ଦୁଇ ଦିନ ପାଣି ପିଇ ରହିଲୁ, ୧୨ ଦିନ ପରେ ପାଟିରେ ଦାନା ବାଜିଲା

ପୁରୀ : ତିନି ତାରିଖ ବାତ୍ୟା ପରଠାରୁ ୫ ତାରିଖ ଯାଏ ପାଣି ପିଇ ରହିଲୁ। ଘରୁ ବାହାରି ପାରିଲୁନି। ଦିନରେ ପ୍ରବଳ ଖରା, ରାତିରେ କିଟିକିଟି ଅନ୍ଧାର। ୪ ଛୁଆଙ୍କୁ ଧରି କଲବଲ ହେଲୁ। ଖରାରେ ଓଦା ହୋଇଥିବା ଚାଉଳ ଶୁଖାଇ ୬ ତାରିଖରେ ଚୁଡ଼ା ମୁଢ଼ି ଖାଇଲୁ। ହେଲେ ଏପର୍ଯ୍ୟନ୍ତ ପାଟିରେ ଭାତ ଦି’ଟା ବାଜି ନଥିଲା। ଆଜି ଖାଇଲୁ। ଏହା ହେଉଛି ବାତ୍ୟା ପ୍ରଭାବିତ ହରେକୃଷ୍ଣପୁର ନିକଟସ୍ଥ ରେଣ୍ଡୁଅ ଦଳିତ ସାହିର ସବିତା ଭୋଇଙ୍କ କୋହଭରା କଥା।

ସହରରେ ସମସ୍ତେ ରିଲିଫ ଢ଼ାଳୁଥିବା ବେଳେ ଗାଁ ଗଣ୍ଡାକୁ ଯାଉନାହାନ୍ତି। ଏବେ ବି ଅନେକ ଗାଁ’କୁ ଯିବା ସହଜ ନଥିବାରୁ ଦାତାମାନେ ଅଧା ରାସ୍ତାରୁ ଫେରି ଆସୁଛନ୍ତି। ଏପରି ଏକ ଗାଁରୁ ବାତ୍ୟା ଦୁର୍ଗତଙ୍କ କରୁଣ କାହାଣୀ ପଦାକୁ ଆସିଛି। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ବ୍ୟକ୍ତିଗତ ଉଦ୍ୟମରେ କମାଣ୍ଡର ବାଳକୃଷ୍ଣ ନନ୍ଦ, ଇନ୍ସପେକ୍ଟର ଚନ୍ଦ୍ରଶେଖର ଦାସ, ଯୁବ ଆଇନଜୀବୀ କଳିଯୁଗ ହରେକୃଷ୍ଣ ପ୍ରତିହାରୀ ପ୍ରମୁଖ ବୁଧବାର ଏହି ଗାଁରେ ପହଞ୍ଚି ବିପନ୍ନଙ୍କୁ ରିଲିଫ୍‌ ଦେଇଛନ୍ତି।

ପୁରୀ ସହରଠାରୁ ମାତ୍ର କିଛି ଦୂରରେ ଥିବା ହରେକୃଷ୍ଣପୁରକୁ ଲାଗି ରହିଛି ରେଣ୍ଡୁଅ ଦଳିତ ସାହି। ଏଠାରେ ରହୁଥିବା ୧୪ଟି ପରିବାର ସତେ ଯେମିତି ସମସ୍ତଙ୍କ ପାଇଁ ଅଲୋଡ଼ା। ନା ପ୍ରଶାସନର ସହାୟତା ପହଞ୍ଚିଛି ନା ସ୍ବେଚ୍ଛାସେବୀ ପହଞ୍ଚିଛନ୍ତି। ପାଖରେ ଅଛି ଚମାର ସାହି, ଧୋବା ସାହି। ସେମାନେ ବି ପାଇନାହାନ୍ତି ସହାୟତା। ବାତ୍ୟା ପରଠାରୁ ଏହି ସାହିଗୁଡ଼ିକୁ କିଛି ମିଳିନଥିଲା। କାଁଭାଁ କିଏ କେମିତି ଯୋଡ଼େ ତିନିଟା ପୁଡ଼ିଆ ପକାଇ ପଳାଇ ଆସିଥିଲେ। ପୂରା ଅଣଦେଖା ହୋଇ ରହିଥିଲେ ସାହିର ଏହି ୧୪ଟି ପରିବାର। ବୁଧବାର ଏହି ଟିମ୍‌ ଯାଇ ବାତ୍ୟା ଦୁର୍ଗତଙ୍କୁ ଚୁଡ଼ା ଚାଉଳ, ବିସ୍କୁଟ, ଛତୁଆ ଆଦି ଦେବା‌ ପରେ ସବିତାଙ୍କ ପରିବାର ଭାତ ରାନ୍ଧିଥିଲେ। ସେହି ଭାତକୁ ଦୁଇଟି କଂସାରେ ଆଣି ୩ ନାତି ନାତୁଣୀଙ୍କ ସହ ବସି ଏକା ନିଶ୍ବାସରେ ଖାଇ ଦେଇଥିଲେ ସବିତା। ଘର ପୂରା ମେଲାମୁକୁଳା, କାନ୍ଥ ଭାଙ୍ଗି ତଳେ ଶୋଇଛି। ଚୂଲି ସେଇଠି, ଖାଇବା ବି ସେଇଠି।

କେବଳ ସବିତା ନୁହନ୍ତି, ସାହିର ୯୦ ଭାଗ ଲୋକଙ୍କ ଘର ଧୂଳିସାତ୍‌ ହୋଇଯାଇଛି। ସମସ୍ତଙ୍କ ଛପର ମାଟିରେ ଲୋଟୁଛି। ଏପରି ଦୃଶ୍ୟ କୌଣସି ବ୍ୟକ୍ତିଙ୍କୁ ବି ଦୋହଲାଇ ଦେବ। ସ୍ଥିତି ଦେଖିବା ପରେ ଶ୍ରୀ ପ୍ରତିହାରୀ ଘର ଘର ବୁଲି ସେହି ୩ଟି ସାହିରେ ରିଲିଫ ସାମଗ୍ରୀ ପହଞ୍ଚାଇଛନ୍ତି। ରିଲିଫ୍‌ ପାଇବା ପରେ ସମସ୍ତେ ଖୁସି ହୋଇଛନ୍ତି। ମାତ୍ର ରାତି ଅନ୍ଧାରକୁ ଥିଲା ଡର। ନା କିରୋସିନ ମିଳିଛି, ନା ବିଜୁଳି ଆସିବାର ସମ୍ଭାବନା ଅଛି। ଆସିବା ବେଳେ ପଚାରି ଦେଉଥିଲେ, ବାବୁ କିରୋସିନ ଟିକେ ମିଳନ୍ତାନି? ଲାଇନ୍‌ କେବେ ଆସିବ ବାବୁ?

ସମ୍ବନ୍ଧିତ ଖବର