ଫୋନି ମହାବାତ୍ୟା : ଏହି ୪ଟି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ , ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଟପିବ

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ମହାବାତ୍ୟା ଫୋନି ଓଡ଼ିଆ ଆଡକୁ ମାଡି ଆସୁଛି । ତେବେ ଓଡ଼ିଶାର କେଉଁ ସ୍ଥାନରେ ଏହା ସ୍ଥଳଭାଗ ଛୁଇଁବ ବା ଲାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏପରିକି ଏହା ଓଡ଼ିଶା ଉପକୂଳ ନ ଛୁଇଁ ସମୁଦ୍ର ମଧ୍ୟରେ ହିଁ ମିଆଁମାର ଆଡେ ପଳାଇଯିବାର ସମ୍ଭାବନା ବି ରହିଛି । କିନ୍ତୁ ବର୍ତ୍ତମାନ ଏହାର ଗତିପଥକୁ ଦେଖିଲେ ଜଣାପଡୁଛି ଯେ ଏହି ବାତ୍ୟା ଓଡ଼ିଶାକୁ ଛୁଇଁବା ଏକରକମ ନିଶ୍ଚିତ । ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ପକ୍ଷରୁ ୪ଟି ସ୍ଥାନ ଉପରେ ନଜର ରଖାଯାଇଛି । ସେଗୁଡ଼ିକ ହେଉଛି, ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ, ଓଡ଼ିଶାର ଗୋପାଳପୁର, ପାରାଦୀପ ଓ ପୁରୀ । ଆମେରିକୀୟ ନୌସେନାର ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ମଧ୍ୟ ଏହି ୪ଟି ସହର ଉପରେ ନଜର ରଖିଛି ।


ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ରିପୋର୍ଟ ଅନୁସାରେ ଫୋନି ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦ କିଲୋମିଟର ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୭୭୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ ଭୀଷଣ ସାମୁଦ୍ରିକ ଝଡ଼ ଓ ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ଏହା ଆସନ୍ତା ୩ କିମ୍ବା ୪ ତାରିଖ ବେଳକୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ବୋହିବାର ସମ୍ଭାବନା ରହିଛି । ଫୋନି ଧୀର ଗତିରେ ଘଣ୍ଟାପ୍ରତି ମାତ୍ର ୪ କିଲୋମିଟର ବେଗରେ ଗତି କରୁଥିବାରୁ ଏହା ସମୁଦ୍ରମଧ୍ୟରୁ ଶକ୍ତି ସଂଚୟ କରି ଅଧିକ ଶକ୍ତିଶାଳୀ ହେଉଛି ।

ସମ୍ବନ୍ଧିତ ଖବର