ ସହରରେ ଏବେସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ସଂଯୋଗ କାମ ଶେଷ ହୋଇନି। ସିଡିଡି-୧ ଡିଭିଜନରେ ୫୧ଟି ୧୧ କେ.ଭି ଫିଡରରୁ ୪୨ଟି କାର୍ଯ୍ୟକ୍ଷମ ହୋଇଛି। ସିଡିଡି-୨ ଡିଭିଜନ ଅନ୍ତର୍ଗତ ୪୪ଟି ୧୧ କେ.ଭି ଫିଡରରୁ ୨୩ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ବାକି ୨୧ଟି ଫିଡର ଆସନ୍ତା ୨ ଦିନ ଭିତରେ କାର୍ଯ୍ୟକ୍ଷମ କରିବାକୁ ସେସୁ କର୍ତ୍ତୃପକ୍ଷ ଉଦ୍ୟମ କରୁଛନ୍ତି। ‘ଫନି’ରେ ଗ୍ରାମାଞ୍ଚଳ ଡିଭିଜନ କଟକର ସିଇଡିରେ ବିଦ୍ୟୁତ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତି ହୋଇଛି। ୨ଟି ୩୩ କେ.ଭି ଫିଡର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୩୮ଟି ୧୧ କେ.ଭି ଫିଡରରୁ ମାତ୍ର ୧୪ଟି ଫିଡରକୁ କାର୍ଯ୍ୟକ୍ଷମ କରାଯାଇପାରିଛି। ବାକି ଫିଡରଗୁଡ଼ିକର ମରାମତି କାର୍ଯ୍ୟ ୧୫ ତାରିଖ ସୁଦ୍ଧା ପୁରା ହେବ। କିନ୍ତୁ କଟକ ସହରାଞ୍ଚଳରେ ୧୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ କରିବାକୁ ସେସୁ ଲକ୍ଷ୍ୟ ରଖିଛି।

ଭୁବନେଶ୍ବରରେ ଆଜି ମଧ୍ୟ ରାତି ସୁଦ୍ଧା ୮୦% ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ପୁନଃଅବସ୍ଥାପିତ ହୋଇଯିବ ବୋଲି ସରକାର ପୁଣି ଥରେ ଦୃଢୋକ୍ତି କରିଛନ୍ତି। ବିସିଡିଡି-୧ ଡିଭିଜନର ୪୪ଟି ଫିଡର କାର୍ଯ୍ୟକ୍ଷମ ହୋଇସାରିଛି। ମୋଟ ୫୫ ହଜାର ଉପଭୋକ୍ତାଙ୍କ ଭିତରୁ ୩୭ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିସାରିଥିବାବେଳେ ଆଉ୧୫ ହଜାରଙ୍କୁ ରାତି ସୁଦ୍ଧା ମିଳିଯିବ। ସେହିପରି ବିସିଡିଡି-୨ ଡିଭିଜନରେ ଥିବା ୪୫ଟି ଫିଡରରୁ ମାତ୍ର ୨୧ଟି କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ବରର ବିଇଡି ଡିଭିଜନ ଅଧୀନରେ ଥିବା ଗ୍ରାମାଞ୍ଚଳର ୨୧ଟି ଫିଡର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଜି ରାତିରେ ଆଉ ୫ଟି ଫିଡର କାର୍ଯ୍ୟକ୍ଷମ ହେବ। ଏହି ଡିଭିଜନ ଅଧୀନରେ ଥିବା ମୋଟ ୮୭ ହଜାର ବିଦ୍ୟୁତ ଉପଭୋକ୍ତାଙ୍କ ଭିତରୁ ୩୪ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିସାରିଛି। ଆଉ ୨୦ ହଜାରଙ୍କୁ ରାତିସୁଦ୍ଧା ବିଦ୍ୟୁତ ସଂଯୋଗ ମିଳିବ ବୋଲି ଶ୍ରୀ ସିଂହ କହିଛନ୍ତି।

ବାତ୍ୟାରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ଏଲଟିଇ ଲାଇନ ଓ ଘରକରଣା ବିଦ୍ୟୁତ ଉପକରଣ ଖରାପ ହୋଇଥିଲେ ସେସବୁ ସଜାଡ଼ିବାକୁ ସ୍ବେଚ୍ଛାକୃତ ଭାବେ ଆଗେଇଆସିଥିବା ଆଇଟିଆଇ ଛାତ୍ରଙ୍କୁ ଏହି ପୁନରୁଦ୍ଧାର କାର୍ଯ୍ୟରେ ସରକାର ଆଜିଠାରୁ ନିୟୋଜିତ କରିଛନ୍ତି। ବିଭିନ୍ନ ଜିଲ୍ଲାରୁ ୨୪୩ଜଣ ଆଇଟିଆଇ ଛାତ୍ର ଓ ୨୪ ଜଣ ପ୍ରଶିକ୍ଷକ ଏହି କାର୍ଯ୍ୟରେ ଯୋଗଦେଇଛନ୍ତି। ଶୁକ୍ରବାର ଭୁବନେଶ୍ବରରେ ୫୬୧ଟି ଘର ବୁଲି ସେମାନେ ଲୋକଙ୍କୁ ସେବା ପ୍ରଦାନ କରିଛନ୍ତି। ଯେଉଁଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ସରକାର ପ୍ରଶଂସା କରିଛନ୍ତି। ଆସନ୍ତା ୫ ଦିନ ମଧ୍ୟରେ ସେମାନେ ଭୁବନେଶ୍ବରର ଘରକୁ ଘର ବୁଲି ସେବା ପ୍ରଦାନ କରିବେ। ସେହିପରି ସର୍ଭିସ ତାର କଟିଯାଇଥିବା ଉପଭୋକ୍ତାଙ୍କ ପାଇଁ ୭୫ ଜଣ ଲାଇନମ୍ୟାନ୍ ଆସନ୍ତାକାଲିଠୁ କାର୍ଯ୍ୟ ଆରମ୍ଭ କରିବେ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପାଇପ ଜଳଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ପୁରୀ, ଯାଜପୁର, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଏବେସୁଦ୍ଧା ୫୦% ପିଡବ୍ଲ୍ୟୁଏସ ପୁନରୁଦ୍ଧାର ହୋଇଛି। ଖୋର୍ଦ୍ଧାରେ ୬୪.୪୧%, ପୁରୀ ଜିଲ୍ଲାରେ ୨୭% ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବାତ୍ୟା ପରବର୍ତ୍ତୀ ୭ ଦିନ ଭିତରେ ୫ଟି ପ୍ରଭାବିତ ଜିଲ୍ଲାରେ ଆହୁରି ମାନବସମ୍ବଳ ବିନିଯୋଗ କରି ୧୩ ତାରିଖ ସୁଦ୍ଧା ପାଇପ ଜଳ ଯୋଗାଣ ପ୍ରକଳ୍ପ ପୁନରୁଦ୍ଧାର ସମ୍ପୂର୍ଣ୍ଣ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଲକ୍ଷ୍ୟ ରଖିଛି। ୫ଟି ପ୍ରଭାବିତ ଜିଲ୍ଲାର ଗ୍ରାମାଞ୍ଚଳରେ ୪୬୦ ଭ୍ରାମ୍ୟମାଣ ପାଣି ଟାଙ୍କି ଯୋଗାଇ ଦିଆଯାଇଛି। ଏସବୁ ଜିଲ୍ଲାରେ ଆସନ୍ତା ଦିନେ ଦୁଇଦିନ ଭିତରେ ୧୭୪୩ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଭ୍ରାମ୍ୟମାଣ ଜଳ ବିଶୋଧନାଗାର ପ୍ଲାଣ୍ଟ ବ୍ୟବସ୍ଥା କରାଯାଇଛି। ସେହିପରି ଅସ୍ତରଙ୍ଗ ଓ କାକଟପୁରରେ ୨ଟି ଭ୍ରାମ୍ୟାମାଣ ଜଳ ବିଶୋଧନାଗାର ପ୍ଲାଣ୍ଟ ସ୍ଥାପନ କରାଯାଇଛି। ୮ଟି ଭ୍ରାମ୍ୟମାଣ ଜଳ ବିଶୋଧନାଗାର ପ୍ଲାଣ୍ଟ ଖୁବଶୀଘ୍ର ପୁରୀକୁ ପଠାଯିବ।

ପୁରୀ ଜିଲ୍ଲାରେ ‘ଫନି’ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫରେ ଉଲ୍କେଖନୀୟ କାର୍ଯ୍ୟ କରିଥିବା ୩ଟି ପଞ୍ଚାୟତକୁ ସରକାର ପୁରସ୍କୃତ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା, ଦ୍ବିତୀୟ ପୁରସ୍କାର ବାବଦକୁ ୩ ଲକ୍ଷ ଓ ତୃତୀୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କା ସମ୍ପୃକ୍ତ ପଞ୍ଚାୟତକୁ ପ୍ରଦାନ କରାଯିବ। ପଶୁ ମଡ଼କ ଦ୍ବାରା ମହାମାରୀ ବ୍ୟାପିବା ଆଶଙ୍କା ଥିବାରୁ ନିୟନ୍ତ୍ରଣ ପାଇଁ ପ୍ରଭାବିତ ଜିଲ୍ଲାକୁ ସ୍ବତନ୍ତ୍ର ଡାକ୍ତରୀ ଟିମ ପଠାଇବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ବାତ୍ୟା ଜନିତ ବର୍ଷା ଯୋଗୁଁ ପୁରୀ ଜିଲ୍ଲାରେ ଗଚ୍ଛିତ ଥିବା ୨ ଲକ୍ଷ ୧୧ ହଜାର ୮୩୮ କୁଇଣ୍ଟାଲ ଚାଉଳରୁ କଛି ନଷ୍ଟ ହୋଇଯାଇଛି। ନଷ୍ଟ ହୋଇଥିବା ଚାଉଳ ବଣ୍ଟନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ପୁରୀ ଜିଲ୍ଲାକୁ ଆଉ ସାନି ୪୦ ହଜାର କୁଇଣ୍ଟାଲ ଚାଉଳ ପଠାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୨ ଲକ୍ଷ ୬୭ ହଜାର ଚାଉଳ ଭିତରୁ ନଷ୍ଟ ହୋଇଥିବା ଚାଉଳକୁ ବାଦ ଦେଇ ସାନି ଦେଢ଼ ଲକ୍ଷ କୁଇଣ୍ଟାଲ ଚାଉଳ ପଠାଯାଇଛି। ପୁରୀ ବିଏସଏନଏଲ ଟେଲିଫୋନ ଏକ୍ସଚେଞ୍ଜ ପୁଣି ଥରେ କାର୍ଯ୍ୟକ୍ଷମ ହୋଇଥିବାରୁ ସବୁ ଲ୍ୟାଣ୍ଡ ଲାଇନ ସେବା ଆରମ୍ଭ ହୋଇଛି।

ପୁରୀ ଜିଲ୍ଲାରେ ବ୍ୟାପକ ଭାବେ ମାଛମରା ବୋଟ ଓ ଜାଲ ନଷ୍ଟ ହୋଇଛି। ମୋଟ ୬ ହଜାର ୫୦୦ ବୋଟ ନଷ୍ଟ ହୋଇଛି। ଏ ମଧ୍ୟରୁ କେବଳ ପୁରୀର ୪ ହଜାର ୭୦୦ ବୋଟ। ଚିଲିକାରେ ୧୫୦୦ ବୋଟ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ୭ ହଜାର ୫୦୦ ମାଛମରା ଜାଲ ନଷ୍ଟ ହେବା ସହ ୩୦୦ ହେକ୍ଟର ପରିମିତ ପୋଖରୀରେ ମାଛ ଚାଷ ନଷ୍ଟ ହୋଇଛି। ଆଂଶିକ କ୍ଷତି ହୋଇଥିବା ବଡ଼ବଡ଼ ବୃକ୍ଷଗୁଡ଼ିକୁ ପୁଣିଥରେ ବଞ୍ଚାଇବାକୁ ଜଙ୍ଗଲ ବିଭାଗ ଉଦ୍ୟମ କରୁଥିବା ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର