ପୁରୀ : ଫନିକୁ ନେଇ ବଢ଼ୁଛି ନେତାଙ୍କ ଅସନ୍ତୋଷ, ବିପନ୍ନ କଲବଲ, ଉଚ୍ଛେଦରେ ବ୍ୟସ୍ତ ପ୍ରଶାସନ

ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ଫନି ମୁକାବିଲାକୁ ନେଇ ‌‌ଯେତିକି ପ୍ରଶଂସ‌ା ସାଉଁଟିଥିଲା ଏବେ ବିପିନ୍ନଙ୍କ କଲବଲ ପ୍ରଶାସନକୁ ସେତିକି ନିନ୍ଦା ଦେଉଛି। ପ୍ରଶାସନର ଫନି ସହାୟତା ତଦନ୍ତରେ କାହାକୁ ପୁଳାଏ ମିଳିଥିବା ବେଳେ ଆଉ କାହାକୁ କିଛି ବି ସହାୟତା ମିଳିନାହିଁ। ଫନିର ୭ ମାସ ପରେ ବି ଭାଂଗିଥିବା ଘର ଗଢା ଯାଇନାହିଁ। ଗାଁ ଗାଁରେ ଏବେ ବି ଫନିର ଚିହ୍ନ ଜଳ ଜଳ ହୋଇ ଦିଶୁଛି। ଉଜୁଡ଼ି ଯାଇଥିବା ଘରବାଡ଼ି ବଗିଚା ପାଇଁ ସହାୟତା ମିଳିନାହିଁ। ଫନି ସହାୟତା ପାଇଁ ୫୦ ହଜାର ଆବେଦନ ପ୍ରଶାସନ ପାଖରେ ପଡ଼ିରହିଛି। ମାଟିରେ ମିଶିଥିବା ସ୍କୁଲ ସବୁ ନିର୍ମାଣ ହୋଇନାହିଁ। ଜିଲ୍ଲା‌ରେ ଏ ପ୍ରକାର ଦୁର୍ଦ୍ଦଶା ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନକୁ ଏ ସବୁର କିଛି ଫରକ ପଡୁନାହିଁ। ପ୍ରଶାସନ ପୁରୀରେ ଉଚ୍ଛେଦ କାମରେ ବ୍ୟସ୍ତ ରହୁଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶାକୁ ଅଣଦେଖା କରୁଛି ବୋଲି ଅଭିଯୋଗ ହେଉଛି। ଅନ୍ୟ ପଟେ ଏହାକୁ ନେଇ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

timesofindia.indiatimes.com

ଜିଲ୍ଲାରେ ଅଯୋଗ୍ୟ ବିପନ୍ନ ଚିହ୍ନଟ ଆଳରେ ସାମଗ୍ରିକ ଭାବେ ସବୁ ବିପନ୍ନଙ୍କୁ ଇଚ୍ଛାକୃତ ଭାବେ କଲବଲ କରାଯାଉଛି। ଅଚଳ ହୋଇଥିବା ଆକାଉଣ୍ଟ୍‌କୁ ସଚଳ କରାଯାଉନାହିଁ। ଅନ୍ୟପକ୍ଷରେ ଚଂଚକତା କରିଥିବା ଅଧିକାରୀ, କର୍ମଚାରୀ ଖସି ଯାଇଥିବା ବେଳେ ପ୍ରଶାସନ ଏବେ ବିପନ୍ନଙ୍କ କଲବଲ କରୁଥିବା ନେଇ ଜିଲ୍ଲା‌‌ରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିପନ୍ନ ସେମାନଙ୍କ ଟଙ୍କା ଉଠାଇ ପାରୁନାହାନ୍ତି। ଜିଲ୍ଲାରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରହିଥିବା ବେଳେ ପ୍ରଶାସନ କେବଳ ଅଯୋଗ୍ୟଙ୍କ ପଛରେ ପଡିଛି। ଏହାକୁ ନେଇ ଏବେ ଜନ ପ୍ରତିନିଧି ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏପରିକି ଜିଲ୍ଲାର ଅଯୋଗ୍ୟ ଚିହ୍ନଟକୁ ଆଳ କରି ପୁରୀ ପ୍ରଶାସନ ଜିଲ୍ଲାର ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ମଧ୍ୟ ଅନ୍ଧାରରେ ରଖିଛି। ଜିଲ୍ଲା ପ୍ରଶାସନ ତୃତୀୟ ମହଲା ବୈଠକରେ ପୁରୀ ନେତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିବା ତ ଦୂରର କଥା, ବରଂ ବିପରୀତ ଦିଗରେ କାମ କରୁଥିବା ନେଇ ଚର୍ଚ୍ଚା ହେଉଛି। ଜିଲ୍ଲାରେ ନେତା ନୁହେଁ, ଜିଲ୍ଲାପାଳଙ୍କ କଥାର ପ୍ରାଧାନ୍ୟ ରହିଛି ଏହାକୁ ପ୍ରମାଣିତ କରିବାକୁ ପ୍ରଶାସନର ବରିଷ୍ଠ ଅଧିକାରୀମ‌ାନେ ପ୍ରମାଣ କରିବାକୁ ଉଦ୍ୟମ କରୁଛନ୍ତି। ସେପଟେ ଜିଲ୍ଲା ପ୍ରଶ‌ାସନର ମନମାନି ଯୋଗୁଁ ଲକ୍ଷାଧିକ ଫନି ପୀଡିତ ଗତ ୨୦ ଦିନ ଧରି ଆଉଟପାଉଟ ହେଉଛନ୍ତି। ଜିଲ୍ଲାର ଏଭଳି ସ୍ଥିତିକୁ ନେଇ ନେତାମାନେ ମଧ୍ୟ ଅସହାୟତା ପ୍ରକାଶ କରିଛନ୍ତି।

ଏଭଳି ସ୍ଥିତିକୁ ନେଇ ଜିଲ୍ଲାର ୬ ଜଣ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ ନିକଟ‌ରେ ଅଭି‌ଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲାର ବିଜେଡି ନେତା ଓ ଜିଲ୍ଲାପାଳଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ବସିଥିଲା। ବୈଠକରେ ଜିଲ୍ଲା ନେତାମ‌ାନେ ଜିଲ୍ଲାପାଳଙ୍କ ବିରୋଧରେ ମତ ରଖିଥିଲେ। ଜିଲ୍ଲାର ଫନି ବିପନ୍ନଙ୍କ କଥା ଉଠାଇଥିଲେ। ତେବେ ବୈଠକରେ ଜିଲ୍ଲାପାଳ ଓ ନେତାଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ମାତ୍ର ବୈଠକରୁ ଆସିବା ପରେ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ବଦଳି ଯାଇଥିଲା। ଜିଲ୍ଲା ପ୍ରଶାସନ ଯୋଗ୍ୟ ବିପନ୍ନଙ୍କ କଥାକୁ ବିଚାରକୁ ନ ନେଇ ଅଯୋଗ୍ୟ ଚିହ୍ନଟ କରିବାକୁ ଲାଗି ପଡ଼ିଥିଲା। ‌ଗତ ୨୦ ଦିନ ‌ହେବ ଏ ତଦନ୍ତ ସରୁନଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢିବଢି ଚାଲିଛି। ବିପନ୍ନଙ୍କୁ ସହ‌ଯୋଗ କରିବା ବଦଳରେ ବ୍ୟାଙ୍କ୍ ଆକାଉଣ୍ଟ୍ ସବୁ ଫ୍ରିଜ୍ କରିଦେଇଛି। ଏହାକୁ ନେଇ ଲୋକେ ସେମାନଙ୍କ ଜନପ୍ରତିନିଧିଙ୍କୁ ଘେରିଛନ୍ତି। ପୁନର୍ବାର ଜିଲ୍ଲାର ନେତାମାନେ ଏକାଠି ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟଙ୍କୁ ଜଣାଇବା ପାଇଁ ସ୍ଥିର କରିଛନ୍ତି ।

ସମ୍ବନ୍ଧିତ ଖବର