ଭୁବନେଶ୍ବର: ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା । ଓଡିଶା ଛାତିରେ ପଶିଲା ଛନକା । ୧୯୯୯ରେ ଏମିତି ଅକ୍ଟୋବର ମାସରେ ଦୁଇଟି ବାତ୍ୟା ଆସିଥିବା ବେଳେ ଏବେ ପୁଣି ୨୦୨୫ରେ ଅର୍ଥାତ ୨୬ ବର୍ଷ ପରେ ଦୁଇଟି ବାତ୍ୟା ଏହି ଅକ୍ଟୋବର ମାସରେ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆମେରିକାର ଜିଏଫଏସ ମଡେଲ । ତେବେ ଅକ୍ଟୋବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ବିଦେଶୀ ମଡେଲର ଆକଳନ ମନରେ ଭୟ ସୃଷ୍ଟି କରିଛି ।
୧୯୯୯ରେ ସେହି ଅକ୍ଟୋବର, ୨୦୨୫ରେ ବି ସେହି ଅକ୍ଟୋବର । ୨୬ ବର୍ଷ ତଳେ ସେହି ଭୟ, ୨୬ ବର୍ଷ ପରେ ବି ସେହି ଭୟ । ଅକ୍ଟୋବର ମାସ ଆସିଲା ମାତ୍ରକେ ମନରେ ବାତ୍ୟା ଭୟ ଆସିବା ସ୍ବାଭାବିକ । ୧୯୯୯ ମସିହା ମହାବାତ୍ୟାକୁ ଏହାରି ଭିତରେ ୨୬ ବର୍ଷ ବିତିବାକୁ ବସିଛି । କିନ୍ତୁ ଏହାରି ଭିତରେ ଏମିତି କେଉଁ ବର୍ଷର ଅକ୍ଟୋବର ମାସ ନାହିଁ, ଯେଉଁ ଅକ୍ଟୋବରରେ ବାତ୍ୟା ଆସିନଥିବ କି ଭୟ ଘାରି ନଥିବ। ଏବେ ଅକ୍ଟୋବର ଚାଲିଥିବାରୁ ପୁଣି ସେଭଳି କିଛି ଆଶଙ୍କା ଦେଖାଦେଇଛି । ଆମେରିକାର ଜିଏଫ୍ଏସ୍ ମଡେଲ୍ ସେମିତି କିଛି ଆକଳନ କରୁଛି । ଅର୍ଥାତ ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି । ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ କିନ୍ତୁ ସମ୍ଭାବନାକୁ ଏଡ଼ାଇ ଯାଇ ହେବନି । କାରଣ ଅକ୍ଟୋବର ହିଁ ବାତ୍ୟାର ମାସ ।
ସେପଟେ ୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା । ଗୋଟିଏ ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁଥିଲା । ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା । ଯାହା ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁଥିଲା । ଏହି ମହାବାତ୍ୟା ଆଣିଥିଲା ମହାପ୍ରଳୟ । ଉଜୁଡି ଯାଇଥିଲା ଲକ୍ଷ ଲକ୍ଷ ଘର, ପ୍ରାଣ ହରାଇଥିଲେ ହଜାର ହଜାର ଲୋକ । ପ୍ରାୟ ୧୦ ହଜାର ଲୋକଙ୍କ ପ୍ରାଣ ନେଇଥିଲା ପ୍ରଳୟ । ଆଉ ମହାବାତ୍ୟା ପରେ ଚାରିଆଡେ କୁଢ କୁଢ ଶବ ଦେଖିବାକୁ ମିଳିଥିଲା । ପଶୁପକ୍ଷୀ, ମଣିଷ ସବୁ ବାତ୍ୟା ଆଁରେ ପଶିଯାଇଥିଲେ । ଜମି ବାଡି ସବୁ ନଷ୍ଟ ହୋଇଥିଲା । ମହାବାତ୍ୟାର କ୍ଷତଚିହ୍ନ ଓଡିଶା ଛାତିରୁ କେବେ ଲିଭିବନି ।
ତେବେ ୧୯୯୯ର ଭୟ ପୁଣି ଥରେ ୨୦୨୫ରେ ଦେଖାଦେଇଛି ଯେତେବେଳେ ଚଳିତ ଅକ୍ଟୋବର ମାସରେ ୨ଟି ବାତ୍ୟା ଆସିବା ନେଇ ଅନୁମାନ କରାଯାଉଛି । ତେବେ ବାତ୍ୟା ଆସିବ କି କି ନାହିଁ, ତାହାର ଚିତ୍ର ଆଉ କିଛି ଦିନ ଭିତରେ ସ୍ପଷ୍ଟ ହେବ । ଇତିମଧ୍ଯରେ ଗୋଟିଏ ବାତ୍ୟା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମୁହାଁ ହେବା ନେଇ ସୂଚନା ରହିଥିବା ବେଳେ ୨ୟ ବାତ୍ୟାଟି ଆଣ୍ଡାମାନରେ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।
ତେବେ ଏହି ବାତ୍ୟା ଭୟ ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି- ଜିଏଫ୍ଏସ ମଡେଲ ଦେଖନ୍ତୁ ନାହିଁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଯାହା ପୂର୍ବାନୁମାନ କରାଯାଉଛି ତାକୁ ଦେଖନ୍ତୁ। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୩ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବାକୁ ଥିବା ଏହି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବ। ତାପରେ ଏହା ତାମିଲନାଡୁ, ପୁଡୁଚେରୀ ଏବଂ ନିକଟସ୍ଥ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆଗେଇବ।
ଆହୁରି ପଢନ୍ତୁ-
Zaira Wasim: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ଜାୟରା ୱାସିମ୍
ଏହାର ପ୍ରଭାବରେ ୨୧ ତାରିଖ ପାଖରୁ ଦକ୍ଷିଣ ବଙ୍ଗୋପସାଗରେ ଘଣ୍ଟା ପିଛା ପବନର ଗତି ୩୦ରୁ ୪୦ କିମି ପବନ ବହିପାରେ। ୨୨ରେ ଏହା କ୍ରମଶ ବଢ଼ି ଘଣ୍ଟା ପ୍ରତି ୪୦ରୁ ୫୦ ଓ ୨୩ ତାରିଖରେ ୪୫ରୁ ୫୫କିମି ପବନ ବହିବାର ଆଶଙ୍କା କରାଯାଉଛି। ଏହାକୁ ଦେଖି ଆମେ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କତା ସୂଚନା ଜାରି କରିଛୁ । ଯେଉଁ ମତ୍ସ୍ୟଜୀବୀମାନେ ଦକ୍ଷିଣ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଅଛନ୍ତି, ସେମାନେ ଉପକୂଳକୁ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଫେରି ଆସିବା ଉଚିତ। ଏହା ସହିତ ମତ୍ସ୍ୟଜୀବୀମାନେ ୨୧ ତାରିଖ ପାଖରୁ ଦକ୍ଷିଣ ବଙ୍ଗୋପସାଗର ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରକୁ ପ୍ରବେଶ କରିବା ଉଚିତ ନୁହେଁ। କାରଣ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଯାହା ଦ୍ବାରା ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ର ଭିତରକୁ ପ୍ରବେଶ ଉପକୂଳ ନୁହେଁ।
ବାତ୍ୟା ନେଇ ଆମେ କୌଣସି ଚେତାବନୀ ଦେଇନାହୁଁ। ଲଘୁଚାପ ସୃଷ୍ଟି ହେଲା ପରେ ପରବର୍ତ୍ତୀ ସୂଚନା ଜାରି କରାଯିବ। ବର୍ତ୍ତମାନ ପାଇଁ ଆମେ ତାମିଲନାଡୁ, ପଡୁଚେରୀ ଓ ଆନ୍ଧ୍ରପ୍ରଦେଶ ପାଇଁ ଚେତାବନୀ ଜାରି କରିଛୁ । ଓଡ଼ିଶା ପାଇଁ ସେମିତି ପାଣିପାଗ ସତର୍କତାମୂଳକ ସୂଚନା ଜାରି କରାଯାଇ ନାହିଁ।
Cyclone | Odisha