ଗଜପତିରେ ତିନି ମନ୍ତ୍ରୀଙ୍କ ସମୀକ୍ଷା : ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାମ ଆରମ୍ଭ

୨୪ ଘଣ୍ଟା ମଧ୍ୟରେ ଦୂର ହେବ ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟା

ପାରଳାଖେମୁଣ୍ତି : ତିତଲି ବାତ୍ୟାର ତାଣ୍ଡବରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ କରିବା ପାଇଁ ଆଜି ଏଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀସ୍ତରୀୟ କମିଟିର ୩ ଜଣ ସଦସ୍ୟ ମହେଶ୍ବର ମହାନ୍ତି, ନିରଞ୍ଜନ ପୂଜାରୀ, ସୁଶାନ୍ତ ସି˚ ଯୋଗ ଦେଇଥିଲେ।

ଜିଲ୍ଲାରେ କେତେକ’ଣ କ୍ଷୟକ୍ଷତି ହୋଇଛି ସମୀକ୍ଷା ବୈଠକରେ ତାହାର ଆକଳନ କରାଯାଇଥିଲା। ବୈଠକରୁ ଜଣାପଡ଼ିଛି ଯେ, ଜିଲ୍ଲା‌େର ୫ ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ୩୩ କେଭିର ୧୪ଟି ଗ୍ରୀଡ କ୍ଷତିଗ୍ରସ୍ତ ହୋଇଛି । ଏଣୁ, ଜିଲ୍ଲା ପାଇଁ ଏକ ବଡ଼ ସମସ୍ୟା ଭାବେ ମୁଣ୍ତ ଟେକିଛି । ଏହାକୁ ସୁଧାରିବା ପାଇଁ ରାଜ୍ୟ ସରକାର ପୁରା ଦମରେ ଲାଗି ପଡ଼ିଛନ୍ତି । ବିଶେଷକରି ପାରଳାଖେମୁଣ୍ତି ସହରରେ ଆଜି ସନ୍ଧ୍ୟା ସୁଦ୍ଧା ୬୦ ହଜାର ପରିବାରକୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ପ୍ରଚେଷ୍ଟା ଚାଲିଛି। ଏଥିପାଇଁ ୧୫୦ କର୍ମଚାରୀ ଓ ବାହାରୁ ଆସିଥିବା ୨୦୦ କର୍ମଚାରୀ ସମୁଦାୟ ୩୫୦ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି।

ଆସନ୍ତାକାଲି, ଆଉ ୩୦୦ କର୍ମଚାରୀ ବାହାର ଜିଲ୍ଲାରୁ ଆସି କାର୍ଯ୍ୟରେ ଯୋଗ ଦେବେ । ପ୍ରଥମ ପର୍ଯ୍ୟାୟରେ ପାରଳାଖେମୁଣ୍ତି ସହରକୁ ବିଦ୍ୟୁତ ସେବା ଆରମ୍ଭ କରିବା ପରେ ପରବର୍ତ୍ତୀ ସମୟରେ ଜିଲ୍ଲାର ସମସ୍ତ ଜାଗାରେ କାର୍ଯ୍ୟ ଆରମ୍ଭ କରିବେ କର୍ମଚାରୀମାନେ । ଜିଲ୍ଲାର ସମସ୍ତ ବ୍ଲକରେ ପ୍ରତ୍ୟେକ ଦିନ ୧୦ ହଜାର ପରିବାରଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ ବିଭାଗର କର୍ମଚାରୀ କାର୍ଯ୍ୟ ଜାରି ରଖିବେ ବୋଲି ବୈଠକରୁ ଜଣାପଡ଼ିଛି।

ଅନ୍ୟମାନଙ୍କ ମଧ୍ୟରେ, ଯୋଜନା ବୋର୍ଡର ସଦସ୍ୟ ରାମଚନ୍ଦ୍ର ପଣ୍ତା, ସା˚ସଦ ସିଦ୍ଧାନ୍ତ ମହାପାତ୍ର, ଆର.ଡି.ସି ଆପାଙ୍ଗ ଆଓ, ଜିଲ୍ଲା ଦାୟିତ୍ବରେ ଥିବା ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ, ପାରଳାଖେମୁଣ୍ତି ବିଧାୟକ କେ ସୂରିଆ ରାଓ , ମୋହନା ବିଧାୟିକା ବାସନ୍ତୀ ମଲିକ, ଜିଲ୍ଲାପାଳ ଅନୁପମ ସାହା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର