ମାଲକାନଗିରି: ଜିଲ୍ଲା ପ୍ରଶାସନ ତରଫରୁ ବାତ୍ୟା ପାଇଁ ମହା ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟରେ ବୋଲି ଆଜି ଜିଲ୍ଲାପାଳ ବିଶାଲ ସିଂ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆଜି ୭ଟି ବ୍ଲକର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କ ସହ ଭିଡିଓ କନଫେରେସିଂ ଜରିଆରେ ସମସ୍ତ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିବା ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ ୩୨ଟି ପଞ୍ଚାୟତର ମୋଟ ୬୩ଟି ଗ୍ରାମ ପ୍ରଭାବିତ ହେବ ବୋଲି କୁହାଯାଇଛି। ପ୍ରାୟ ୩ ହଜାର ପରିବାରର ୮ହଜାର ୬୦୦ ଲୋକ ଏହି ବାତ୍ୟା ଯୋଗୁଁ ପ୍ରଭାବିତ ହେବାର ଆଶଂକା କରାଯାଉଛି।
ସମସ୍ତ ବ୍ଲକର ଦୁର୍ଗମ ଏବଂ ତଳିଆ ଅଂଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଚାର ଚାଲିଥିବା କୁହାଯାଇଛି। ସମସ୍ତେ ଏହି ସମୟରେ ଘର ଭିତରେ ରହିବେ। ଆଦୌ ବାହାରକୁ ଯିବେ ନାହିଁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଯେଉଁମାନଙ୍କର ଚାଳ ଏବଂ କଚ୍ଚା ଘର ରହିଛି ସେମାନେ ତୁରନ୍ତ ନିକଟରେ ଥିବା ବନ୍ୟା ଆଶ୍ରୟ ସ୍ଥଳୀକୁ ଯିବାକୁ ଅନୁରୋଧ। ଜିଲ୍ଲାରେ ୪୭ଟି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିବା କୁହାଯାଇଛି। ଶତାଧିକ ଗର୍ଭବତୀ ମାଆ ମାନଙ୍କୁ ମା’ଗୃହକୁ ସ୍ଥାନାନ୍ତର କରାଯାଇସାରିଛି। ପୁଲିସ ବିଭାଗ ତରଫରୁ ୨୭ଟି ଟିମ ଜିଲ୍ଲାର ବିଭିନ୍ନ ବ୍ରିଜ ଏବଂ ବିପଦପୂର୍ଣ୍ଣ ରାସ୍ତାରେ ଜଗି ରହିଛନ୍ତି।
/sambad/media/post_attachments/wp-content/uploads/2021/09/Mkg-Mahabatya-prepare-5-e1632660919481-1024x504.jpg)
କୌଣସି ଲୋକଙ୍କୁ ବ୍ରିଜ କିମ୍ବା ପାହାଡିଆ ଅଂଚଳକୁ ନଯିବା ପାଇଁ ବାରଣ କରାଯାଇଛି।କୌଣସି ମୁହର୍ତ୍ତରେ ମଧ୍ୟ ମାଟି ଅତଡା ଖସିବାର ଭୟ ରହିଛି। କୌଣସି ରାସ୍ତାରେ ଗଛ ଉପାଡି ହୋଇ ପଡିଯାଏ ତେବେ ବ୍ୟସ୍ତ ହେବାର ନାହିଁ। ୬ଟି ଓଡ୍ରାଫ ଟିମ ଜିଲ୍ଲାରେ ପହଞ୍ଚିଛି। ସେମାନେ ସଜାଗ ରହିଥିବା ବେଳେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଗୋଟିଏ ଟିମ ୨୪ ଘଣ୍ଟା ସଜାଗ ରହିଛି। ତୁରନ୍ତ ଏମାନେ ସେହି ଅଂଚଳକୁ ଯାଇ ରାସ୍ତା ସଫା କରିବେ। ଏଥିସହ ବନ ବିଭାଗର କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ସଜାଗ ରହିଛନ୍ତି। କୌଣସି ଅଘଟଣକୁ ଏଡାଇବା ପାଇଁ ଏମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବେ ବୋଲି କୁହାଯାଇଛି।
ତେବେ ମହାବାତ୍ୟା ଗୁଲାବ ଆସି ସଂଧ୍ୟାରେ ମାଲକାନଗିରିରେ ପହଞ୍ଚୁଥିବା ବେଳେ ପ୍ରବଳ ବର୍ଷା ସହ ପବନ ବୋହିବାର ସମ୍ଭାବନା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ଆସନ୍ତାକାଲି (ସୋମବାର) ଦିନ ୟେଲୋ ଵାର୍ନିଂ ଦିଆଯାଇଥିବା ବେଳେ ସେହି ଦିନ ମଧ୍ୟ ସମସ୍ତ ବ୍ଲକର ଅଧିକାରୀମାନେ ସଜାଗ ରହି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Mkg-Mahabatya-prepare-1.jpg)