ଭୁବନେଶ୍ବର : ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ବହୁ ସୁନାମ ସାଉଁଟୁଛି। ଏହି ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି ବାତ୍ୟା ଆଶ୍ରୟସ୍ଥଳୀ। କିନ୍ତୁ ସେଗୁଡ଼ିକର ମରାମତି କରାଯାଉନି। ବହୁ ଆଶ୍ରୟସ୍ଥଳୀ ବିପଦସଙ୍କୁଳ ଭାବେ ଅଛି। କେଉଁ ବିଭାଗ ଏହାର ମରାମତି କରିବ, ତାହା କାହାରିକୁ ଜଣା ନାହିଁ। ଫଳରେ ବାତ୍ୟା ବେଳେ ସେଠାରେ ଆଶ୍ରୟ ନେଉଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଆଜି ବିଧାନସଭାର ପ୍ରଶ୍ନକାଳରେ ଏମିତି ଉଦ୍ବେଗ ପ୍ରକାଶ କରିଥିଲେ ସବୁ ଦଳର ବିଧାୟକ। ଆଶ୍ରୟସ୍ଥଳୀଗୁଡ଼ିକର ତୁରନ୍ତ ମରାମତି କରାଯିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ସ୍ଥାୟୀ ବାଟ ବାହାର କରିବାକୁ ଦାବି କରିଥିଲେ।
ଶାସକ ଦଳ ସଭ୍ୟ ଅନନ୍ତ ଦାସ ବାତ୍ୟା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳୀର ବର୍ତ୍ତମାନ ସ୍ଥିତି ଓ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ସମ୍ପର୍କିତ ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ, ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ଚିଲିକା ସଂଲଗ୍ନ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଓସ୍ଡମା ଦ୍ବାରା ମୋଟ ୬୯୪ଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଏହା ବାଦ୍ ଭାରତୀୟ େରଡ୍କ୍ରସ ସଂସ୍ଥା ପକ୍ଷରୁ ୬୫ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସରକାରଙ୍କ ବର୍ତ୍ତମାନ ପ୍ରସ୍ତାବ ନାହିଁ।
ମୂଳପ୍ରଶ୍ନକର୍ତ୍ତା ଶ୍ରୀ ଦାସ କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ଯଥେଷ୍ଟ ହେଉ ନାହିଁ। ତେଣୁ ନୂଆ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ବିଡିଓଙ୍କ ଅଧୀନରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ରଖି ତାହାର ନିୟମିତ ରକ୍ଷଣାବେକ୍ଷଣର ବନ୍ଦୋବସ୍ତ କରାଯାଉ। ସୁରେଶ ରାଉତରାୟ କହିଥିଲେ, ସରକାରଙ୍କ ବିଭିନ୍ନ ବିଭାଗ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରନ୍ତୁ। ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଏସବୁର ଦାୟିତ୍ବ ନିଅନ୍ତୁ। ପ୍ରଶାନ୍ତ ମୁଦୁଲି କହିଲେ, ଜଗତସିଂହପୁରରେ ବହୁ ବାତ୍ୟା ଆଶ୍ରୟସ୍ଥଳୀ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଚାଲିଛି। ସ୍କୁଲ୍ ପରିସରରେ କିଛି ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। କିନ୍ତୁ ସେଗୁଡ଼ିକ ଗଣଶିକ୍ଷା ବିଭାଗର ନା ରାଜସ୍ବ ବିଭାଗର ନା ଗ୍ରାମ୍ୟ ଉନ୍ନୟନ ବିଭାଗର, ତାହା ଜଣାପଡ଼ୁନି। ବିଷ୍ଣୁବ୍ରତ ରାଉତରାୟ କହିଥିଲେ, ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ମରାମତି ଠିକ୍ ଭାବେ ହେଉ ନାହିଁ। କିଛି ଆଶ୍ରୟସ୍ଥଳୀକୁ ରାସ୍ତା ନ ଥିବାରୁ ଲୋକମାନେ ବିପର୍ଯ୍ୟୟ ବେଳେ ଅସୁବିଧା ଭୋଗୁଛନ୍ତି। ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ, ଯେଉଁ ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇପଡ଼ିଛି, ସେଗୁଡ଼ିକ ତୁରନ୍ତ ଭଙ୍ଗାଯାଉ। କୌଣସି ଇଞ୍ଜିନିୟରିଂ ବିଭାଗକୁ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଉ। ପ୍ରଦୀପ ମହାରଥୀ ମଧ୍ୟ ଆଶ୍ରୟସ୍ଥଳୀଗୁଡ଼ିକର ରକ୍ଷଣାବେକ୍ଷଣ ହେଉ ନ ଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଜୟନ୍ତ ଷଡ଼ଙ୍ଗୀ ପୁରୀରେ ଅଧିକ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି କରିଥିଲେ। ବିଷ୍ଣୁ ଚରଣ ସେଠୀ ଚିଙ୍ଗୁଡ଼ି ଘେରି ଯୋଗୁ ପରିବେଶ ପ୍ରଦୂଷଣ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, କେବଳ ଉପକୂଳବର୍ତ୍ତୀ ଅଞ୍ଚଳ ନୁହେଁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସାରା ଓଡ଼ିଶାେର ଭିତ୍ତିଭୂମି ବିକାଶ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ।
ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ମରାମତି ଠିକ୍ ଭାବେ ହେଉ ନ ଥିବା ଅଭିଯୋଗକୁ ରାଜସ୍ବ ମନ୍ତ୍ରୀ ସ୍ବୀକାର କରିଥିଲେ। ବର୍ତ୍ତମାନ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଯାଞ୍ଚ୍ କରି ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଏକ ରିପୋର୍ଟ ପ୍ରସ୍ତୁତ ହେଲା ପରେ ମରାମତି ନେଇ ପଦକ୍ଷେପ ନିଆଯିବ। ସମ୍ବଳକୁ ଆଖି ଆଗରେ ରଖି ନୂ୍ଆ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପଦେକ୍ଷପ ନିଆଯିବ। ଯେଉଁ ଆଶ୍ରୟସ୍ଥଳୀକୁ ରାସ୍ତା ନାହିଁ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/cyclone-centre.jpg)
