ବିଜୁଳି, ପାଣି ପାଇଁ ବିକଳ, ସୁଧୁରୁନି ସ୍ଥିତି

କେନ୍ଦ୍ରାପଡା :କେନ୍ଦ୍ରାପଡ଼ା ଜିଲ୍ଲାରେ ସାମୁଦ୍ରିକ ଝଡ଼ ଫନି ଭୟଙ୍କର ତାଣ୍ଡବ ରଚିବାକୁ ୭୨ ଘଂଟା ବିତିଛି। ହେଲେ ସ୍ଥିତି ସୁଧୁରିନି। ବିଜୁଳି ଓ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। କେତେକ ବ୍ଲକ୍ ମୁଖ୍ୟାଳୟ ଓ ଆଜି କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବିଦ୍ୟୁତ ସେବାକୁ ସୁପରିଚାଳନା କରାଯାଇଛି। ହେଲେ, ସମସ୍ୟା ସମ୍ପୂର୍ଣ୍ଣ ଭାବେ ସୁଧୁରିନାହିଁ।

ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ ସମ୍ଭବପର ହୋଇ ପାରିନାହିଁ। ଚଉଦକୁଲାଟ ନିକଟ କେଶପୁର ଗାଁରେ ଗଛ ପଡ଼ି ମନୋଜ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍ ନରସିଂହପୁର ପଞ୍ଚାୟତ ଅଇନିପଡ଼ା ହରିଜନ ସାହିର ନିଧି ମଳିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ଜିଲ୍ଲାରେ ଫନି ଯୋଗୁଁ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗ୍ରାମାଂଚଳରେ ବିଦ୍ୟୁତ ବିନା ଲୋକେ ଅସହ୍ୟ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି। କେତେକ ସ୍ଥାନରେ ଭଡ଼ାରେ ଜେନେରଟର ନେଇ ମୋବାଇଲ ଚାର୍ଜ କାମ କରୁଛନ୍ତି। ଏଣେ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। କେତେକ ଉତ୍ତ୍ୟକ୍ତ ଜନତା ଗତକାଲି ଦୁହୁରିଆ ସ୍ଥିତ ଗ୍ରୀଡ଼ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବି କରି ହୋ ହାଲ୍ଲା କରିଥିଲେ।

ସେସୁର ନିର୍ବାହୀ ଯନ୍ତ୍ରୀ ଅମରଜିତ ପଟ୍ଟନାୟକ କହିଛନ୍ତି ଆସନ୍ତାକାଲି ସୁଦ୍ଧା ଅଧିକାଂଶ ଅଂଚଳରେ ବିଦ୍ୟୁତ ସେବା କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି। ବିଭିନ୍ନ ବ୍ଳକରୁ ମିଳିଥିବା ରିପୋର୍ଟ ଅନୁସାରେ ଅତି କମରେ ୮ଶହ ଏଲଟି ଖୁଂଟ ଆବଶ୍ୟକ। ପାଖରେ ମାତ୍ର ୩ ଶହ ଖୁଂଟ ରହିଛି। ଏଠାରେ ଫନି ପାଇଁ ଡେରା ପକାଇଥିବା ପୂର୍ବତନ ଶକ୍ତି ସଚିବ ତଥା ବର୍ତମାନର ଜଳସମ୍ପଦ ବିଭାଗ ଶାସନ ସଚିବ ପ୍ରଦୀପ୍ତ ଜେନାଙ୍କ ନିଜ ଉଦ୍ୟମରେ କିଛି ଯଂତ୍ରାଶ, ଖୁଂଟ ଆଣିବାକୁ ପ୍ରଚେଷ୍ଟା କରାଯାଇଛି। ମାତ୍ର ଆବଶ୍ୟକ ବୈଷୟିକ, କୁଶଳୀ ଶ୍ରମିକଙ୍କ ଅଭାବ ରହିଛି। ତେଣୁ କାମ ବିଳମ୍ବିତ ହେଉଛି। ୧୦ଟି ଠିକା ସଂସ୍ଥାର ସହାୟତା ଲୋଡ଼ା ଯାଇଛି।

ଗରଦପୁର ବ୍ଲକ୍ ଗସ୍ତ ସମୟରେ ଶତାଧିକ ବିଦ୍ୟୁତ ଖୁଂଟ ଭାଙ୍ଗି ପଡ଼ିଥିବା ଅଥବା ବଙ୍କା ଅବସ୍ଥାରେ ରହିଥିଲା। ବହୁ ସ୍ଥାନରେ ବିଦ୍ୟୁତ ତାର ଛିଂଡ଼ି ତଳେ ଝୁଲିଥିଲା। ସମଗ୍ର ଜିଲ୍ଲାରେ ବିଦ୍ୟୁତ ସେବା ବେହାଲ ହୋଇ ପଡ଼ିଥିବା ବେଳେ ଦୁଇ ଦିନ ତଳେ ପ୍ରଥମେ ଗରଦପୁର ବ୍ଲକ୍ ଓ ହସ୍ପିଟାଲକୁ ବିଦ୍ୟୁତ ସଂଯୋଗ ଦିଆଯାଇ ପାରିଥିଲା। କିନ୍ତୁ ସବୁ ଗାଁ ଅନ୍ଧାରରେ ରହିଛି। ପାଟକୁରା ବଜାରରେ କିଛି ସମୟ ଲାଇନ୍ ଆସିବା ପରେ ପୁଣି ଅନ୍ଧାରରେ ଲୋକେ ରହିଛନ୍ତି। କେବଳ ଗରଦପୁର ନୁହଁ ଜିଲ୍ଲାର ଡେରାବିଶ, ରାଜନଗର, ରାଜକନିକା, ଆଳି, କେନ୍ଦ୍ରାପଡ଼ା, ପଟ୍ଟାମୁଂଡାଇ ଆଦି ବ୍ଲକ୍ର ବହୁ ଗ୍ରାମାଂଚଳରେ ବିଦ୍ୟୁତ ସେବା ବ୍ୟାହତ କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ସେବା ବ୍ୟାହତ କାରଣରୁ ପାନୀୟ ଜଳଯୋଗାଣ ମଧ୍ୟ ବନ୍ଦ ରହିଛି। ଲୋକେ ପିଇବା ପାଣି ସଂଗ୍ରହ ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି। ଯୁଦ୍ଧକାଳୀନ ଭିତ୍ତିରେ ଏ ସବୁର ମରାମତି କରା ନ ଗଲେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରିବା ଥୟ।

ସମ୍ବନ୍ଧିତ ଖବର