ପେଥାଇ ପ୍ରଭାବ ପ୍ରଭାବ : ଦିନ ତମାମ ବର୍ଷା, ଜୀବନଯାତ୍ରା ପ୍ରଭାବିତ, ଜାତୀୟ ରାଜପଥରେ ଗଛ ଭାଙ୍ଗିଲା

କୋରାପୁଟ : ଦିନ ସାରା ବର୍ଷା। କେତେବେଳେ କୁଣ୍ଡାଝଡା ତ କେତେବେଳେ ଝିପିଝିପି। କିନ୍ତୁ ଟୋପା ବନ୍ଦ ହୋଇନି। ଏମିତି ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ ଆଜି ସାଧାରଣ ଜନ ଜୀବନକୁ ପୂରା ମାନ୍ଦା କରିଦେଇଛି। ସହର ସମେତ ଗାଁ ଗଣ୍ଡା ସବୁଠି ଅଘୋଷିତ ବନ୍ଦ ପାଳନ ଭଳି ସ୍ଥିତି ଦେଖା ଦେଇଛି। କିଛି ଜରୁରୀ କାମ ନ ଥିଲେ କେହି ଘରୁ ବାହାରି ନାହାନ୍ତି। ଆଜି ଅପରାହ୍ନ ସୁଦ୍ଧା ଜିଲ୍ଲାରେ ହାରାହାରି ୧୭.୬୭ ମିମି ବର୍ଷା ହୋଇଥିବା ବେଳେ ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପଟେ ଜାତୀୟ ରାଜପଥ-୨୬ ଉପରେ ଏକ ଗଛ ଉପୁଡି ପଡିବାରୁ କୋରାପୁଟ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ଘୂର୍ଣ୍ଣିଝଡ ପେଥାଇ ପ୍ରଭାବରେ ଗତକାଲି ଠାରୁ କୋହଲା ପାଗ ରହିଥିଲା ବେଳେ ରାତିରୁ ଆରମ୍ଭ ହୋଇଯାଇଥିଲା ବର୍ଷା। ସକାଳ ବେଳକୁ ଝିପି ଝିପି ବର୍ଷା ଚାଲିଥିଲା। ଦିନ ସାରା ଏହି ବର୍ଷା ଆଉ ଛାଡି ନ ଥିଲା। କେତେବେଳେ ବର୍ଷାର ତୀବ୍ରତା କମିଥିଲା ସିନା, ଟୋପା ପଡିବା ବନ୍ଦ ହୋଇ ନ ଥିଲା। ଏମିତି ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପବନ ବହିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଘରୁ ବାହାରିବାକୁ ଅନିଛା ପ୍ରକାଶ କରିଥିଲେ। ଫଳରେ ରାସ୍ତାଘାଟ ଫାଙ୍କା ଥିବା ସହ ବଜାର ଖାଁ ଖାଁ ଲାଗିଥିଲା। ଏକା ସମୟରେ ବର୍ଷା ଓ ଶୀତ କାରଣରୁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ଆଜି ଜିଲ୍ଲା ସାରା ବର୍ଷା ହୋଇଛି। ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ଜିଲ୍ଲାରେ ହାରାହାରି ୧୭.୬୭ ମିମି ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡିଛି। ନାରାୟଣପାଟଣା ବ୍ଲକରେ ସର୍ବାଧିକ ୫୧.୪ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି କୋରାପୁଟରେ ୧୫.୨, ଲମତାପୁଟରେ ୧୭, ପଟାଙ୍ଗୀରେ ୪୭, ବନ୍ଧୁଗାଁରେ ୧୦.୨, ନନ୍ଦପୁରରେ ୨୪.୫, ଲକ୍ଷ୍ମୀପୁରରେ ୩୦.୨, ସେମିଳିଗୁଡାରେ ୧୨.୬, ଜୟପୁରରେ ୧୦.୨, କୋଟପାଡରେ ୭.୩, କୁନ୍ଦୁରାରେ ୪, ବୋରିଗୁମ୍ମାରେ ୬.୮ ଓ ବୈପାରିଗୁଡାରେ ୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସନ୍ଧ୍ୟାରୁ ଅଧିକାଂଶ ଅଂଚଳରେ ବର୍ଷାର ପରିମାଣ ବଢିଛି। ଏପରିକି କୋରାପୁଟ ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଛି। ଏପଟେ ବର୍ଷା କାରଣରୁ ଜିଲ୍ଲା ମଙ୍ଗଳ ବିଭାଗ ସମ୍ମୁଖରେ ଏକ ପୁରୁଣା ଗଛ ଉପୁଡି ପଡିଥିଲା। ଗଛଟି ଉପୁଡି ଜାତୀୟ ରାଜପଥ-୨୬ରେ ପଡିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଗଛକୁ କାଟି ସଫା କରିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

ଅସମୟରେ ଲଗାଣ ବର୍ଷା କାରଣରୁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଦେଖା ଦେଇଛି। ଧାନ ଓ ମାଣ୍ଡିଆ ଅମଳ ସମୟ ହୋଇଥିବାରୁ ବର୍ଷା ଏଥିରେ ବାଧକ ସାଜିଛି। ଧାନ ଓ ମାଣ୍ଡିଆକୁ ସୁରକ୍ଷିତ ରଖିବାକୁ ଚାଷୀ ଚେଷ୍ଟା କରିଥିଲେ ମଧ୍ୟ ସବୁଠି ସଫଳ ହୋଇଛି। ତେଣୁ ବର୍ଷକର ପରିଶ୍ରମ ଏବେ ପାଣିରେ ପଡିବାକୁ ଯାଉଛି। ଏପଟେ ପନିପରିବା ଚାଷ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଶୀତ ଦିନିଆ ପନିପରିବା ଏବେ ଅମଳ ହେଉଥିବାରୁ ଚାଷୀ ନିଶ୍ଚୟ କ୍ଷତି ସହିବ। ଏପଟେ ଆସନ୍ତାକାଲି ମଧ୍ୟ ବର୍ଷା ଜାରି ରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।

ସମ୍ବନ୍ଧିତ ଖବର