ସରକାରୀ ତାଲିକାରେ ମୃତ୍ୟୁ ସଂଖ୍ୟା ୪୩

ଆଜି ଭୁବନେଶ୍ବରରେ ବିଜୁଳି ସ୍ବାଭାବିକ, ୧୫ରୁ ପୁରୀ, କୋଣାର୍କରେ ବିଦ୍ୟୁତ୍‌ ଯୋଗାଣ, ଆଜିଠୁ ଜୟଦେବ ବାଟିକା, ୨୧ରୁ ନନ୍ଦନକାନନ ଖୋଲିବ

ଭୁବନେଶ୍ବର : ଅତି ଭୟାବହ ବାତ୍ୟା ଫନି କବଳରେ ସରକାରୀ ଭାବେ ମୃତକଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳରେ ୩୭ ଲକ୍ଷ ୩୩ ହଜାର ୭୯ଟି ପଶୁପକ୍ଷୀ ମରିଛନ୍ତି। ସେଥିମଧ୍ୟ‌ରେ ଅଛନ୍ତି ୨୨୧୦ଟି ଗୋରୁ ମଇଁଷୀ, ୨୪୮୮ଟି ଛେଳିମେଣ୍ଢା ଓ ୩୭ ଲକ୍ଷ ୨୮ ହଜାର ୩୮୧ଟି କୁକୁଡ଼ା। ଫନି ଯୋଗୁଁ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା। ତେବେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଉପଭୋକ୍ତାମାନଙ୍କୁ ବିଜୁଳି ସେବା ଯୋଗାଇ ଦିଆଯାଉଥିବା ନେଇ ଦୃେଢାକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ଲକ୍ଷ୍ୟ ମୁତାବକ ଆସନ୍ତାକାଲି ଭୁବନେଶ୍ବର ସହରାଞ୍ଚଳରେ ବିଜୁଳି ସେବା ସ୍ବାଭାବିକ ହେବ। ଅର୍ଥାତ୍‌ ବାତ୍ୟା ପୂର୍ବବର୍ତୀ ଅବସ୍ଥାକୁ ଫେରିବ। ୧୫ ତାରିଖରୁ ସୁଦ୍ଧା ପୁରୀ ଓ କୋଣାର୍କ ସହରରେ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୩ ତାରିଖ ସୁଦ୍ଧା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟଜଳ ଯୋଗାଣ କାର୍ଯ୍ୟ ସରିବ। ସେହିପରି ରିଲିଫ୍‌ ଓ ପୁନରୁଦ୍ଧାର, ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସୁବିଧା, ସ୍ୱାସ୍ଥ୍ୟ ଏବଂ ପରିମଳ ପୁନରୁଦ୍ଧାର ଆଦି କାର୍ଯ୍ୟ ଆଗେଇ ଚାଲିଛି ବୋଲି ସୂଚାଇଛନ୍ତି ସରକାର।

ଆଜି ଅପରାହ୍‌ଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ କୁମାର ସିଂହ କହିଲେ ଯେ ପୁରୀ ଜିଲ୍ଲାରେ ୨୧ ଜଣ, କେନ୍ଦ୍ରାପଡ଼ାରେ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରେ ୪ ଜଣ, ଯାଜପୁର ଜିଲ୍ଲାରେ ୪ ଜଣ, କଟକ ଜିଲ୍ଲାରେ ୬ ଜଣ ଓ ଖୋର୍ଧା ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଆସନ୍ତାକାଲି କଟକ ସହରରେ ବିଜୁଳି ଯୋଗାଣ କାର୍ଯ୍ୟ ସାରିବାକୁ ଉଦ୍ୟମ ଜାରି ରହିଛି। ଗତକାଲି ରାତି ସୁଦ୍ଧା ପୂର୍ବ ଘୋଷଣା ଅନୁଯାୟୀ ଭୁବନେଶ୍ବର ସହରାଞ୍ଚଳରେ ୮୦ ପ୍ରତିଶ୍ରୁତି ବିଦ୍ୟୁତ୍‌ ସେବାର ପୁନରୁଦ୍ଧାର ହୋଇଛି।

କଟକ ସହରର ସିଡିଡି-୧ ଅନ୍ତର୍ଭୁକ୍ତ ୭୨ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୭୦ ହଜାର ଉପଭୋକ୍ତାଙ୍କ ପାଇଁ ଆଜି ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ସ୍ୱାଭାବିକ କରାଯାଇଛି। କଟକ ସିଇଡିରେ ୩୮ଟି ୧୧ କେଭି ଫିଡରରୁ ୧୬ଟି କାର୍ଯ୍ୟକ୍ଷମ ହୋଇଛି। ଏହି ଡିଭିଜନ ଅନ୍ତର୍ଭୁକ୍ତ ୯୫ ହଜାର ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ମଧ୍ୟରୁ ୪୪ ହଜାର ଜଣଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି।

ଭୁବନେଶ୍ୱର ସହରାଞ୍ଚଳର ବିସିଡିଡି-୧ ଅନ୍ତର୍ଗତ ୪୪ଟି ଫିଡରରୁ ସମସ୍ତ ଫିଡର ୯ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିଛି। ବିସିଡିଡି-୨ ଅନ୍ତର୍ଗତ ୬୬ ଫିଡରରୁ ଆଜି ସୁଦ୍ଧା ୫୬ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ବିଇଡି ଅଧୀନ ସମସ୍ତ ୨୬ଟି ୧୧ କେଭି ଫିଡରକୁ କାର୍ଯ୍ୟକ୍ଷମ କରାଯାଇ ୮୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୬୦ ହଜାର ୫୭୫ଜଣଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ୧୨ ତାରିଖ ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ଶତ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଥିବା ସେ କହିଥିଲେ।

ଫନି ବାତ୍ୟା ଯୋଗୁଁ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏ ସବୁ ଜିଲ୍ଲାର କ୍ଷତିଗ୍ରସ୍ତ ସମୁଦାୟ ୨୩୬୪ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ବର୍ତମାନ ସୁଦ୍ଧା ୧୯୭୬ଟି ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଛି। ଅତ୍ୟଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଧା କଟକ ଓ ଜଗତସିଂହପୁର ଜିଲ୍ଲାର ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ଆଜି ସୁଦ୍ଧା ଖୋର୍ଧାରେ ୩୧୧ଟି ଓ ପୁରୀରେ ୧୮୧ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ୧୩ ତାରିଖ ସୁଦ୍ଧା ସମସ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ କହିଥିଲେ।

ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ସଂପର୍କିତ ସୂଚନା ଅନୁଯାୟୀ, ପୁରୀ ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର, ଗୁଣ୍ଡିଚା ମନ୍ଦିର, ଚକ୍ରତୀର୍ଥ ରୋଡ ଓ ଜିଲ୍ଲାପାଳଙ୍କ ଦପ୍ତରରେ ଭ୍ରାମ୍ୟମାଣ ମୋବାଇଲ ଟାୱାର ସେଲ୍‌ ଅନ୍‌ ହୁଇଲ୍‌(କାଓ) କାର୍ଯ୍ୟ କରୁଛି। ଆଜିଠାରୁ ଆହୁରି ୬ଟି କାଓ କାର୍ଯ୍ୟ କରିବ। ଖୋର୍ଧା ଜିଲ୍ଲାର ୯୯ଟି ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୮୩ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀର ୪୧ଟି ମଧ୍ୟରୁ ୨୪ଟି ଓ କଟକ ଜିଲ୍ଲାର ସମସ୍ତ ୭୭ଟି ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟ କରୁଛି। ଖୋର୍ଧା ଜିଲ୍ଲାର ୪୫ ପ୍ରତିଶତ, ପୁରୀ ଜିଲ୍ଲାର ୨୧ ପ୍ରତିଶତ ଓ କଟକ ଜିଲ୍ଲାର ୬୯ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ ହୋଇପାରିଛି।

ବ୍ୟାଙ୍କ ସେବା ସୂଚନା ମୁତାବକ, ଆଜିସୁଦ୍ଧା ପୁରୀ ଜିଲ୍ଲାର ୨୨୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୮୫ଟି କାର୍ଯ୍ୟ କରୁଥିବାବେଳେ ୨୭୫ଟି ଏଟିଏମ୍‌ ମଧ୍ୟରୁ ୪୩ଟି କାର୍ଯ୍ୟକ୍ଷମ ହୋଇଛି। ସେହିପରି ଖୋର୍ଧା ଜିଲ୍ଲାର ୬୫୭ଟି ବ୍ୟାଙ୍କ ମଧ୍ୟରୁ ୫୪୫ଟି, କଟକ ଜିଲ୍ଲାର ୩୯୪ଟି ବ୍ୟାଙ୍କ ମଧ୍ୟରୁ ୩୧୮ଟି ଶାଖାରେ ବ୍ୟାଙ୍କ କାର୍ଯ୍ୟ ଚାଲିଛି । ସେହପରି ଖୋର୍ଧା ଜିଲ୍ଲାର ୧୧୮୪ଟି ଏଟିଏମ୍‌ ମଧ୍ୟରୁ ୪୧୨ଟି, କଟକ ଜିଲ୍ଲାର ୫୭୪ଟି ଏଟିଏମ୍‌ ମଧ୍ୟରୁ ୨୪୦ଟି ଏଟିଏମ୍‌ରେ ଅର୍ଥ ଉଠାଣ ହୋଇପାରୁଛି।

ଫନି ଯୋଗୁଁ ପ୍ରଭାବିତ ବିଭିନ୍ନ ସହରାଞ୍ଚଳରେ ସବୁଜ ବଳୟ ଧ୍ବଂସ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଆକଳନ ଅନୁଯାୟୀ ଜଙ୍ଗଲ ଓ ଅଭୟାରଣ୍ୟଗୁଡ଼ିକରେ ପ୍ରାୟ ୯ ଲକ୍ଷ ଗଛ ଉପୁଡ଼ିଛି ବା କ୍ଷତିଗ୍ରସ୍ତ ହୋଇଛି। ଏହା ବାହାରେ ୫ ଲକ୍ଷ ଗଛ ଓ ୮ ଲକ୍ଷ ଚାରା ନଷ୍ଟ ହୋଇଛି। ଭିଏଚ୍‌ଫ ଟାୱାର, ଷ୍ଟାଫ୍‌ କ୍ୱାଟର୍ସ, ସୁରକ୍ଷା ବାରାକ୍‌, ବିଶ୍ରାମ ଗୃହ, ନର୍ସରୀ, ଡଙ୍ଗା, ପରିବେଶ ପର୍ଯ୍ୟଟନ ସୁବିଧା ଓ ରାସ୍ତା ଆଦି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏସବୁ ମିଶାଇ ସମୁଦାୟ କ୍ଷୟକ୍ଷତିର ପରିମାଣ ୫୩୭.୮୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ବିଭାଗ। ତେବେ ବାତ୍ୟାରେ ପ୍ରଭାବିତ ହୋଇଥିବା ନନ୍ଦନକାନନ ଚିଡ଼ିଆଖାନାକୁ ସଜାଡ଼ି ଆଗାମୀ ୨୧ ତାରିଖରୁ ଜନସାଧାରଣଙ୍କ ପାଇଁ ଖୋଲାଯିବ। ସେହିପରି ଆସନ୍ତାକାଲିଠାରୁ ଜୟଦେବ ବାଟିକା ଖୋଲାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ।

ବାତ୍ୟାରେ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି। ୧୪ଟି ପ୍ରଭାବିତ ଜିଲ୍ଲାର ମୋଟ ୭୧ ହଜାର ୬୦ଜଣ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ହସ୍ତଶିଳ୍ପ କ୍ଷେତ୍ରରେ ଆନୁମାନିକ ୬୫ କୋଟି ୨୫ ଲକ୍ଷ ଟଙ୍କାର କ୍ଷତି ହୋଇଛି।

ରିଲିଫ୍‌ ସଂପର୍କରେ ସୂଚନାନୁସାରେ ୪ ଲକ୍ଷ ୮୯ ହଜାର ୪୫୦ ହିତାଧିକାରୀଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ଦିଆଯାଇଛି। ସେହପରି ୨ ଲକ୍ଷ ୬୯ ହଜାର ୭୧୧ ଜଣ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ପଲିଥିନ୍‌ ଏବଂ ସ୍ଥଳ ବିଶେଷରେ ପଲିଥିନ ବାବଦକୁ ନଗଦ ଅର୍ଥ ପ୍ରଦାନ କରାଯାଇଛି। ପୁରୀରେ ଆଉ ୩ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଦିଆଯିବ ବୋଲି ସେ କହିଥିଲେ।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମୁଦାୟ ୧,୫୨,୯୮୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ୧,୨୧,୯୬୧ ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଶସ୍ୟହାନି ଘଟିଛି। ୧୨,୨୭୭ ହେକ୍ଟର ଜମିରେ ଉଦ୍ୟାନକୃଷି ଯଥା: ନଡ଼ିଆ, ଆମ୍ବ, କଦଳୀ, ପାନ, କାଜୁ ଓ ଅନ୍ୟାନ୍ୟ ଫଳ ଆଦି ଫସଲ ନଷ୍ଟ ହୋଇଛି। ଫସଲହାନି ପାଇଁ ୧୪୫.୪୫ କୋଟି ଟଙ୍କାର ସହାୟତା ରାଶି ଆବଶ୍ୟକ ବୋଲି ପ୍ରାଥମିକ ଆକଳନ କରାଯାଇଛି। ସମୁଦାୟ ୬ ହଜାର ୩୯୦ଟି ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଓରେଡା ମାଧ୍ୟମରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ‌େର ପ୍ରାୟ ୧ ଲକ୍ଷ ସୌର ଲଣ୍ଠନ ଯୋଗାଇ ଦିଆଯିବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର