ଭୀଷଣ ରୂପ ନେଇ ଆସୁଛି ବାତ୍ୟା, ୪ରେ ଶ୍ରୀକାକୁଲମ୍-ପୁରୀ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ

ଉପକୂଳ ଛୁଇଁବା ପୂର୍ବରୁ ସମୁଦ୍ରରେ ଅଧିକ ବଳ ଗୋଟାଇବ

ପବନର ବେଗ ଘଣ୍ଟା ପ୍ରତି ୧୧୦ କିମି ହେବ ଓ ଅଧିକ ବର୍ଷିବ,
ଓଡ଼ିଶା ଛୁଇଁଲେ ୧୩୦ ବର୍ଷର ରେକର୍ଡ ଭାଙ୍ଗିବ ବାତ୍ୟା

ଭୁବନେଶ୍ୱର : ଦୁଇ ମାସର ବ୍ୟବଧାନରେ ପୁଣି ଓଡ଼ିଶାକୁ ବାତ୍ୟା ବିପଦ। ଚଳିତ ବର୍ଷର ଦ୍ବିତୀୟ ବାତ୍ୟା ‘ଜୱାଦ’ ଆସନ୍ତା ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ରେକର୍ଡ ସୃଷ୍ଟି କରିବ। ୧୮୯୧ରୁ ୨୦୨୦ ମଧ୍ୟରେ ଅର୍ଥାତ ଗତ ୧୩୦ ବର୍ଷରେ ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା କେବେ ଓଡ଼ିଶା ଉପକୂଳ ସ୍ପର୍ଶ କରିନାହିଁ। ଯଦି ବାତ୍ୟା ‘ଜୱାଦ’ ଉପକୂଳ ସ୍ପର୍ଶ କରେ ତେବେ ଓଡ଼ିଶା ବାତ୍ୟା ଇତିହାସରେ ଅଲୋଡ଼ା ରେକର୍ଡ ସୃଷ୍ଟି ହେବ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୪ ତାରିଖ ଦିନ ବାତ୍ୟା ଭୀଷଣ ରୂପ ନେବ ଓ ଏହାର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ। ଉପକୂଳ ଛୁଇଁବା ପୂର୍ବରୁ ବାତ୍ୟା ସମୁଦ୍ର ଭିତରେ ଆହୁରି ବଳ ଗୋଟାଇବ ଓ ଭୀଷଣ ରୂପ ନେବ। ପ୍ରାଥମିକ ଆକଳନ ଅନୁଯାୟୀ ‘ବାତ୍ୟା’ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବ। ଏହା ବଢ଼ିପାରେ। ‘ବାତ୍ୟା’ ପ୍ରଭାବରେ ୩ ତାରିଖ ସଂଧ୍ୟାରୁ ରାଜ୍ୟରେ ବର୍ଷିବା ଆରମ୍ଭ ହୋଇଯିବ। ୩ ତାରିଖ ରାତି ସୁଦ୍ଧା ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ୪ ଓ ୫ ତାରିଖ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ଅଧିକ ଭୟଙ୍କର ରୂପରେ ସ୍ଥଳ ଭାଗ ଛୁଇଁବ ବୋଲି କିଛି ମଡେଲରୁ ଜଣାପଡ଼ୁଛି। କିନ୍ତୁ ଏହି ବାତ୍ୟା ପବନ ତୁଳନାରେ ଅଧିକ ବର୍ଷା ଆଣିବ। ସଜାଗ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା।

ପାଣିପାଗ ବିଭାଗର ସୂଚନା ମୁତାବକ, ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ଓ ୨ ତାରିଖ ଦିନ ଅବପାତର ରୂପ‌ ନେବ। ପରବର୍ତୀ ୨୪ ଘଣ୍ଟାରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ୩ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ସାମୁଦ୍ରିକ ଝଡ଼’ ରୂପ ନେବ। ଏହାପରେ ଦିଗ ବଦଳାଇ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସମୁଦ୍ର ଭିତରେ ଅଧିକ ବଳ ଗୋଟାଇବ ଓ ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୨ ତାରିଖରୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ଅଶାନ୍ତ ହୋଇପଡ଼ିବ। ୨ ତାରିଖ ଦିନ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ ଓ ଘଣ୍ଟାପ୍ରତି ୭୦ କିମି ବେଗରେ ବେଳେ ବେଳେ ଝଟକା ଦେବ। ୩ ତାରିଖ ଭୋର୍‌ରୁ ସମୁଦ୍ର ଅଧିକରୁ ଅଧିକ ଅଶାନ୍ତ ହେବାକୁ ଲାଗିବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ଯୋଗୁଁ ପବନର ବେଗ ୬୫ରୁ ୭୫ କିମିକୁ ବୃଦ୍ଧି ପାଇବ। ଏହି ସମୟରେ ପବନର ଝଟ୍‌କା ୮୫ କିମି ରହିବ। ୪ ତାରିଖ ଦିନ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହି ସମୟରେ ପବନର ଝଟ୍‌କା ଘଣ୍ଟାପ୍ରତି ୧୧୦ କିମି ପର୍ଯ୍ୟନ୍ତ ଅନୁଭୂତ ହେବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରଙ୍କୁ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ଡିଜି ଶ୍ରୀ ମହାପାତ୍ର।

Sambad English

୩ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ଏଣୁ ଏହି ୪ ଜିଲ୍ଲା ପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିନ୍ତୁ ୪ ଓ ୫ ତାରିଖ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁରରେ ଅତିପ୍ରବଳ ବର୍ଷା ହେବ। ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଣୁ ପାଚିଯାଇଥିବା ଧାନକୁ ଅମଳ କରିବା ସହ ଅମଳ ପରେ ଗହୀରରେ ପଡ଼ି ରହିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ମୁଗ, ବିରି, ସୋରିଷ ଭଳି ରବି ଫସଲ ଓ ଆଳୁ, ପିଆଜ ଓ ଧନିଆ ଭଳି ପନିପରିବା ତଥା ଅମୃତ ଭଣ୍ଡା ଓ କଦଳୀ ଭଳି ଫଳର ତଳି ନ ବୁଣି ଏବେ ସ୍ଥଗିତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖି ୩ରୁ ୫ ଦିନ ପାଇଁ ଖାଦ୍ୟ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ମଧ୍ୟ ୪ ତାରିଖରେ ଭୀଷଣ ବାତ୍ୟା ନେଇ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ପରେ ପ୍ରଥମେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୪୮ ଘଣ୍ଟା ପରେ ଉତ୍ତର-ପଶ୍ଚିମ ଓ ୭୨ ଘଣ୍ଟା ପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବକୁ ଗତି କରି ଓଡ଼ିଶା ମୁହାଁ ହେବ। ଯଦି ଦିଗ ବଦଳାଇବା ପୂର୍ବରୁ ଏହା ଉପକୂଳର ନିକଟବର୍ତୀ ହୁଏ ତେବେ ଶ୍ରୀକାକୁଲମ୍‌ ଓ ପୁରୀ ମଧ୍ୟରେ ଉପକୂଳ ଉପକୂଳ ସ୍ପର୍ଶ କରିବ। ଏହା ପରେ ଏହା ଓଡ଼ିଶାର ଗଞ୍ଜାମ ଓ ପରେ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲା ମଧ୍ୟ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ଯଦି ଏହା ଓଡ଼ଶା ଉପକୂଳର ସମାନ୍ତରାଳରେ ପ୍ରାୟ ୭୦ କିମି ଦୂରରେ ସମୁଦ୍ରରେ ଗତି କରିବ ଏହା ଉପକୂଳ ଧସେଇ ହୋଇ ଯିବ ଓ ୫ ତାରିଖ ମଧ୍ୟରାତ୍ରରେ ବାଂଲାଦେଶ/ ପଶ୍ଚିମବଙ୍ଗ ସ୍ପର୍ଶ କରିବ। ଓଡ଼ିଶାରେ ପ୍ରବଳ ବର୍ଷା ହେବ। କିଛି କିଛି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷିପା‌ରେ। ଯଦି ବାତ୍ୟା ଉପକୂଳ ଜିଲ୍ଲା ମଧ୍ୟ ଦେଇ ଯାଏ ତେବେ ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କିନ୍ତୁ ଭୀଷଣ ବାତ୍ୟା ନେଇ ଦ୍ବନ୍ଦ୍ବ ପ୍ରକାଶ କରିଛନ୍ତି। ଏହି ବା‌ତ୍ୟା ପବନ ଅପେକ୍ଷା ଅଧିକ ବର୍ଷା ଆଣିବ ଓ ଉପକୂଳ ସହ ଆଭ୍ୟନ୍ତରରେ ପ୍ରବଳ ବର୍ଷିବ। ଏଥିସହ କିଛି କିଛି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହେବ ବୋଲି ସେ କହିଥିବା ବେଳେ ୨ ତାରିଖ ବେଳକୁ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର