ସାମୁଦ୍ରିକ ବାତ୍ୟା ‘ଜୱାଦ’ର ସମ୍ଭାବ୍ୟ ପ୍ରଭାବ ଓ ସତର୍କତା ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର: ଡିସେମ୍ବର ୪ ତାରିଖ, ଶନିବାର ସକାଳେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ଥିବା ସାମୁଦ୍ରିକ ବାତ୍ୟା ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ଏବଂ ଗ୍ରହଣ କରାଯିବାକୁ ଥିବା ସତର୍କତା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ କିଛି ପରାମର୍ଶ ଦେଇଛି।

ସୂଚନା ଅନୁସାରେ, ବାତ୍ୟା ପ୍ରବାହ ଯୋଗୁଁ ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଡିସେମ୍ବର ୨ ତାରିଖରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଣ୍ଟାପ୍ରତି ୭୦ କିଲୋମିଟର୍‌ ପର୍ଯ୍ୟନ୍ତ ପବନ ଦଲକା ଦେଇପାରେ। ୩ ତାରିଖ ଦିନ ପବନର ଘଣ୍ଟାପ୍ରତି ବେଗ ଓ ଦଲକା ଯଥାକ୍ରମେ ୬୫ ରୁ ୭୫ ଏବଂ ୮୫ ହୋଇପାରେ। ସେହିପରି, ୪ ତାରିଖ ସକାଳୁ ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାହା ବୃଦ୍ଧି ପାଇ ୯୦ ରୁ ୧୦୦ ଏବଂ ୧୧୦ ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରୁହୁଥିବାରୁ ମତ୍ସ୍ୟଜୀବୀବମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ବାତ୍ୟାଜନିତ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳ ରାସ୍ତାଘାଟ ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ପାଣି ଜମିବା ସହ ମୁଖ୍ୟତଃ ନଗରାଞ୍ଚଳରେ ଥିବା ଅଣ୍ଡର୍‌ପାସ୍‌ ସବୁ ପ୍ରଭାବିତ ହେବ। ବାତ୍ୟା ପ୍ରଭାବରେ ନିମ୍ନୋକ୍ତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

  • ପ୍ରବଳ ବର୍ଷା‌ ହେତୁ  ଦୃଶ୍ୟତା ହ୍ରାସ ପାଇବା ସମ୍ଭାବନା ରହିଛି।
  • ବର୍ଷା ପାଣିରେ ରାସ୍ତା ବୁଡ଼ି ପାଣି ଜମିବା ହେତୁ ପ୍ରମୁଖ ସହରମାନଙ୍କରେ ଯାନବାହନ ଚଳାଚଳ ବାଧା ପାଇ ଗମନାଗମନ ସମୟ ବିଳମ୍ବ ହେବ।
  • ମାଟି ରାସ୍ତା ସାମାନ୍ୟ କ୍ଷତିଗ୍ରସ୍ତ ହେବ।
  • ଦୁର୍ବଳ ଘରବାଡ଼ି ନଷ୍ଟ ହୋଇଯିବ।
  • କେତେକ ସ୍ଥାନୀୟ ଅଞ୍ଚଳରେ ଭୂସ୍ଖଳନ/କର୍ଦମ ସ୍ଖଳନ ଘଟିବ।
  • ବନ୍ୟା ପରିସ୍ଥିତି ଯୋଗୁଁ ବାଡ଼ିବଗିଚା ଏବଂ ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବ।
  • ନଦୀରେ ପାଣି ବଢ଼ିବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।

ଏଥିପାଇଁ ଗ୍ରହଣ କରାଯିବାକୁ ଥିବା ସତର୍କତାମୂଳକ ପଦକ୍ଷେପ ସବୁ ହେଉଛି:

  • ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ଯିବା ରାସ୍ତାରେ ଟ୍ରାଫିକ୍ ଜାମ୍‌ ହୋଇଛି କି, ନାହିଁ ଯାଞ୍ଚ କରନ୍ତୁ।
  • ଏ ସଂକ୍ରାନ୍ତରେ ଜାରି ଟ୍ରାଫିକ୍‌ ପରାମର୍ଶ ଅନୁସରଣ କରନ୍ତୁ।
  • ସବୁବେଳେ ପାଣି ଜମିବାର ଆଶଙ୍କା ଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
  • ବିପଦଶଙ୍କୁଳ ଘରେ ରୁହନ୍ତୁ ନାହିଁ।
  • ପାଚିଲା ଧାନ ଭଳି ଶସ୍ୟ ଏବଂ ବଗିଚାରୁ ଉତ୍ପାଦନ ହେଉଥିବା ଫସଲ ଅମଳ କରିପକାନ୍ତୁ। ବର୍ଷା ଓ ବତାସରେ ଯେମିତି ଅମଳ ହୋଇଥିବା ଫସଲ ନଷ୍ଟ ନ ହୁଏ‌ ସେଥିପ୍ରତି ସୁନିଶ୍ଚିତ ହୁଅନ୍ତୁ।
Image Courtesy of English Jagaran

 

ସମ୍ଭାବ୍ୟ ବାତ୍ୟା ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ମଧ୍ୟ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।  ପ୍ରବଳ ବର୍ଷା ହେବାକୁ ଥିବାରୁ ସେଥିରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତ୍‌ସିଂହପୁର ଜିଲ୍ଲା ପ୍ରତି ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଦିଆଯାଇଛି। ଏହା ଡିସେମ୍ବର ୩ ରୁ ୪ ତାରିଖ ପ‌ର୍ଯ୍ୟନ୍ତ ବଳବତ୍ତର ରହିବ।

ସେହିପରି, ଡିସେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ‘ଅରେଞ୍ଜ୍‌ ୱାର୍ଣ୍ଣିଙ୍ଗ୍‌’ ଦିଆଯାଇଛି।

ଏହାଛଡ଼ା, ଡିସେମ୍ବର ୫ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, କେନ୍ଦୁଝର, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର