ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଯୋଗୁଁ ୫୨ ଜଣଙ୍କ ମୃତ୍ୟୁ ଘଟିଛି: ମୁଖ୍ୟ ସଚିବ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଯୋଗୁଁ ରାଜ୍ୟରେ ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିଭଳି ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକିୟା ଜାରି ରହିଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାତ୍ୟା ଓ ବନ୍ୟା ପରବର୍ତ୍ତୀ ମୁକାବିଲା ସଂପର୍କୀତ ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ସଚିବ କହିଛନ୍ତି, ତିତ୍‌ଲି ପ୍ରଭାବରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣ, ଗଞ୍ଜାମ ଜିଲ୍ଲାରେ ୧୨ ଜଣ ଓ କନ୍ଧମାଳ ଜିଲ୍ଲାରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଛି।

ପାଢ଼ୀ କହିଛନ୍ତି, ବାତ୍ୟା ଓ ବନ୍ୟା ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ୨୨ ଶହ କୋଟି ଟଙ୍କା କ୍ଷତି ହୋଇଛି। ରାସ୍ତାଘାଟ କ୍ଷତିର ପରିମାଣ ପ୍ରାୟ ୫୦୦ କୋଟି ଟଙ୍କା ହେବ। ସେହିଭଳି ବିଦ୍ୟୁତ ବିଭାଗର ୧୩୩ କୋଟି ଟଙ୍କା କ୍ଷତି ହୋଇଛି। ଘର ନଷ୍ଟ ହୋଇ ୧୫୦ କୋଟି ଟଙ୍କା କ୍ଷତି ହୋଇଛି। ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର