ଭୁବନେଶ୍ବର: ଗତ କିଛି ଦିନ ପୂର୍ବରୁ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତ ୨୦ ତାରିଖରେ ଲଘୁଚାପ କେନ୍ଦ୍ରରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବ ଏବଂ ୨୩ ତାରିଖ ସୁଦ୍ଧା ତୀବ୍ର ଅବପାତ ରୂପ ନେବ। ୨୪ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଓଡ଼ିଶା ଉପୂକଳ ଦେଇ ଏହା ଗତି କରି ୨୫ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Advertisment

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଓଡ଼ିଶାର ଧାମରାଠାରୁ ଉପରେ ଦକ୍ଷିଣ-ପୂର୍ବ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ। ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କିଛି ଅଞ୍ଚଳରେ ଘଣ୍ଟା ପିଛା ୫୦ କିମି ବେଗରେ ପବନ ବୋହିପାରେ। ଏହାର ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି। ଗତ କିଛି ଦିନ ହେଲା ବାତ୍ୟାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲା।  ଲୋକେ ବାତ୍ୟାକୁ ନେଇ ଚିନ୍ତିତ ଥିଲେ। ଏବେ କିନ୍ତୁ ଜଣାପଡ଼ିଛି ଯେ, ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବାତ୍ୟାର ଗତିପଥର ରୂପ ଆସିଛି। ଓଡ଼ିଶାର ଉପକୂଳରେ ସେହିଭଳି କ୍ଷତି କରିବା ଭଳି ସୂଚନା ମିଳୁ ନାହିଁ। ଓଡ଼ିଶା ଉପକୂଳର ୨୦୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ। ଏହାର ପ୍ରଭାବରେ ଘଣ୍ଟା ପିଛା ୪୦ରୁ ୫୦ କିମି ବେଗରେ ପବନ ହେବ। ତେଣୁ ଜନସାଧାରଣ ଆତଙ୍କିତ ହେବାର କାରଣ ନାହିଁ।

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ୮ଟି ଜିଲ୍ଲାର ପ୍ରଶାସନ ସଚେତନ ଅଛି। ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ କଥା ହୋଇଛି। ଦମକଳ ବାହିନୀ, ଓଡ୍ରାଫ, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ ଓ ନେଭି ପ୍ରସ୍ତୁତ ଅଛନ୍ତି। ସରକାର ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ମତ୍ସ୍ୟଜୀବୀମାନେ ଆସନ୍ତାକାଲି ସକାଳ ସୁଦ୍ଧା ସମୁଦ୍ର ଭିତରୁ ଫେରି ଆସିବା ପାଇଁ ଅନୁରୋଧ କରାଯାଇଛି। ସେମାନେ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି ଏସ୍‌ଆରସି କହିଛନ୍ତି।