ଭୁବନେଶ୍ୱର: ଭୀଷଣ ବାତ୍ୟା ମିଗଜୋମ୍ର ଲ୍ୟାଣ୍ଡଫଲ ପ୍ରକ୍ରିୟା ବା ସ୍ଥଳଭାଗକୁ ପ୍ରବେଶ ପ୍ରକ୍ରିୟା ଜାରି ରହିଛି। ଏହା ଦକ୍ଷିଣ, ଦକ୍ଷିଣ- ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ପବନ ଘଣ୍ଟାପ୍ରତି ୯୦ ରୁ ୧୧୦ କିମି ବେଗରେ ପ୍ରବାହିତ ହେଉଛି। ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି ଅଞ୍ଚଳରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ତ୍ତମାନ ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ହୋଇଥିବା ସୂଚନା ରହିଛି। ତେବେ ମିଗଜୋମ୍ ପ୍ରଭାବରେ ଗଜପତି ଜିଲ୍ଲାର ମୋହନାରେ ସର୍ବାଧିକ ବର୍ଷା ହୋଇଥିବା ସୂଚନା ମିଳିଛି।
ଲ୍ୟାଣ୍ଡଫଲ ପ୍ରକ୍ରିୟା ପରେ ବର୍ଷାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବଢିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତାହା ସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ସର୍ତକ ସୂଚନା ଥିବା ଜିଲ୍ଲାଗୁଡିକରେ ପବନର ବେଗ ୩୦-୪୦ କିମି ରହିବ। ସମୁଦ୍ର ମଧ୍ୟରେ ମଧ୍ୟ ପବନର ବେଗ ବଢ଼ି ୪୦-୫୫ କିମି ଯାଏ ରହିବ।
ଆଜି ରାତିରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାତ୍ରିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବର୍ଷାର ମାତ୍ରା ଅଧିକା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ବାପାଟଲା ନିକଟରେ ଏବେ ସାମୁଦ୍ରିକ ବାତ୍ୟା ‘ମିଗ୍ଜୋମ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଏବେ ଜାରି ରହିଛି।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରାୟ ଉତ୍ତର ଦିଗରେ ସମାନ୍ତରାଳ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଗତି କରୁଛି ଏବଂ ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏହା ଅତିକ୍ରମ କରିବା ଶେଷ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।