ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟା ଯୋଗୁଁ ବିଳମ୍ବିତ ହେବ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ : ସ୍କାଏମେଟ୍

ଭୁବନେଶ୍ବର : ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦେଶର ଅଧିକାଂଶ ଭାଗରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ହୋଇଯାଇଥିବ । କିନ୍ତୁ ଆସନ୍ତା ଦୁଇଦିନରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆଉ କିଛିଦିନ ବିଳମ୍ବିତ ହୋଇପାରେ ।

ସ୍କାଏମେଟର ଆକଳନ ଅନୁସାରେ ଆସନ୍ତା ୨୪ରୁ ୪୮ ଘଣ୍ଟାରେ ମୌସୁମୀ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ଗୁଜୁରାଟ ଓ ମଧ୍ୟପ୍ରଦେଶର ଅଧିକାଂଶ ଭାଗରୁ ପ୍ରତ୍ୟାହୃତ ହୋଇଯିବ । ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମବଙ୍ଗ, ଓଡ଼ିଶାର କିଛି ଅଂଶ ଓ ମହାରାଷ୍ଟ୍ରରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ମୌସୁମୀର ପ୍ରତ୍ୟାବର୍ତ୍ତନକୁ ପ୍ରଭାବିତ କରିବ, ଫଳରେ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆଉ କିଛିଦିନ ବିଳମ୍ବିତ ହୋଇପାରେ ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଓ ପରବର୍ତ୍ତୀ ଦୁଇ ଦିନରେ ଏହା ପଶ୍ଚିମ-ଦିଗରେ ଗତି କରିବା ସହ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ-ଚୀନ ସାଗରରେ ସୃଷ୍ଟ ବାତ୍ୟା ଆସନ୍ତା ୧୭ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହୋଇ ବଙ୍ଗୋପସାଗରରେ ପ୍ରବେଶ କରିଥିବ ।

 

ସମ୍ବନ୍ଧିତ ଖବର