ଦିଗ ବଦଳାଇଲା ‘ଫନି’ : ଉତ୍ତର ଆନ୍ଧ୍ର-ଓଡ଼ିଶା ଆଡ଼କୁ ମୁହାଁଉଛି, ପୁରୀଠାରୁ ୧୩୧୧ କିମି ଦୂରରେ କେନ୍ଦ୍ରୀଭୂତ

ଘଣ୍ଟାପ୍ରତି ପବନର ବେଗ ୧୮୫ କିମି ଛୁଇଁବ, ସବୁ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ, ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଭୁବ‌ନେଶ୍ବର : ଗତକାଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ େଯ ବାତ୍ୟା ‘ଫନି’ ବିପଦ ଓଡ଼ିଶା ପ୍ରତି ନାହିଁ। ଏହା ମିଆଁମାର ବା ଥାଇଲାଣ୍ଡ ଆଡକୁ ଚାଲିଯାଇପାରେ।

୨୪ ଘଣ୍ଟା ଭିତରେ କିନ୍ତୁ ବାତ୍ୟା ‘ଫନି’ ଦିଗ ବଦଳାଇ ସାରିଲାଣି। ଏମିତି େଯ ପାଣିପାଗ ବିଜ୍ଞାନୀ ଆଜି ତାଙ୍କର ଆକଳନରେ ବଡ଼ ପରିବର୍ତନ ଆଣିଛନ୍ତି। ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍‌ଠାରୁ ୧୦୯୦ କିମି ଦୂରରେ ଥିବା ବାତ୍ୟା ସମୁଦ୍ରରେ ବଳ ଗୋଟାଇବା ସହିତ ଭୀଷଣ ରୂପ ଧାରଣ କରୁଛି ଓ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ େହାଇ ପ୍ରବଳ ବାତ୍ୟା(ସିଭିଅର ସାଇକ୍ଲୋନ୍‌)ରେ ପରିଣତ ହେବ। ଏହାର ପର ୧୨ ଘଣ୍ଟା

ଅର୍ଥାତ୍ େମ’ ୧ ତାରିଖ େବଳକୁ ଏହା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ େହବ। ହେଲେ ଏହା ମିଆଁମାର ବା ଥାଇଲାଣ୍ଡ ଯିବାର ସମ୍ଭାବନା ନାହିଁ। ବରଂ ଏହା ଆନ୍ଧ୍ର-ଓଡ଼ିଶା ମୁହାଁ େହଲାଣି। ପାଣିପାଗ ବିେଶଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ‘ଫନି’ ବିଶାଖାପାଟଣାରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁଙ୍କ ଆକଳନ କହୁଛି, ଉତ୍ତର ଆନ୍ଧ୍ର-ଗଞ୍ଜାମ ମଧ୍ୟରେ ୩ ତାରିଖ ବେଳକୁ ‘ଫନି’ ମାଡ଼ େହାଇପାରେ। ହେଲେ ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ରର ବରିଷ୍ଠ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ହିସାବ କହୁଛି, ବାତ୍ୟା ‘ଫନି’ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରେ ହିଁ ରହିବ। ଏହା ଓଡ଼ିଶା ଛୁଇଁବ କି ନାହିଁ ଏକଥା ଏବେଠାରୁ କୁହାଯାଇପାରିବ ନାହିଁ। କିନ୍ତୁ ଓଡ଼ିଶା ଉପକୂଳରେ ବଡ଼ ବର୍ଷା ଓ ୬୦ କିେଲାମିଟର ପର୍ଯ୍ୟନ୍ତ ପବନ ବହିବ େବାଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଜ୍ଞାନୀଙ୍କର ଏଭଳି ଆକଳନ ପରେ ଓଡ଼ିଶା ପ୍ରତି ବାତ୍ୟା ‘ଫନି’ ବିପଦ ଆଣିପାରେ। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ସରକାରକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯିବା ପରେ ରାଜ୍ୟର ସମସ୍ତ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ କୁହାଯାଇଛି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

ପାଣିପାଗ ବିଜ୍ଞାନ େକନ୍ଦ୍ରର ଆକଳନ ଅନୁସାରେ, ଘଣ୍ଟା ପ୍ରତି ୨୧ କିମି ବେଗରେ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରି ବାତ୍ୟା ‘ଫନି’ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୩୦ କିମି, ଚେନ୍ନାଇଠାରୁ ୯୧୦ ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟନମ୍‌ଠାରୁ ୧୦୯୦ କିମି ଦୂରରେ ରହିଛି। ମେ’ ୧ ‌ବେଳକୁ ଅତ୍ୟନ୍ତ ପ୍ରବଳ ବାତ୍ୟା ରୂପ ନେଇ ଆନ୍ଧ୍ରପ୍ରଦେଶ ମୁହାଁ ହେବ। ତେବେ ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିମି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ‌ଯେ ‘ଫନି’ ଅତି ପ୍ରବଳ ବାତ୍ୟାରେ ପରିଣତ ହୋଇଛି। ରାତି ୮ଟା ବେଳେ ଏହା ୮.୧ଂ ଅକ୍ଷାଂଶ, ୮୭.୩ ପୂର୍ବ ଦ୍ରାଘିମାରେ ଅବସ୍ଥାପିତ ‌ରହିଛି। ଯାହାକି ଚେନ୍ନାଇଠାରୁ ୯୧୦, ମଚ୍ଛଲିପଟନମ୍‌ଠାରୁ ୧୦୯୦ ଓ ପୁରୀଠାରୁ ୧୩୧୧ କିମି ଦକ୍ଷିଣ ବଙ୍ଗୋପସାଗରରେ ଅବସ୍ଥାପିତ ହୋଇଛି। ଅନୁମାନ କରାଯାଉଛି ଯେ ଏହା ଉତ୍ତର ଆନ୍ଧ୍ରପ୍ରଦେଶକୁ ଛୁଇଁପାରେ। ଓଡ଼ିଶାକୁ ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

‘ଫନି’ ମେ’ ୧ ତାରିଖ ସକାଳେ ମହାବଳୀପୁରମ୍‌ଠାରୁ ୪୫୬ କିମି ଦୂରରେ ଏହାର ଦିଗ ପରିବର୍ତନ କରିବ। ଉତ୍ତର ପଶ୍ଚିମ ପରିବର୍ତ୍ତେ ଉତ୍ତର ଆଡ଼କୁ କିଛି ଦୂର ଆଗେଇବ। ୧ ତାରିଖ ମଧ୍ୟ ରାତି ବେଳକୁ ଚେନ୍ନାଇଠାରୁ ୪୨୭ କିମି ଦୂରରେ ରହି ଉତ୍ତର ପୂର୍ବ ଆଡ଼କୁ ଗତି କରିବ। ମେ’ ୨ ମଧ୍ୟ ରାତିରେ ଅଙ୍ଗୋଲଠାରୁ ୫୫୨ କିମି ଦୂରରେ ଅବସ୍ଥିତ ରହିବାର ଆଶଙ୍କା ରହିଛି। ତେବେ ଏହାପରେ ଏହାର ଗତି ପ୍ରାୟତଃ ଉତ୍ତର ଆଡ଼କୁ ରହିବ ବୋଲି ମଡେଲରୁ ଅନୁମାନ କରାଯାଉଛି। ୩ ତାରିଖ ମଧ୍ୟରାତି କିମ୍ବା ୪ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ(ବିଶାଖପାଟଣାମ୍‌)ର ନିକଟତର ହୋଇପାରେ। ତେବେ ଓଡ଼ିଶାକୁ ଆସିବ କି ନାହିଁ ବର୍ତମାନ ମଡେଲ୍‌ କହୁ ନଥିଲେ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ଯଦି ଏପରି ହୁଏ, ତେବେ ୩ ତାରିଖ ଦିନ ରାଜ୍ୟର ଦକ୍ଷିଣ ଉପକୂଳ ଯଥା ଗଞ୍ଜାମ, ଗଜପତି, ନୟାଗଡ଼ରେ ପ୍ରବଳ ବର୍ଷା ହେବ। ୪ ତାରିଖରେ ଓଡ଼ିଶାର ସମଗ୍ର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପ୍ରଥମ ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାର ପରବର୍ତୀ ୨୪ ଘଣ୍ଟା ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ମେ’ ୧ ତାରିଖ ବେଳକୁ ରାଜ୍ୟରେ ଏହାର ପ୍ରଭାବ ଅଧିକ ସଠିକ୍‌ ଆକଳନ କରାଯାଇପାରେ।

ତେବେ ଶ୍ରୀ ସାହୁଙ୍କ ପୂର୍ବାନୁମାନ କହୁଛି, ବାତ୍ୟା ‘ଫନି’ ତିତଲି ଭଳି ଡରାଇଲାଣି। ଏହା ୩ ତାରିଖ ବେଳକୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଡ଼ େହାଇ ଗଜପତି ଜିଲ୍ଲା ମଧ୍ୟରେ ଓଡ଼ିଶାକୁ ପ୍ରବେଶ କରିବ। ପରେ ଏହା ପୁଣି ଦିଗ ପରିବର୍ତନ କରି େଗାପାଳପୁର, ଚିଲିକା, ପୁରୀ, ଜଗତସିଂହପୁର, ଭଦ୍ରକ, ମୟୂରଭଂଜ ଦେଇ େକାଲକାତା ଆଡକୁ ଯାଇପାରେ। ତେବେ ସ୍ଥଳପଥରେ ମାଡ଼ େହବା େବଳକୁ ବାତ୍ୟା ଦୁର୍ବଳ େହବାର ସମ୍ଭାବନାକୁ ଏ଼ଡାଇ ଦେଇ ହେବନାହିଁ। କିନ୍ତୁ ବର୍ତମାନ ଚିତ୍ର ଯାହା କହୁଛି, ପବନର େବଗ ଘଣ୍ଟାପ୍ରତି ୧୫୦ କିେଲାମିଟର ରହିପାରେ। ଆସନ୍ତା ୩୦ ତାରିଖ େବଳକୁ ଏ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ େବାଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର