ତିତ୍‌ଲି ମୃତ୍ୟୁ ସଂଖ୍ୟା ୭୭ ଛୁଇଁଲା : କେନ୍ଦ୍ରୀୟ ଦଳ ଆସିବା ନେଇ ଖବର ନାହିଁ

୨୫ ଯାଏଁ ଗଜପତି ଜିଲ୍ଲାରେ ୧୦ ଅଧିକାରୀ ରହିବେ

ଭୁବନେଶ୍ବର : ପ୍ରଳୟଙ୍କରୀ ଝଡ଼ବାତ୍ୟା ତିତଲି ଏବଂ ପରବର୍ତୀ ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ଆଜି ସୁଦ୍ଧା ୭୭ ଛୁଇଁଛି। ଇତି ମଧ୍ୟରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୧୨୯୫ କୋଟି ୫୫ ଲକ୍ଷ ଟଙ୍କା ଆବଣ୍ଟନ କରିସାରିଲେଣି। କିନ୍ତୁ କେନ୍ଦ୍ରୀୟ ଦଳ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଗସ୍ତ କରିବା ଦୂରର କଥା ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ସ୍ବତନ୍ତ୍ର ରିଲିଫ କମିସନର ଦେଇଥିବା ପତ୍ରର କୌଣସି ଜବାବ କେନ୍ଦ୍ର ସରକାର ଦେଇନାହାନ୍ତି।

ଉପ ସ୍ବତନ୍ତ୍ର ରିଲିଫ କମିସନର ପ୍ରଭାତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ତିତଲି ଯୋଗୁଁ ଆଜି ସୁଦ୍ଧା ୫୮ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାଛଡ଼ା ୧୯ଜଣ ବ୍ୟକ୍ତି ନିଖୋଜ ରହିଥିବା ନେଇ ତଦନ୍ତ କରାଯାଉଛି। ବାତ୍ୟା, ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସହିତ ଉଜୁଡ଼ି ଯାଇଥିବା ଚାଷ, ଘରଭଙ୍ଗା, ରିଲିଫ ଓ ପୁନରୁଦ୍ଧାର ନିମନ୍ତେ ବିଭିନ୍ନ ସଂପୃକ୍ତ ବିଭାଗ ଓ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୧୨୯୫.୫୫ କୋଟିର ସହାୟତା ଆବଣ୍ଟନ କରାଯାଇଛି।

କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କ ସମ୍ଭାବ୍ୟ ବାତ୍ୟାଞ୍ଚଳ ଗସ୍ତ ସଂପର୍କରେ ସେ କହିଲେ ଯେ ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି କ୍ଷୟକ୍ଷତି ସଂପର୍କରେ ବିଶଦ ସୂଚନା ଦେଇଛନ୍ତି। ରିଲିଫ ଓ ଥଇଥାନ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଏକ ହଜାର କୋଟିର ଅନ୍ତରୀଣ ସହାୟତା ‌ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି। ଅନୁରୂପ ଭାବେ ୧୮ ତାରିଖରେ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ବାତ୍ୟା କ୍ଷୟକ୍ଷତି ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରୋଟୋକଲ୍‌ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅର୍ଥ, ସ୍ବରାଷ୍ଟ୍ର ଓ କୃଷି ମନ୍ତ୍ରଣାଳୟ ସହିତ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ସବ୍‌ କମିଟି ଓଡ଼ିଶା ଗସ୍ତ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କିନ୍ତୁ ଏ ନେଇ ରାଜ୍ୟ ସରକାରଙ୍କ ନିକଟକୁ ‌େକନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ କୌଣସି ସୂଚନା ମିଳିନାହିଁ।

୨୫ ଯାଏଁ ଗଜପତି ଜିଲ୍ଲାରେ ୧୦ ଅଧିକାରୀ ରହିବେ

ଭୁବନେଶ୍ବର : ଗଜପତି ଜିଲ୍ଲାରେ ଭୀଷଣ ବାତ୍ୟା ତିତଲି ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୧୦ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଇତି ମଧ୍ୟରେ ସେମାନଙ୍କର ରହଣି କାଳ ଶେଷ ହେଉଥିବାରୁ ଏହାକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବା ଆସନ୍ତାକାଲି ଯାଏଁ ବୃଦ୍ଧି କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ସେହି ଅଧିକାରୀମାନେ ହେଉଛନ୍ତି ଗଙ୍ଗାଧର ନାୟକ, ବିନୋଦ କୁମାର ଜେନା, ଆଶୁତୋଷ ସାମଲ, ଲକ୍ଷ୍ମୀକାନ୍ତ ସେଠୀ, ସନ୍ତୋଷ ପ୍ରଧାନ, ରାଜୀବ ସିଂହ, ରଂଜନ ବିଶ୍ବାଳ, ବିଶ୍ବଜିତ୍‌ ବର୍ମନ ଓ ସୁକାନ୍ତ ମାଝୀ।

ସମ୍ବନ୍ଧିତ ଖବର