ଡରାଇଲା ‘ଗୁଲାବ’

ଗଞ୍ଜାମ, ଗଜପତିରେ ବର୍ଷା, ଗୋପାଳପୁରରେ ୭ ନମ୍ବର ବିପଦ ସ‌‌ଙ୍କେତ

ବ୍ରହ୍ମପୁର/ଛତ୍ରପୁର/ଗୋପାଳପୁର : ରବିବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଗୁଲାବ୍’। ପୂର୍ବ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ସ୍ଥଳଭାଗ ଛୁଇଁବା ସହିତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର କଳିଙ୍ଗପାଟନାମ୍ ଉତ୍ତରକୁ ୨୫ କିଲୋମିଟର ଓ ଗୋପାଳପୁର ଠାରୁ ୯୦ କିଲୋମିଟର ଦୂର ମୂରିଗୁଡ଼ା-ଟେକାଲି ମଧ୍ୟ‌ରେ ଅତିକ୍ରମ କରିଛି। ଗୁଲାବ ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ସେମିତି କିଛି ଘଟିନି। ଏକପ୍ରକାର ବିପଦ ଟଳିଯାଇଛି। ତେବେ, ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଏବେ ବି ଭୟ ରହିଛି।

୩ ଘଣ୍ଟା ଆଗରୁ ବାତ୍ୟା ସ୍ଥଳଭାଗ ଛୁଇଁଥିବାରୁ ଉଭୟ ଜିଲ୍ଲାରୁ ବିପଦ ଆପାତତଃ ଟଳିଛି। ପାଣିପାଗ ବିଭାଗ ପକ୍ଷରୁ ରାତି ୯ଟା ୧୫ ମିନିଟ୍‌ରୁ ୯ଟା ୩୦ ମିନିଟ୍‌ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଥିଲା। ତେବେ, ୬ଟା ୧୫ ମିନିଟ୍‌ ବେଳକୁ ସ୍ଥଳଭାଗ ଛୁଇଁଥିଲା। ଆଜି ସକାଳୁ କିନ୍ତୁ ‘ଗୁଲାବ’ର ପ୍ରଭାବ ଅନୁଭୂତ ହୋଇଥିଲା। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦିନସାରା ପାଗ କୋହଲା ରହିବା ସହ ଝିପିଝିପି ବର୍ଷା ଅନୁଭୂତ ହୋଇଥିଲା।

ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡ଼ିଓ କନଫରେନ୍ସିଂ ବୈଠକ ଯୋଗେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାତି ୧୦ଟା ସୁଦ୍ଧା ୨୮୫ଟି ଆଶ୍ରୟସ୍ଥଳରେ ୧୧,୦୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ସହ ଉଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲ୍ଲାରେ ୩ ଟି ଏନଡିଆରଏଫ୍, ୫ଟି ଓଡ୍ରାଫ୍ ଓ ୨୭ଟି ଅଗ୍ନିଶମ ବିଭାଗ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି। ଲାଇଫ୍ ଜାକେଟ୍ ଯଥେଷ୍ଟ ପରିମାଣରେ ନଥିବା ଯୋଗୁଁ ବହୁ ପରିମାଣରେ ଟ୍ୟୁବ୍ ମହଜୁଦ୍ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ପାତ୍ରପୁର, ସୋରଡ଼ା, ଆସିକା, ପୁରୁଷୋତ୍ତମପୁର, ଶେରଗଡ଼, ଗଞ୍ଜାମ ଓ ଗୋପାଳପୁରରେ ପହଞ୍ଚି ସାରିଛନ୍ତି। ଏହାସହ ସେମାନଙ୍କୁ ସହଯୋଗ ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୁଲିସ ବିଭାଗ ପ୍ରସ୍ତୁତ ରହିବେ।

ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ଗୋପାଳପୁର ବେଳାଭୂମି ଅଶାନ୍ତ ରହିଛି। ବେଳାଭୂମିରେ ୭ ନମ୍ବର ବିପଦ ସଂକେତ ଜାରି ହୋଇଥିବା ବେଳେ ପ୍ରାଶାସନିକ ଅଧିକାରୀ ମାନେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ଆଜି ଓ ଆସନ୍ତାକାଲି ଲୋକଙ୍କୁ ବେଳାଭୂମିକୁ ଆସିବା ଉପରେ ବାରଣ କରାଯାଇଛି। ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଜାରି ହୋଇଛି। ଜୁଆର ଉଚ୍ଚା ହୋଇଛି। ଗୋପାଳପୁର ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ତାରର ସୁରକ୍ଷା ପାଇଁ କିଛି ବଡ଼ଗଛର ଶାଖାକୁ କାଟିଦିଆଯାଇଛି।

ସେହିପରି ଗୁଲାବ୍ ପ୍ରଭାବରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଛି। ଗୁମ୍ମାରେ ମାଟି ଅତଡ଼ା ଖସି ନାମନଗଡ଼-ଅଜୟଗଡ଼ ରାସ୍ତା ଅବରୋଧ ହୋଇଛି।

ସମ୍ବନ୍ଧିତ ଖବର