ବ୍ରହ୍ମପୁର : ଦୀପାବଳି ପୂର୍ବରୁ ଗଞ୍ଜାମ ଜିଲ୍ଲାକୁ ପୁଣିଥରେ ବାତ୍ୟା ଭୟ ଘାରିଛି। ଉତ୍ତର ଆଣ୍ଡମାନ ସାଗର ଏବଂ ଏହାର ଆଖାପାଖ ଅଞ୍ଚଳରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ। ଆସନ୍ତା ୨୨ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା କେନ୍ଦ୍ରୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି। କିନ୍ତୁ ଏହାର ଗତିପଥ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତଥାପି ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପଟେ ଲୋକେ ମଧ୍ୟ ବାତ୍ୟାର ସମ୍ଭାବନା କେତେ, ରୂପ କିଭଳି ହେବ, ତେବେ ବଳ ନେଇ ଆସିପାରେ, ଏମିତି ସବୁ ଦିଗ ଆକଳନ କରିବା ଆରମ୍ଭ କରିଛନ୍ତି। ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକ ଆଲର୍ଟ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୂଳରେ ରହିଥିବା ଗଞ୍ଜାମ ଜିଲ୍ଲା ପାଇଁ ମଧ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ମାନସିକସ୍ତରରେ ପ୍ରସ୍ତୁତ ହୋଇ ସାରିଛି। ଏ ନେଇ ଖୁବଶୀଘ୍ର ଏକ ବୈଠକ କରାଯିବ ବୋଲି ସୂଚନା ମିଳିଛି।
/sambad/media/post_attachments/wp-content/uploads/2022/10/899118a9-82ff-4909-8663-95b8eef2f816-e1666111712576.jpg)
ଗଞ୍ଜାମ ଜିଲ୍ଲା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ପ୍ରତିବର୍ଷ ବାତ୍ୟା, ବନ୍ୟା ଯୋଗୁଁ କିଛି ନା କିଛି କ୍ଷୟକ୍ଷତି ହେଉଛି। କିନ୍ତୁ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁଁ ବଡ଼ ଧରଣର କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇ ପାରୁଛି। ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍ ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ସମୁଦ୍ର କୂଳରେ ରହିଛି। ବାତ୍ୟା ସମୟରେ ଏହି ୫ଟି ବ୍ଲକ୍ର ଅଧିକାଂଶ ଗ୍ରାମ ପ୍ରଭାବିତ ହୋଇଥାଏ। ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୧୦୪ଟି ଆଶ୍ରୟସ୍ଥଳୀ ରହିଛି। ତନ୍ମଧ୍ୟରୁ ୭୩ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ୩୧ଟି ବନ୍ୟା ଆଶ୍ରୟସ୍ଥଳୀ ରହିଛି। ବାତ୍ୟା ସମୟରେ ଛତ୍ରପୁର ବ୍ଲକ୍ର କାଳୀପଲ୍ଲୀ, ଆର୍ଯ୍ୟପଲ୍ଲୀ ଓ ଅଗସ୍ତିନୂଆଗାଁ ପଞ୍ଚାୟତର ବିଭିନ୍ନ ଗାଁ ପ୍ରଭାବିତ ହୋଇଥାଏ। ସେହିପରି ଗଞ୍ଜାମ ବ୍ଲକ୍ର ସମୁଦ୍ର କୂଳରେ ରହିଥିବା ପୋଡ଼ମପେଟା, ପୁରୁଣାବନ୍ଧ, ପାଲିବନ୍ଧ, ପ୍ରୟାଗୀ, କଲରାବାଡ଼ି, ଗୋଖୁରକୁଦା ଗ୍ରାମ ପ୍ରଭାବିତ ହୋଇଥାଏ।
ସେହିପରି ଋଷିକୁଲ୍ୟା ନଦୀ ଫୁଲିଲେ କାଇଁଚପୁର, ଜଗନ୍ନାଥପୁର, ବରଦା, ବାଘଲପୁର, ବେଣିଗୌରୀ, ବରପଲ୍ଲୀ, କାଳୁଆବାଡ଼ି ଓ କରପଡ଼ା ପଞ୍ଚାୟତର ୩ଟି ଗାଁ ମଧ୍ୟ ପ୍ରଭାବିତ ହୋଇଥାଏ। ଏହି ସବୁ ଗାଁକୁ ବାତ୍ୟା, ବନ୍ୟା ସମୟରେ ପାଣି ପଶି ଯାଇଥାଏ। ସେହିପରି ଗୋପାଳପୁର ଏନ୍ଏସି ଏବଂ ରଂଗେଇଲୁଣ୍ଡା ବ୍ଲକ୍ର ଗୋଳାବନ୍ଧ, ହରିପୁର, ନୂଆବକ୍ସିପଲ୍ଲୀ ପ୍ରଭାବିତ ହୋଇଥାଏ। ସେହିଭଳି ଚିକିଟି ବ୍ଲକ୍ର ରାମେୟାପାଟଣା, ସୋରଳ, ପାତିସୁନାପୁର, ଚନ୍ଦନବାଡ଼, ଏକସିଙ୍ଗି ପ୍ରଭୃତି ଗାଁ ପ୍ରଭାବିତ ହୋଇଥାଏ।
ବାତ୍ୟା ପାଇଁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୨ତାରିଖରୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ୨୧ତାରିଖ ରାତି ସୁଦ୍ଧା ଫେରି ଆସିବା ପାଇଁ ଗୋପଳପୁର ପାଣିପାଗ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେପଟେ ବାତ୍ୟା ପ୍ରଭାବରେ ଅଧିକ ବର୍ଷା ହେଲେ ଗଞ୍ଜାମ ଜିଲ୍ଲାର ଧାନଚାଷ ମଧ୍ୟ ନଷ୍ଟ ହେବାର ନେଇ ଆଶଙ୍କା ପ୍ରକାଶ ପାଇଛି। ବାତ୍ୟାକୁ ନେଇ ଚାଷୀକୁଳ ମଧ୍ୟ ଚିନ୍ତାରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/d32611d8-674c-4865-a149-28925c5eeecf.jpg)