ବାତ୍ୟା ଫନିର ୭ ମାସ ପରେ ବି ସୁଧୁରିନି ବିପନ୍ନଙ୍କ ଅବସ୍ଥା : ମୁଣ୍ତ ଗୁଞ୍ଜିବାକୁ ଛପର ନାହିଁ, ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ଶଶିମଣି

ଘରଭଙ୍ଗା ତାଲିକାରେ ନାଁ ନାହିଁ, ମିଳୁନି ସରକାରୀ ସହାୟତା

ପିପିଲି : ସାମୁଦ୍ରିକ ବାତ୍ୟା ‘ଫନି’କୁ ୭ ମାସ ପୂରିଲା। ମାତ୍ର ଏବେ ବି ବିପନ୍ନଙ୍କ ଅବସ୍ଥା ସୁଧୁରିନି। ମୁଣ୍ତ ଗୁଞ୍ଜିବାକୁ ଛପର ନାହିଁ। ଖୋଲା ଆକାଶ ତଳେ ଆଉ କେତେଦିନ ରହିବେ। ଖରା, ବର୍ଷା, କାକର ଦାଉରୁ ରକ୍ଷା ପାଇବା ପାଇଁ ପଡ଼ିଶା ଘରେ ଆଶ୍ରୟ ନେଇଛନ୍ତି ପିପିଲି ତହସିଲ ଅନ୍ତର୍ଗତ ସହଜପୁର ଗାଁର ଶଶୀମଣି ସ୍ୱାଇଁ(୬୨) ଓ ତାଙ୍କ ପରିବାର। ୬ ବର୍ଷ ତଳେ ଶଶୀମଣିଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା। ୩ ପୁଅ ଓ ପରିବାରର ବୋଝ ଏବେ ତାଙ୍କ ଉପରେ। ବାତ୍ୟାରେ ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବାକୁ ତାଙ୍କ ପାଖରେ ସମ୍ବଳ ନାହିଁ। ବାତ୍ୟାରେ ୨ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଘରଭଙ୍ଗା ତାଲିକାରେ ତାଙ୍କର ନାଁ ନାହିଁ। ଏ ସଂପର୍କରେ ସେ ତହସିଲ କର୍ତ୍ତୃପକ୍ଷଙ୍କ ନିକଟରେ ଦୁଇ ଦୁଇ ଥର ଲିଖିତ ଅଭିଯୋଗ କରିଥିଲେ। ହେଲେ ଫଳ ଶୂନ୍‌।

ସେହିପରି ପୂର୍ବରୁ ତାଙ୍କର ରାସନ୍‌ କାର୍ଡ ଥିଲା। ମାତ୍ର କୌଣସି କାରଣରୁ ରାସନ୍‌ କାର୍ଡ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ୨ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର ପାଇଖାନା ବିଲ୍ କରାଯାଇନି। ଘରଭଙ୍ଗା ଚିହ୍ନଟ ବେଳେ ତଦନ୍ତକାରୀ ଟିମ୍‌ର ମନମାନି ଓ କେତେକ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ହିତାଧିକାରୀ ଚୟନରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ଘରଭଙ୍ଗା ତାଲିକାରେ ଶଶୀମଣିଙ୍କୁ ସାମିଲ କରାଯାଇ ସହାୟତା ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ଘର ଭାଙ୍ଗିଥିବା ବିପନ୍ନଙ୍କର ଏହି ତାଲିକାରେ ନାଁ ନଥିବାବେଳେ କୌଣସି କ୍ଷତି ହୋଇନଥିବା କୋଠାଘର ଥିବା ବ୍ୟକ୍ତିଙ୍କର ତାଲିକାରେ ନାଁ ଥିବା ଅଭିଯୋଗ ହୋଇଛି। ସେହିପରି ଅନେକ ବିପନ୍ନଙ୍କର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶି ଯାଇଥିବା ବେଳେ ସେମାନଙ୍କର ନାଁ ଆଂଶିକ ଭାଙ୍ଗିଥିବା ତାଲିକାରେ ସ୍ଥାନ ପାଇଛି। ଏ ନେଇ ବାତ୍ୟା ବିପନ୍ନମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ ପାଇଁ ତୁରନ୍ତ ହସ୍ତକ୍ଷେପ ନକଲେ,ଏକ ବଡ଼ଧରଣର ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରେ। ପ୍ରାୟ ୩ ହଜାରରୁ ଅଧିକ ବାତ୍ୟା ବିପନ୍ନ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର