ସତର୍କ ରହିବା ସହ ପ୍ରଶାସନକୁ ସହଯୋଗ ପାଇଁ ନିବେଦନ, ଆସିକାରେ ପହଞ୍ଚିଲେ ଏନ୍‌ଡିଆରଏଫ୍‌ ଟିମ୍ 

ସାମ୍ଭାବ୍ୟ ବାତ୍ୟା ‘ଗୁଲାବ’ ପାଇଁ ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଭଞ୍ଜନଗର: କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପର ପ୍ରଭାବରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ରୂପ ନେବେ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅକଳନ କରିଛି। ଏଥି ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ସଂର୍ପକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଏଥିସହ ବାତ୍ୟା ଏବଂ ଏହାର ପରବର୍ତ୍ତି ବନ୍ୟା ସମୟରେ କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ନିମନ୍ତେ ସାଧାରଣ ଜନତା ସତର୍କ ରହିବା ସହ ପ୍ରାଶାସନକୁ ସହାୟତା କରିବା ନିମନ୍ତେ ସେ ନିବେଦନ କରିଛନ୍ତି। ଜିଲ୍ଲାକୁ ରେଡ ୱାଣ୍ଣିଂ ଜାରି କରିଯାଇଥିବାରୁ ଆସନ୍ତା ଦୁଇଦିନ ବାତ୍ୟାର ପ୍ରଭାବ ରହିବ ବୋଲି ଅନୁମାନ କରାଯାଇଛି। ଉପଖଣ୍ଡର ସମସ୍ତ ବ୍ଲକ, ତହସିଲ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ସମସ୍ତ ବିଭାଗକୁ ବାତ୍ୟା ସମୟରେ ସଜାଗ ରହିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷ କରି ବିଗତ ଦିନରେ ତିତିଲି ବାତ୍ୟା ସମୟରେ ଆସିକା, ସୋରଡ଼ା ଏବଂ ଧରାକୋଟ ବ୍ଳକ୍ର ତଳିଆ ଅଞ୍ଚଳରେ ବ୍ୟପକ କ୍ଷୟକ୍ଷତି ଘଟିଥିବାରୁ ସେହି ଅଞ୍ଚଳକୁ ବହୁତ ଗୁରୁତ୍ବ ଦିଆଯାଉଥିବା ପ୍ରକାଶ କରିଛନ୍ତି। ଆବଶ୍ୟକ ପଡିଲେ କଚା ଘରେ ରହୁଥିବା ଲୋକ ମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ସହ ସେଠାରେ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି।ଏଥିସହ ମେଡିକାଲ୍ ଟିମ୍ ସଜାଗ ରହିବା ସହ ଗର୍ଭବତୀ ମହିଳାଙ୍କୁ ପୂର୍ବରୁ ମେଡିକାଲରେ ଭର୍ତ୍ତି କରିବା ବ୍ୟବସ୍ଥା କରାଯାଇଛି। ଏହି ସମୟରେ ନଈକୂଳ, ପୋଖରୀ ଆଦି ସ୍ଥାନକୁ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ବର୍ଷା ସହ ପ୍ରବଳ ପାଣି ଆସିଲେ ରାସ୍ତା ଅବରୋଧ ହେବାର ସମ୍ଭାବନା ରହିଥିବାରୁ ଫାୟାର,ଓଡ୍ରାଫ ଏବଂ ଏନ୍‌ଡିଆରଏଫ୍‌ ଟିମ ଉପଖଣ୍ଡର ବିଭିନ୍ନ ସ୍ଥାନରେ ରହିବା ବ୍ୟବସ୍ଥା କରାଯାଇଛି।

ଆସିକାରେ ଆଜି ସଂନ୍ଧ୍ୟାରେ ଏନ୍‌ଡିଆରଏଫ୍‌ର ଏକ ଟିମ୍ ପହଞ୍ଚି ସାରିଥିବା ସେ କହିଛନ୍ତି। ଆବଶ୍ୟକ ପଡିଲେ ଟିମ ବନ୍ୟା ବାତ୍ୟା ସ୍ଥଳକୁ ଯାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବେ୍। ବନ୍ୟା ସମୟରେ ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ବାଲି ବସ୍ତା ଓ ଜେସିବି ସାଙ୍ଗକୁ ଶ୍ରମିକଙ୍କୁ ନେଇ ସଜାଗ ରଖିବାକୁ କୁହାଯାଇଛି। କୌଣସି ଜୀବନ ଯେଭଳି କ୍ଷତି ଘଟିବ ନାହିଁ ଜିରୋ କାଜୁଆଲିଟି ରହିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଜାରି କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର