ବାତ୍ୟା ତିିତ୍‌ଲି: ଆସନ୍ତାକାଲି ସୁଦ୍ଧା ନେବ ଭୟଙ୍କର ରୂପ

ଭୁବନେଶ୍ୱର: ବଙ୍ଗୋପସାଗର ଭିତରୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ‘ତିତ୍‌ଲି’ କଳିଙ୍ଗପାଟନମ୍‌ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ। ଏହି ସମୟରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିଲୋମିଟର ପବନର ବେଗ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ତିତ୍‌ଲି ଗୋପାଳପୁର ଠାରୁ ୪୯୦ କିଲୋମିଟର ଦୂରରେ ଅଛି। ପବନର ବେଗ ଘଣ୍ଟା ପିଛା ୧୨୫ କିଲୋମିଟରରେ ବହିବା ଆଶଙ୍କା ଦେଖାଯାଇଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ୧୩ଟି ଜିଲ୍ଲାପାଳର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

ବାତ୍ୟା ତିତ୍‌ଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଠାରୁ ୪ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଏହି ଜିଲ୍ଲା ଗୁଡ଼ିକରେ ସ୍କୁଲ ଗୁଡ଼ିକ ବନ୍ଦ ରହିବ। ସେ କହିଛନ୍ତି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରହିବ।

ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ହେବ। ବୁଧବାର ଓ ଗୁରୁବାର ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସଜୀବୀମାନଙ୍କୁ ବାରଣ କରାଯାଇଛି। ବାତ୍ୟା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଉପକୂଳ ଲୋକଙ୍କୁ ଚିହ୍ନଟ କରି ସ୍ଥାନାନ୍ତର କରିବାକୁ ଏସ୍‌ଆରସିଙ୍କ ଚିଠିରେ ନିର୍ଦ୍ଦେଶ ହୋଇଛି। ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉ। ବୟସ୍କ, ମହିଳା, ଶିଶୁ ଓ ଦିବ୍ୟାଙ୍ଗମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉ। ସେହିଭଳି ଆଶ୍ରୟସ୍ଥଳରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଓ ପାନୀୟଜଳ ମହଜୁଦ ରଖିବା ପାଇଁ କୁହାଯାଇଛି। ସେହିଭଳି ଅନ୍ୟ ଜିଲ୍ଲାପାଳମାନଙ୍କୁ ମଧ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। କଣ୍ଟ୍ରୋଲ୍‌ ରୁମ୍‌ ମାଧ୍ୟମରେ ଲୋକଙ୍କୁ ବାତ୍ୟା ସଂପର୍କୀତ ସୂଚନା ଦିଆଯିବ। ଏଥିପାଇଁ ହେଲପ୍‌ଲାଇନ୍‌ ନମ୍ବର ୧୮୦୦୩୪୫୦୦୬୧, (୦୬୭୪) ୨୪୩୨୨୮୧ ଜାରି ହେବ।

ସମ୍ବନ୍ଧିତ ଖବର