୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର
ମାଲକାନଗିରି, କୋରାପୁଟରେ ବର୍ଷା
ନାଗାବଳୀ, ବଂଶଧାରା ବଢ଼ୁଛି
ଭୁବନେଶ୍ବର : ଓଡ଼ିଶା ଉପରୁ ଟଳିଲା ‘ଗୁଲାବ’ ବିପଦ। ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ୍ର ୨୦ କିମି ଉତ୍ତରକୁ ଓ ଓଡ଼ିଶାର ଗୋପାଳପୁରର ଦକ୍ଷିଣ ପଶ୍ଚିମରେ ୧୬୦ କିମି ଦୂର ସନ୍ଥଗୁଡ଼ାଠାରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ କରିଛି। ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୪ କିମି ରହିଥିଲା। ସ୍ଥଳ ବିଶେଷରେ କଳିଙ୍ଗପଟ୍ଟନମ୍ରେ ପବନର ବେଗ ସର୍ବାଧିକ ୯୪ କିମି ରେକର୍ଡ କରାଯାଇଛି। ରିପୋର୍ଟ ଲେଖା ଯିବା ବେଳକୁ ବାତ୍ୟା ଗଭୀର ଅବପାତ ରୂପ ନେଇ ଧୀରେ ଧୀରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି। ଓଡ଼ିଶା ଉପରୁ ପବନ ବିପଦ ଟଳିଥିଲେ ମଧ୍ୟ ରାତିରେ ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବାତ୍ୟା ଯୋଗୁଁ ମଧ୍ୟ ରାତିରେ ସମୁଦ୍ର ଅଶାନ୍ତ ହୋଇଛି। ଶ୍ରୀକାକୁଲ୍ମ୍, ବିଜୟନଗରମ୍, ଗଞ୍ଜାମ ଉପକୂଳରେ ଜୁଆର ୦.୫ ମିଟର ଉଚ୍ଚତାକୁ ଉଠିଛି। ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ତେଲେଙ୍ଗାନାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି।
/sambad/media/post_attachments/wp-content/uploads/2021/09/cyclone-gulab.jpg)
୨୭ ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି।
ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବ ଯେତିକି ପଡ଼ିବ ବୋଲି ଆକଳନ କରାଯାଉଥିଲା ସେଭଳି ହୋଇନାହିଁ। ଦକ୍ଷିଣ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଅଳ୍ପ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୩୦ କିମି ରହିଛି। ଗଭୀର ଅବପାତ ବାତ୍ୟା ରୂପ ନେବା ସମୟରେ ଏହାର ଗତି ଘଣ୍ଟା ପ୍ରତି ୭ କିମି ରହିଥିଲା। ଯେଉଁଥିପାଇଁ ମଧ୍ୟରାତିରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଥିଲା। ତେବେ ମଧ୍ୟାହ୍ନ ୧୨ଟା ପରେ ବାତ୍ୟାର ବେଗ ବଢିବାରୁ ୩ ଘଣ୍ଟା ଆଗରୁ ଲ୍ୟାଣ୍ଡଫଲ୍ କରିଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବ। ତାହାକୁ ନଜରରେ ରଖି ୮ ଜିଲ୍ଲାକୁ ସତର୍କ କରାଯାଇଛି। ରାତି ୯ଟା ସୁଦ୍ଧା ବିଭିନ୍ନ ଜିଲ୍ଲାରୁ ୩୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାତିରେ ବି ଏହି ପ୍ରକ୍ରିୟା ଜାରି ରହିଛି। ଗଜପତି, ରାୟଗଡ଼ା, କୋରାପୁଟରେ ଅଧିକ ଭୂ-ସ୍ଖଳନ ହେବାର ଆଶଙ୍କା ରହିଥିବାରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଗଜପତି ଜିଲ୍ଲାର ଗୋଟିଏ ସ୍ଥାନରେ ପାହାଡ଼ରୁ ପଥର ଖସିଥିଲା। ତାହାକୁ ସଙ୍ଗେ ସଙ୍ଗେ ସଫା କରାଯାଇଛି। ଆଗୁଆ ପଦକ୍ଷେପ ସ୍ବରୂପ ଗଜଲବାଡ଼ି-ଦାରିଙ୍ଗବାଡ଼ି ରାସ୍ତାକୁ ସିଲ୍ ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଜପତିରେ ୬୮୦୦, ରାୟଗଡ଼ାରେ ୨୩୬୦, କନ୍ଧମାଳରେ ୪୭୫୦, ମାଲକାନଗିରିରେ ୮୨୬୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଏବେ ବାତ୍ୟା ଘଣ୍ଟାପ୍ରତି ୨୭ କିମି ବେଗରେ ଗତି କରୁଛି। ଆଗକୁ ପାହାଡ଼ିଆ ଅଞ୍ଚଳ ରହିଥିବାରୁ ବାତ୍ୟାର ଗତି କମିଯିବ।
/sambad/media/post_attachments/wp-content/uploads/2021/09/cyclone-2.jpeg)
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି ଯେ ରାତି ୩ଟା ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ। ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜାରି ରହିବାକୁ ଥିବାରୁ ନାଗାବଳୀ ଓ ବଂଶଧାରା ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଓଡ଼ିଶା ପ୍ରତି ବିପଦ ଟଳିଥିବାରୁ ବନ୍ଦରଗୁଡ଼ିକରୁ ବିପଦ ସଙ୍କେତ କମାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆକଳନ ଅନୁଯାୟୀ ଶ୍ରୀକାକୁଲମ୍ ନିକଟରେ ବାତ୍ୟା ସ୍ଥଳ ଭାଗ ଛୁଇଁଛି। ଓଡ଼ିଶା ଉପରେ ସେତେଟା ପ୍ରଭାବ ପଡ଼ିନାହିଁ। ସ୍ଥଳ ଭାଗ ଛୁଇଁ ସାରିଥିବାରୁ ଆଗକୁ ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେବେ ରାୟଗଡ଼ାରେ ବର୍ଷା ପରିମାଣ କମ୍ ରହିବ। ଗଞ୍ଜାମ, ଗଜପତିରେ ସେଭଳି ପ୍ରଭାବ ପଡ଼ିବ ନାହିଁ। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଅଧିକ ବର୍ଷା ହେବ। ସ୍ଥାନେ ସ୍ଥାନେ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।