ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଆଜି ଅପରାହ୍ଣ ସାଢ଼େ ୨ଟାରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି। ଏହାର ନାମ ଫେଙ୍ଗଲ(ଉଚ୍ଚାରଣ:ଫେଞ୍ଜଲ) ରଖାଯାଇଛି। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଥିବା ବାତ୍ୟା ‘ଫେଙ୍ଗଲ୍‌’ ରାତି ୯ଟା ସୁଦ୍ଧା ପୁଡ଼ୁଚେରିଠାରୁ ୨୩୦ ଓ ଚେନ୍ନାଇଠାରୁ ୨୫୦  କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୩୦ ତାରିଖ ଅପରାହ୍ଣ ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରୀ ମଧ୍ୟରେ କାରାଇକାଲ-ମହାମବଳିପୁରମ୍‌ ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ପବନର ଘଣ୍ଟା ପ୍ରତି ବେଗ ୭୦ରୁ ୮୦ କିମି ରହିବ। ସ୍ଥଳ ବିଶେଷରେ ୯୦ କିମି ବେଗରେ ପବନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ଆଜି ଅପରାହ୍ଣରେ ସ୍ଥଳ ଭାଗ ଛୁଇଁବ
ଦିନସାରା ଅଧା ଓଡ଼ିଶାରେ ମେଘୁଆ ପାଗ

ପ୍ରଭାବରେ ଓଡ଼ିଶାରେ ପାଗରେ ପରବର୍ତ୍ତନ ହୋଇଛି। କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। କଟକ, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲା ସମେତ ଭୁବନେଶ୍ୱର ଓ କଟକ ସହରର କିଛି ଅଞ୍ଚଳରେ ହାଲୁକା ତଥା ଝିପିଝିପି ବର୍ଷା ଲାଗିରହିଛି। ଶନିବାର ପୂର୍ବାହ୍ନ ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ। କନ୍ଧମାଳକଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଗ ବଦଳିବା ସହ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ରେକର୍ଡ କରାଯାଇଛି। ଅନ୍ୟ ସବୁଠି ପାରଦ ୧୦ ଡିଗ୍ରି ଉପରେ ରହିଥିଲା। ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ପୁଣିଥରେ ୨୦ ଡିଗ୍ରି ଡେଇଁଯାଇଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୧.୬ ଡିଗ୍ରିରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।