୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଇନ୍‌ପୁଟ୍‌ ସବ୍‌ସିଡି
କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି
ପଶୁସମ୍ପଦ ନଷ୍ଟ ହୋଇଥିଲେ ବି ମିଳିବ କ୍ଷତିପୂରଣ
ହସ୍ତତନ୍ତ, ହସ୍ତଶିଳ୍ପ କାରିଗର ପାଇବେ ସହାୟତା

Advertisment

ଭୁବନେଶ୍ବର : ବାତ୍ୟା 'ୟାସ୍‌' ଯୋଗୁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହ ପଶୁସମ୍ପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଚାଷୀ ଓ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ୟାକେଜ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ। କେବଳ ପ୍ରକୃତ ଚାଷୀମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ସବୁଦିନିଆ ଫସଲ ପାଇଁ ଚାଷୀମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ। ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ଼ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ। ଏହି ରିହାତି ସିଧାସଳଖ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ। ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଖରିଫ ଋତୁରେ ଧାନ,ଝୋଟ ଓ ଡାଲିଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଧାଡ଼ି ବୁଣା ଓ ଧାଡ଼ି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀମାନଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଚ୍ଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।

୬୦,୦୦୦ ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀମାନଙ୍କ ଆକାଉଣ୍ଟକୁ ଦିଆଯିବ। ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବା ପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀମାନଙ୍କୁ ୨୦ କୋଟି ଟଙ୍କାର ରିହାତି ଡିବିଟି ଜରିଆରେ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍‌ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ। ପମ୍ପସେଟ୍‌ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫,୦୦୦ ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ। ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କେତେକ ସ୍ଥାନରେ ଜମିରେ ଲୁଣି ପାଣି ମାଡ଼ିଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏପରି ଜମିର ପୋଷକତତ୍ତ୍ବର ପରିଚାଳନା ଓ ମାଟିର ମାନରେ ଉନ୍ନତି ପାଇଁ ହେକ୍ଟର ପିଚ୍ଛା ୭୫୦ ଟଙ୍କା ସହାୟତା ଦିଆଯିବ। ସମୁଦାୟ ୧୦ ହଜାର ହେକ୍ଟର ଜମି ପାଇଁ ସହାୟତା ପ୍ରଦାନ କରାଯିବ।

ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଡିବିଟି ଜରିଆରେ ଦିଆଯିବ। ୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡ଼ିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ। ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦,୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ। ଏହି ସହାୟତା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍‌ ପିଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କର ଦାବି ଯେପରି ସମାଧାନ ହୋଇପାରିବ, ସେଥି ପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ। କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।

ପଶୁସମ୍ପଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବାତ୍ୟାରେ ଦୁଧିଆଳୀ ଗାଈ, ମଇଁଷି. ଛେଳି, ମେଣ୍ଢା ଓ କୁକୁଡ଼ା ହରାଇଥିବା ଚାଷୀମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, କ୍ଷୀର ଦେଉ ନ ଥିବା ପ୍ରାଣୀମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା (ସର୍ବାଧିକ ୩ଟି ପାଇଁ) ଦିଆଯିବ। ସେହିପରି ସର୍ବାଧିକ ୬ଟି ବାଛୁରୀ ପାଇଁ - ପ୍ରତି ବାଛୁରୀ ପିଛା ୧୬,୦୦୦ ଟଙ୍କା, ୩୦ଟି ଛେଳି/ମେଣ୍ଢା ପର୍ଯ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ ( ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ) ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ। ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ। ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା ଲେଖାଏ, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା ଲେଖାଏ, ପୂରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏ ଏବଂ ପୂରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ବାତ୍ୟାରେ ପଟୁ ମାଟି ମାଡ଼ି ଯାଇଥିବା ମାଛ ଚାଷ ଫାର୍ମ/ ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ।

ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗରମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଞ୍ଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏରି, ମଲବେରି ଓ ଟସର ଚାଷୀମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।