ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ବାବଦରେ କେନ୍ଦ୍ରକୁ ମାଗିଲେ ୧୬,୨୩୫ କୋଟି

ଭୁବନେଶ୍ବର : ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ଦୁର୍ବିପାକ ନିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ୧୬ ହଜାର ୨୩୫ କୋଟି ଟଙ୍କାର ସହାୟତା ମାଗିଛନ୍ତି। ଏଥିରେ ବିଦ୍ୟୁତ୍‌ ଭିତ୍ତିଭୂମି, ଲୁଣା ବନ୍ଧ ଓ ବାସ ଗୃହ ବାବଦରେ ବିନିଯୋଗ କରିବାକୁ ପ୍ରସ୍ତାବ ରଖାଯାଇଛି। ଏହି ଅର୍ଥ ଭାରତ ସରକାର ନୂଆ କରି ଗଠନ କରିଥିବା ଜାତୀୟ ବିପର୍ଯ୍ୟୟ ସହାୟତା ଓ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏମ୍‌ଏଫ୍‌)ରୁ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

ଗତମାସ ୨୧ ତାରିଖରେ ଅମ୍ପାନ୍‌ ବାତ୍ୟା ଯୋଗୁଁ ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଶ୍ଚିମବଙ୍ଗର କ୍ଷୟକ୍ଷତି ବୁଲି ଦେଖିଥିଲେ। ପରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୫୦୦ କୋଟି ଟଙ୍କା ଅଗ୍ରୀମ ସହାୟତା ଘୋଷଣା କରିଥିଲେ। ଚଳିତମାସ ୩ ତାରିଖରେ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଦୁଇଦିନ ଧରି କ୍ଷତିଗ୍ରସ୍ତ ହୋଇଥିବା ୪ଟି ଜିଲ୍ଲା ବୁଲି ଦେଖିବା ପରେ ଗତ ୫ ତାରିଖରେ ରାଜ୍ୟ ସରକାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଭବିଷ୍ୟତରେ ଏସବୁ ଜିଲ୍ଲାଗୁଡ଼ିକରେ ଦୁର୍ବିପାକ ଜନିତ କ୍ଷୟକ୍ଷତି କମାଇବା ପାଇଁ ରାଜ୍ୟ ସରକାର ପ୍ରାଥମିକ ଆକଳନ କରି କେନ୍ଦ୍ରୀୟ ଟିମ୍‌ ଆଗରେ ୨୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଥିଲେ। ତେବେ ସପ୍ତାହକ ଭିତରେ ଚୂଡ଼ାନ୍ତ ରିପୋର୍ଟ୍‌ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ବିଦ୍ୟୁତ୍‌ ବିଭାଗ ରିପୋର୍ଟ୍‌ ଦେବାରେ ବିଳମ୍ବ କରିବାକୁ କେନ୍ଦ୍ରକୁ ସହାୟତା ମାଗିବାରେ ବିଳମ୍ବ ଘଟିଥିଲା।

ତେବେ ଏସ୍‌ଆର୍‌ସି ପଠାଇଥିବା ଚୂଡ଼ାନ୍ତ ରିପୋର୍ଟ ଅନୁଯାୟୀ, ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ବାବଦରେ ୧୧ ହଜାର ୧୧୪ କୋଟି ଟଙ୍କା ମଗାଯାଇଛି। ଏହାସହିତ ଗ୍ରାମୀଣ ଅଞ୍ଚଳରେ ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ ବାବଦରେ ୪ ହଜାର ୧୫୨ କୋଟି, ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଅନୁଯାୟୀ ଲୁଣା ବନ୍ଧ ସୃଷ୍ଟି ଓ ରକ୍ଷଣାବେକ୍ଷଣ ପାଇଁ ୭୬୭ କୋଟି ଓ ରିଲିଫ୍‌ ପୁନରୁଦ୍ଧାର ବାବଦରେ ୨୦୧ କୋଟି ୯୭ ଲକ୍ଷ ଟଙ୍କା ମଗାଯାଇଛି।

ସମ୍ବନ୍ଧିତ ଖବର