ପୁରୀ ଜିଲ୍ଲାରେ ଘରଭଙ୍ଗା ତଦନ୍ତ ଓ ତାଲିକା ପ୍ରସ୍ତୁତିରେ ଅନିୟମିତତା : ସରକାରୀ ସହାୟତା ମିଳୁ ନଥିବାରୁ ଏବେ ବି ପଲିଥିନ୍‌ ତଳେ ବିପନ୍ନ

ଗଡ଼ିଶାଗୋଦା : ବାତ୍ୟା ‘ଫନି’ ପରେ କଣାସ ବ୍ଲକ୍‌ରେ ଘରଭଙ୍ଗା ତଦନ୍ତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅନେକ ହିତାଧିକାରୀ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ତାଲିକାରେ ଆଂଶିକ କ୍ଷତିଗ୍ରସ୍ତ ଭାବେ ଦର୍ଶାଯାଇଛି। ଏମିତିକି ବହୁ ପରିବାର କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ଚଞ୍ଚକତା କରି ସେମାନଙ୍କ ନାମକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ତାଲିକାରେ ଯୋଡ଼ାଯାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ଯୋଗ୍ୟ, ହିତାଧିକାରୀ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ନିରାଶରେ ଘରକୁ ଫେରୁଛନ୍ତି। ଏପରିକି କାଦୁଆ ପଞ୍ଚାୟତର ସାହାସପୁର ଗ୍ରାମର ଓକିଲ ସାମନ୍ତରାୟ, ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ରାମଚନ୍ଦ୍ର ସାହୁ , କାର୍ତ୍ତିକ ସାମନ୍ତରାୟ ପରିବାର ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ସରକାରୀ ସହାୟତା ମିଳୁ ନଥିବାରୁ ଏବେ ଭଙ୍ଗା ଘରେ ପଲିଥିନ୍‌ ପକାଇ ଆଶ୍ରୟ ନେଇଛନ୍ତି। ଏ ସଂପର୍କରେ ସେମାନେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ କଣାସ ବ୍ଲକ୍‌ର ୨୮ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟାର କରାଳ ରୂପ ଅନେକ ପରିବାରକୁ ବାସହରା କରିଦେଇଥିଲା। ବିପନ୍ନମାନେ ବାତ୍ୟାଆଶ୍ରୟସ୍ଥଳୀ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଗୃହ୍‌ରେ ଆଶ୍ରୟ ନେଇଥିଲେ। ‌ତେବେ ବାତ୍ୟା ପରେ ଘରଭଙ୍ଗା ତଦନ୍ତ ଓ ତାଲିକା ପ୍ରସ୍ତୁତିରେ ଅନିୟମିତତା ହୋଇଥିବା ସଙ୍ଗିନ ଅଭିଯୋଗ ହୋଇଛି। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପରିବାରକୁ ଏ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ କଣାସ ତହସିଲଦାର ଉମାକାନ୍ତ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସୁଛି ସେମାନଙ୍କ ଜମା ଖାତାକୁ ବନ୍ଦ କରିବା ପାଇଁ ବ୍ୟାଙ୍କ୍‌କୁ ନିର୍ଦ୍ଦେଶ ଦେଉଛୁ। ଯଦି କେହି ଟଙ୍କା ଉଠାଇଥିବେ ‌ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର