ଭୁବନେଶ୍ବର : ମହାବାତ୍ୟା ‘ତିତିଲି’ ପାଇଁ ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। କୌଣସି ସ୍ଥାନରେ ଯେପରି ଅଘଟଣ ନ ଘଟେ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ବି‌େଶଷକରି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଭଳି ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାରେ ପୁଲିସ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ପୁଲିସ ସମସ୍ତ ପ୍ରକାର ସହଯୋଗ କରିବ।

Advertisment

ପୁଲିସ ଡିଜି ଶ୍ରୀ ଶର୍ମାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଯେ କୌଣସି ସ୍ଥାନରେ ଅଘଟଣ ଖବର ପାଇବା ପରେ ପୁଲିସ ପକ୍ଷରୁ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସ୍‌ପିଙ୍କୁ ନି‌େର୍ଦଶ ହୋଇଛି। ବିଶେଷକରି ମହାବାତ୍ୟା ରାତିରେ ଚୋରି, ଲୁଟପାଟ, ଦୁର୍ଘଟଣା ଭଳି ଘଟଣା ଘଟିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ କୁହାଯାଇଛି। ଆବଶ୍ୟକ ହେଲେ ଜିଲ୍ଲା ଏସ୍‌ପିମାନେ ଜରୁରୀକାଳୀନ ବୈଠକ ଡକାଇ ବାତ୍ୟା ମୁକାବିଲା ସମ୍ପର୍କରେ ଆଲୋଚନା କରିବାକୁ କୁହାଯାଇଛି। ଓଡ୍ରାଫ, କୋଷ୍ଟଗାର୍ଡ, ଅଗ୍ନିଶମ ଓ ଏନ୍‌ଡିଆର୍ଏଫ୍ କର୍ମଚାରୀଙ୍କ ସହିତ ମିଶି ପୁଲିସ କାମ କରିବେ।

ମହାବାତ୍ୟା‌ ସମୟରେ ବିଦ୍ୟୁତ୍‌ କାଟ ହେବାର ଆଶଙ୍କା ରହିଛି। ତେଣୁ ପୁଲିସ ସହ ଯୋଗାଯୋଗ ପାଇଁ ସମସ୍ତ ଥାନାରେ ଥିବା ଭିଏଚ୍ଏପ୍ ମେସିନକୁ ଆଗୁଆ ଚାର୍ଜ କରିନେବେ, ପୁଲିସ ଗାଡ଼ିରେ ତେଲ ଭରି ରଖିବାକୁ କୁହାଯାଇଛି। ଏହାଛଡ଼ା ଟର୍ଚ୍ଚ ବ୍ୟାଟେରି ମହଜୁଦ୍ ରଖିବା ସହିତ ଥାନାରେ କିଛି ଶୁଖିଲା ଖାଦ୍ୟ ସହିତ ରିଲିଫ ରଖିବାକୁ କୁହାଯାଇଛି। ଥାନାଧିକାରୀଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ସେମାନଙ୍କ ମୋବାଇଲ୍ ଫୋନ୍ ଚାର୍ଜ ରଖିବା ସହିତ ଆବଶ୍ୟକ ହେଲେ ଅନ୍ୟ ସିମ୍ ବ୍ୟବହାର କରିବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ହୋଇଛି।

ସେହିପରି କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ପୁଲିସ କଂଟ୍ରୋଲ ରୁମ୍ କର୍ମଚାରୀ ସର୍ବଦା ସତର୍କ ରହିବେ। କୌଣସି ସ୍ଥାନରେ ଅଘଟଣ ଖବର ପାଇବା ମାତ୍ରେ ପିସିଆର ଭ୍ୟାନ୍ ତୁରନ୍ତ ସେଠାରେ ପହଞ୍ଚି ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ କରିବା ପାଇଁ ଉଦ୍ୟମ କରିବେ। ଓଡ୍ରାଫ, ଏନ୍‌ଡିଆରଏଫ୍ ଟିମ୍ ସହିତ ମିଳିତ ଭାବେ କାମ କରିବ କମିସନରେଟ ପୁଲିସ। ଏଥିପାଇଁ ୬ଜଣିଆ ଓଡ୍ରାଫ ଟିମ୍ ସହ ୨ଟି କ୍ଲିଅରାନ୍ସ ଟିମ୍, ଗୋଟିଏ ଏନଡିଆରଏଫ ଟିମ୍ କମିସନରେଟ ପୁଲିସ ଅଧୀନରେ ମୁତୟନ ହେବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଜନସାଧାରଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ପୁଲିସ କ‌‌େଣ୍ଟ୍ରାଲ ରୁମ୍‌ ‘୧୦୦’ ନଚେତ୍‌ ମୋ: ୮୨୮୦୩୩୮୩୩୨ରେ ଯୋଗାଯୋଗ କରିପାରିବେ ସେହିପରି ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ୧୫ଟି ଟିମ୍ ଗଠନ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।