ଆଜି ମାଡ଼ହେବ ‘ଗୁଲାବ’, ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ବିପଦ

ଶ୍ରୀକାକୁଲମ୍‌ ନିକଟରେ ସ୍ଥଳଭାଗ ଛୁଇଁବ

ପବନର ବେଗ ୭୦ରୁ ୮୦ ମଧ୍ୟରେ ରହିବ
ଆଜି ମଧ୍ୟାହ୍ନରୁ ବର୍ଷା, ଦୁଇ ଦିନ ଲାଗିରହିବ

ଭୁବନେଶ୍ୱର : ଭୀଷଣ ରୂପ ନେଇଛି ବାତ୍ୟା ‘ଗୁଲ୍‌-ଆବ୍’। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଆଜି ରାତି ପ୍ରାୟ ୮ଟାରେ ବାତ୍ୟା ରୂପ ନେବା ସହ ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳ ଆଡ଼କୁ ମାଡ଼ି ଆସୁଛି। ବାତ୍ୟା ରୂପ ନେବା ପରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ବେଗ ୬୫ରୁ ୭୫ କିମି ରହିଛି। ଧୀରେ ଧୀରେ ଏହା ଅତି ଭୀଷଣ ରୂପ ଧାରଣ କରି ରବିବାର ପୂର୍ବାହ୍ନରେ ପବନର ବେଗ ୯୫ କିମି ଛୁଇଁବ। ତେବେ ସେତେବେଳକୁ ଏହା ସମୁଦ୍ର ମଧ୍ୟରେ ହିଁ ଥିବ। ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ରବିବାର ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ ଓ ଦକ୍ଷିଣ ଓଡ଼ିଶାର ‌ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବ। ସେତେବେଳେ ବି ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବା ସହ ସ୍ଥଳ ବିଶେଷରେ ୯୫ କିମି ଛୁଇଁବ। ଏହା ନିର୍ଦ୍ଧିଷ୍ଟ ଭାବେ କେଉଁ ସ୍ଥାନରେ ସ୍ଥଳ ଭାଗକୁ ସ୍ପର୍ଶ କରିବ ସେନେଇ ଏପର୍ଯ୍ୟନ୍ତ ଆକଳନ କରାଯାଇପାରି ନାହିଁ। ତେବେ ରାତି ୧୧ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବାତ୍ୟା ‘ଗୁଲ୍‌-ଆବ୍‌’ ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ। ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବ। ଗଞ୍ଜାମ, ଶ୍ରୀକାକୁଲମ୍‌ ଓ ବିଜୟନଗରମ୍‌ ଜିଲ୍ଲା ଉପକୂଳରେ ଅଧ ମିଟର ପର୍ଯ୍ୟନ୍ତ ଜୁଆର ଉଠିବ। ଏଣୁ ଆଜିଠାରୁ ସମୁଦ୍ର ଭିତରକୁ ପ୍ରବେଶ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଏହା ଯୋଗୁଁ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏସବୁ ଜିଲ୍ଲାରେ ପବନର ତୀବ୍ରତା ସେତେ ଅଧିକ ରହିବ ନାହିଁ। ତେବେ ଦୁଇ ଦିନ ଧରି ବର୍ଷା ଲାଗିରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ରବିବାର ସନ୍ଧ୍ୟା ପରେ ବାତ୍ୟା ଆନ୍ଧ୍ର ଉପକୂଳର ଶ୍ରୀକାକୁଲମ୍‌ ପାଖାପାଖି ସ୍ଥଳ ଭାଗ ଛୁଇଁପାରେ। ତେବେ ମଧ୍ୟାହ୍ନ ପରେ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସହ ୧୨ ଘଣ୍ଟା ପର୍ଯ୍ୟନ୍ତ ପବନର ପ୍ରଭାବ ରହିବ। ବାତ୍ୟାର ଉପର ଭାଗରେ ପବନର ପ୍ରକୋପ ଅଧିକ ରହିବ। ବାତ୍ୟା କେନ୍ଦ୍ରର ଉତ୍ତରରେ ଗଞ୍ଜାମର ଦକ୍ଷିଣ ଉପକୂଳ(ଗୋପାଳପୁରର ଦକ୍ଷିଣରେ) ଓ ଗଜପତି(ପାରଳାଖେମୁଣ୍ଡି ଅଞ୍ଚଳରେ) ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ଯାଇପାରେ। ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ଧୀରେ ଧୀରେ ଦୂର୍ବଳ ହୋଇଯିବ। ପୁରୀର କଣାସଠାରୁ ଗଞ୍ଜାମର ସୋନପୁର ବେଳାଭୂମି ଓ ସଂଲଗ୍ନ ନୟାଗଡ଼, ଗଜପତିରେ ପ୍ରବଳ ବର୍ଷା ହେବ। ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ମଧ୍ୟମଧରଣର ବର୍ଷା ହୋଇପାରେ। ଏଥିସହ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନର ଆଶଙ୍କା ଅଧିକ ରହିଛି।

YouTube

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ବାତ୍ୟା ରୂପ ନେଇଥିଲେ ମଧ୍ୟ ପବନ କମ୍‌ ରହିବ ଏବଂ ବର୍ଷା ଅଧିକ ହେବ। ରବିବାର ଓ ସୋମବାର ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ହେବ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ହେବୋର ଆଶଙ୍କା‌ ରହିଛି। ଦୁଇ ଦିନ ଧରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗିରହିବା କାରଣରୁ ଭୂସ୍ଖଳନ ଓ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ଏଥିସହ ଲଗାଣ ବର୍ଷା ଯୋଗୁଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା‌ ଆସିପାରେ। ଏପରିକି ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ଭୂସ୍ଖଳନର ବି ଆଶଙ୍କା ରହିଛି। କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ତାହାକୁ ଦୃଷ୍ଟିରେ ରଖି ଉକ୍ତ ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ପୁରୀ, ଖୋର୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲ‌ାରେ ପ୍ରବଳ ବର୍ଷାକୁ ନଜରରେ ରଖି ‌ଅରେଞ୍ଜ ୱାର୍ଣ୍ଣିଂ, ବାଲେଶ୍ବର, ଭଦ୍ରକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋମବାର ମଧ୍ୟ ବର୍ଷା ଲାଗିରହିବ। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷାକୁ ନଜରରେ ରଖି ଅରେଞ୍ଜ ଏବଂ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର