ଭୁବନେଶ୍ବର : ପୂର୍ବ ଆକଳନ ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଶନିବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଥିବା ବେଳେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହା ପ୍ରଭାବରେ ଆସନ୍ତା ୮ ତାରିଖ ସକାଳ ସୁଦ୍ଧା ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ଆଡ଼କୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ହିଁ ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେବା ସହ ବାତ୍ୟାର ରୂପ ନେବ ଓ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ତେବେ ସୃଷ୍ଟି ହୋଇଥିବା ସିଷ୍ଟମ ଉପରେ ପାଣିପାଗ ବିଭାଗ ନିୟମିତ ନଜର ରଖିଥିବା ବେଳେ ବାତ୍ୟାର ତୀବ୍ରତା, ଗତିପଥ ଓ ଏହା କେଉଁ ଦିଗ ଦେଇ ଗତି କରିବ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ କହିହେବ ବୋଲି ଆଇଏମ୍‌ଡି କହିଛି।

Advertisment

publive-image

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପକୁ ଦୃଷ୍ଟିରେ ରଖି ୭ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋସାଗର ଓ ଆଣ୍ଡାମାନ ସାଗର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି। ଏଥିସହ ଯେଉଁ ମତ୍ସ୍ୟଜୀବୀମାନେ ଏହି ସବୁ ସମୁଦ୍ର ଅଞ୍ଚଳରେ ଅଛନ୍ତି, ସେମାନେ ଶୀଘ୍ର ଫେରି ଆସିବା ପାଇଁ ଆଇଏମ୍‌ଡି ପକ୍ଷରୁ ପରାମର୍ଶ ଦିଆଯାଇଛି। ସୃଷ୍ଟି ‌ହୋଇଥିବା ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଡଙ୍ଗା, ଛୋଟ ଜାହାଜ ଓ ଟ୍ରଲର ଆଦି ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କ ସତର୍କ କରାଯାଇଛି। ତେବେ ଲଘୁଚାପ ସୃଷ୍ଟି ପରେ ହିଁ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆ‌ସିବ ବୋଲି ଜଣାପଡ଼ିଛି।

publive-image BQ Prime

ଅନ୍ୟପଟେ ଶନିବାର ପୂର୍ବାହ୍ନରେ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ଦେଖାଯାଇଥିଲା। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମେଘୁଆ ପାଗ ରହିଥିବା ବେଳେ ହାଲୁକା ବର୍ଷା ମଧ୍ୟ ହୋଇଛି। ଆଜି(ରବିବାର)ଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ ଓ ରାଜ୍ୟର ତାପମାତ୍ରା ବଢ଼ିବ। ଆସନ୍ତା ୪ରୁ ୫ ଦିନ‌ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ।