ଭୁବନେଶ୍ବର : ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କେନ୍ଦ୍ରାପଡାର ସବିତା ଗିରି ଓ ପୂର୍ଣ୍ଣିମା ଗିରି ପଢୁଥିବା ଉଚ୍ଚ ବିଦ୍ୟାଳୟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିବା ସହିତ ୧ କୋଟି ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି ଯେ ଉଭୟ ପୂର୍ଣ୍ଣିମା ଓ ସବିତା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବେ।

Advertisment

ସବିତା ଓ ପୂର୍ଣ୍ଣିମା ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ନିପାଣିଆ ଘାଟରେ ଏକ ଡଙ୍ଗା ବୁଡି ଘଟଣାରେ ଏହି ଦୁଇଜଣ ଯାତ୍ରୀ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଏହି ଦୁଇ ଭଉଣୀଙ୍କୁ ଲୋକସେବା ଭବନରେ ସମ୍ମାନିତ କରିଥିଲେ। ଆଜି ସେମାନେ ସାହସିକତା ପୁରସ୍କାର ପାଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହିତ ସେମାନେ ପଢୁଥିବା ଉଚ୍ଚ ବିଦ୍ୟାଳୟରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି। ସାଧାରଣ ସମୟରେ ଏହା ଏକ ସ୍କୁଲ ଭାବରେ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳ ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।