କାକିନାଡ଼ାରେ ମାଡ଼ ହେଲା ‘ପେଥାଇ : ଆଉ ୧୨ ଘଣ୍ଟା ବର୍ଷା

କୋହଲା ପାଗ, ଲୋକେ ଥରିଲେ, ଖସିଲା ପାରଦ, ଏବେ ଶୀତ ବଢ଼ିବ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ପେଥାଇ’ ସ୍ଥଳ ଭାଗ ଛୁଇଁବା ପରେ ଦୁର୍ବଳ ହେଉଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ। ଗଞ୍ଜାମ, ପୁରୀ, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମଙ୍ଗଳବାର ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତନ ଆସିବ। ଏହାପରେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ଅନ୍ୟପକ୍ଷରେ ‘ପେଥାଇ’ ପ୍ରଭାବରେ ଆଜି ଦିନତମାମ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗିରହିଛି। ଆଉ କିଛି ଅଞ୍ଚଳରେ ଝିପି ଝିପି ବର୍ଷା େହାଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାରୁ ଲୋକେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ଗଜପତି ଓ ନୂଆପଡ଼ା ଜିଲ୍ଲାର ୧୩ ହଜାର ୪୬୭ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥାଳକୁ ସ୍ଥାନାନ୍ତର କରାଯାଇଛି।

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ମଙ୍ଗଳବାର ବର୍ଷା ଛାଡ଼ିବା ପରେ ପୁଣିଥରେ ଶୀତ ଲେଉଟିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଘୂର୍ଣ୍ଣିଝଡ଼ ଦୁର୍ବଳ ହେଉଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଓ ପୁରୀରେ ପ୍ରବଳ ବର୍ଷା ହେବ। ୧୮ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଶୀତର ପ୍ରକୋପ ବଢ଼ିବ।

ପୂର୍ବାନୁମାନ ଅନୁଯାୟୀ ଆଜି ଅପରାହ୍ଣ ସାଢ଼େ ଗୋଟାଏ ରୁ ୨ଟା ୩୦ ମଧ୍ୟରେ ‘ପେଥାଇ’ ସ୍ଥଳ ଭାଗ ଛୁଇଁଛି। ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ମାଡ଼ ହେବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିଥିଲା। ପ୍ରଭାବରେ ପୂର୍ବ ଗୋଦାବରୀ ସମେତ ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି। କାକିନାଡ଼ା ଓ ବିଶାଖାପାଟଣାରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। କେତେକ ସ୍ଥାନରେ ଟେଲିଫୋନ୍‌ ଟାୱାର ଭାଙ୍ଗି ପଡ଼ିଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି। ତେବେ ବାତ୍ୟା ପୂର୍ବରୁ ପ୍ରାୟ ୨୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପବନ ବହିବା ଯୋଗୁ ପୂର୍ବ ‌ଗୋଦାବରୀର କାଟ୍ରେନିକୋନା, ତଲାରେବୁ ଏବଂ ମାଲ୍‌କିପୁରମ୍‌ରେ ଅନେକ ଗଛ ଓ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିଲା। ତେବେ ବାତ୍ୟା ଯୋଗୁ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରରେ ସର୍ବାଧିକ ୬ ସେମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଲାଞ୍ଜିଗଡ଼, ଭବାନୀପାଟଣା ଓ ଧର୍ମଗଡ଼ରେ ୪ ସେମି, ନର୍ଲା, କାଶିନଗର ଓ ଜୁନାଗଡ଼ରେ ୩ ସେମି ଲେଖାଏ ବର୍ଷା ହୋଇଛି। ନୂଆପଡ଼ା ଜିଲ୍ଲାର ସିନାପାଲ୍ଲୀରେ ୫ ସେମି, କୋମନାରେ ୪, ଖଇରାରେ ୩, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରେ ୪, ଝରିଗାଁ, ଡାବୁଗାଁ ଓ ଉମରକୋଟରେ ୩ ସେମି ଲେଖାଏ, ବଲାଙ୍ଗୀରର ସଇଁତଳାରେ ୪ ଓ ବେଲଗାଁରେ ୩ ସେମି ବର୍ଷା ହୋଇଛି। ଏହାବ୍ୟତୀତ କନ୍ଧମାଳ, ଭୁବନେଶ୍ବର, କଟକ, ପୁରୀ, ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଆନ୍ଧ୍ର ଅଭିମୁ‌ଖେ ଯାଉଥିବା କେତେକ ଟ୍ରେନ୍‌କୁ ବିଶାଖାପାଟଣା, ପଲାସା ଓ ବିଜୟନଗରମ୍‌ ନିକଟରେ ନିୟନ୍ତ୍ରଣ କରାଯାଇଛି। ଆଉ କେତେକ ଟ୍ରେନ୍‌ର ସମୟରେ ପରିବର୍ତନ ହୋଇଛି।

ସମ୍ବନ୍ଧିତ ଖବର