ଦଳିତ ବୋଲି କେହି ଆଶ୍ରା ଦେଲେନି

ବଞ୍ଚିବା ପାଇଁ ବୁଲିଥିଲେ ବାରଦୁଆର, ଉଜୁଡା ସଂସାରକୁ ଧରି ଗଛମୂଳେ ପରିବାର

ପୁରୀ (ଗଦାଧର ପଣ୍ଡା): ୩ ତାରିଖ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ତାଣ୍ଡବରେ ଥରହର ହେଉଥିଲେ ଜିଲ୍ଲାବାସୀ। ବଞ୍ଚିବା ପାଇଁ ଯିଏ ଯେମିତି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ। ପ୍ରାଣ ବିକଳରେ ସୁରକ୍ଷିତ ଆଶ୍ରୟ ଖୋଜୁଥିଲେ। ବିପତ୍ତି ଓ ଆସନ୍ନ ମୃତ୍ୟୁ ଭୟରେ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ହୋଇ ଯାଇଥିଲେ ଏକାକାର। ମାତ୍ର ନିଜକୁ ସଭ୍ୟ ବୋଲାଉଥିବା ମଣିଷ ଭୟଙ୍କର ବିପତ୍ତି ବେଳେ କୁତ୍ସିତ ଜାତିଆଣ ଭେଦଭାବକୁ ଭୁଲିନଥିଲା। ଉଚ୍ଚ ଜାତି ବୋଲି ଗର୍ବରେ ଚିତ୍କାର କରୁଥିଲା, ପ୍ରାଣ ବିକଳରେ ଆଶ୍ରୟ ପାଇଁ ଧାଇଁ ଆସିଥିବା ୪ଟି ଦଳିତ ପରିବାରକୁ ଘର ପିଣ୍ଡା ଯାଏ ବି ଉଠିବାକୁ ଦେଇନଥିଲା। ବାତ୍ୟା ସମୟରେ ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଚନ୍ଦନପୁର ନିକଟସ୍ଥ ବୀରରାମଚନ୍ଦ୍ରପୁର ପାଟେଳି ବିରିପଡିଆ ଗାଁରେ ୪ଟି ଦଳିତ ପରିବାର ଏଭଳି ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ଘର ମାଟିରେ ମିଶିଯାଇଛି। ଉଜୁଡା ସଂସାରକୁ ଧରି ବାତ୍ୟାରେ ଉପୁଡି ପଡ଼ିଥିବା ଏକ ବରଗଛ ତଳେ ଏହି ପରିବାରଗୁଡ଼ିକ ଆଶ୍ରୟ ନେଇଛନ୍ତି। ରାତିରେ କିଟିମିଟି ଅନ୍ଧାର ଏବଂ ସରୀସୃପଙ୍କ ଆତଯାତ ମଧ୍ୟରେ ଗଛ ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି।

ସେଦିନ ମୃତ୍ୟୁକୁ ଅତି ପାଖରୁ ସାମ୍ନା କରିଥିବା ରିଲା ମଲ୍ଲିକ, ଚମ୍ପା ମଲ୍ଲିକ, ତ୍ରିନାଥ ମଲ୍ଲିକ, ସୁଶାନ୍ତ ମଲ୍ଲିକ ଓ ମୀନା ମଲ୍ଲିକଙ୍କ ଲୋମଟାଙ୍କୁରା ବୟାନ ଥିଲା ଏମିତି। ୩ ତାରିଖ ସକାଳୁ ସକାଳୁ ଆରମ୍ଭ ହୋଇଗଲା ଝଡ଼ବାତ୍ୟା। ସକାଳ ୮ଟା ବେଳକୁ ପବନର ବେଗ ବଢିଥିଲା। ୯ଟା ବେଳକୁ ପବନ ଭୟଙ୍କର ଗର୍ଜନ କରିବା ସହ ଘର ଛପର ସବୁ ଉଡାଇ ନେଇଗଲା। ଜୀବନ ବିକଳରେ ଆଶ୍ରୟ ନେବାକୁ ଗାଁର କିଛି ‌ଲୋକଙ୍କ କୋଠା ଘରକୁ ଧାଇଁଥିଲୁ। ହେଲେ କେହି କବାଟ ଖୋଲିଲେନି। ଗାଁ ପାଖରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଘରକୁ ଦୌଡିଥିଲୁ। ମାତ୍ର ସବୁଠି ମିଳିଥିଲା ତିରସ୍କାର। ‘ଫନି’ର ଏହି ମହାପ୍ରଳୟରେ ଲୋକେ ଜୀବନ ସହ ସଂଘର୍ଷ କରୁଥିବା ବେଳେ କିଛି ଉଚ୍ଚ ଜାତିର ଲୋକ ଜାତିଭେଦ କଥା ଭୁଲି ନଥିଲେ। ୪ ଦଳିତ ପରିବାରଙ୍କୁ କେଉଁଠି ବି ଟିକେ ଆଶ୍ରୟ ମିଳିନଥିଲା। ନୀଚ ଜାତି ଏଠି ରହିପାରିବେନି କହି ଦଳିତ ପରିବାରଙ୍କୁ କେହି ଆଶ୍ରୟ ଦେଇନଥି‌‌ଲେ। ଏପରିକି ଏଭଳି ଦୁର୍ଦିନ ସମୟରେ କିଛି ଲୋକ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଆଜିକୁ ୬ ଦିନ ହେଲା ଉପୁଡିଥିବା ଏକ ବରଗଛ ତଳେ ଏହି ୪ଟି ପରିବାର ଆଶ୍ରୟ ନେଇଛନ୍ତି। ୩ ଦିନ ପରେ ସେମାନଙ୍କୁ ଭାତ ଦି ଗୁଣ୍ଡା ମିଳି‌ଥିଲା ବୋଲି ଗାଁର ଏହି ଦଳିତ ପରିବାର କାନ୍ଦିକାନ୍ଦି କହିଛନ୍ତି।

ସମ୍ବନ୍ଧିତ ଖବର