୧୯ରେ ବାତ୍ୟା ଆଶଙ୍କା

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୪୮ ଘଣ୍ଟାରେ ଲଘୁଚାପ

ଦକ୍ଷିଣ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, ପବନର ବେଗ ୬୫ କି.ମି. ଟପିପାରେ

ଭୁବନେଶ୍ୱର : ଅକ୍ଟୋବର ମାସ ଆସିଲେ ଓଡ଼ିଶାର ଉପକୂଳବାସୀଙ୍କ ମନରେ ସଞ୍ଚରିଉଠେ ଅଜଣା ଆତଙ୍କ। ୧୯୯୯ର ମହାବାତ୍ୟା, ୨୦୧୨ ଅକ୍ଟୋବର ୧୨ ତାରିଖର ଫାଇଲିନ୍‌, ୨୦୧୪ ଅକ୍ଟୋବର ୧୨ର ହୁଡ୍‌ହୁଡ୍‌ ଆଦି ବାତ୍ୟାର କଥା ମନକୁ ଆସିଥାଏ। ମନରେ ଆପେ ଆପେ ପ୍ରଶ୍ନ ଉଙ୍କିମାରେ- ଏଥର ବାତ୍ୟା ହେବନି ତ? ଚଳିତ ବର୍ଷ ମଧ୍ୟ ଉପକୂଳବାସୀଙ୍କ ମନରେ ଏଭଳି ବାତ୍ୟାର ଭୟକୁ ବଢ଼ାଇ ଦେଇଛି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ। ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ଆସିବ ବୋଲି ସିଧାସଳଖ ଭାବେ କୁହାଯାଇନଥିଲେ ବି ଏହାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କୁହାଯାଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଯୋଗୁ ଏପରି ଆଶଙ୍କା କରାଯାଉଛି। ତେବେ ଆସନ୍ତା ୧୭ ତାରିଖ ବେଳକୁ ଏହାର ରୂପରେଖ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଚେନ୍ନାଇ ଉପକୂଳର ପୂର୍ବ ଦିଗରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ। ଲଘୁଚାପର ରୂପ ନେବା ପରେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ସ୍ଥାନାନ୍ତରିତ ହେବ। ପରବର୍ତୀ ୨୪ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ୧୯ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳକୁ ଗତି କରିବାର ସମ୍ଭାବନା ଅଧିକ। ସେତେବେଳକୁ ପବନର ବେଗ ଘଣ୍ଟାକୁ ୬୫ କି.ମି.ରୁ ଅଧିକ ରହିବ। ଅବପାତ ଘନୀଭୂତ ହେବା ପୂର୍ବରୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବା ସହିତ ପବନର ବେଗ ମଧ୍ୟ ଅଧିକ ରହିବ।

ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ଆସିବ ବୋଲି ସିଧାସଳଖ ଭାବେ କୁହାଯାଇନଥିଲେ ବି ଏହାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କୁହାଯାଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଯୋଗୁ ଏପରି ଆଶଙ୍କା କରାଯାଉଛି। ଅବପାତ ଘନୀଭୂତ ହେବା ପୂର୍ବରୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

ନିର୍ଦେଶକ ଡ. ସାହୁଙ୍କ କହିବାନୁସାରେ ଏବେଠାରୁ ବାତ୍ୟା ନେଇ ପୂର୍ବାନୁମାନ କରିବା ସମ୍ଭବପର ନୁହେଁ। ୧୭ ତାରିଖ ବେଳକୁ ଏ ନେଇ ସ୍ପଷ୍ଟ ଚିତ୍ର ମିଳିପାରିବ। ତେବେ ଅବପାତ ଘନୀଭୂତ ହେବା ବେଳକୁ ଉପକୂଳରେ ପବନର ବେଗ ଘଣ୍ଟାକୁ ପ୍ରାୟ ୬୫ କି.ମି. ପର୍ଯ୍ୟନ୍ତ ରହିବ ବୋଲି ସେ କହିଛନ୍ତି। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣରେ ପ୍ରବଳ ବର୍ଷା ହେବ।

କିଛି ସ୍ଥାନରେ ବର୍ଷାର ପରିମାଣ ୧୨୦ ମିଲିମିଟରରୁ ଅଧିକ ହୋଇପାରେ। ୨୦ ତାରିଖ ବେଳକୁ ଘନୀଭୂତ ହୋଇଥିବା ଅବପାତ ସ୍ଥଳଭାଗକୁ ଗତି କରିବ। ଏଣୁ ୨୦ରେ ଆଭ୍ୟନ୍ତରୀଣ ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଆଦି ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ। ପୁଣି ଅବପାତଟି ସମୁଦ୍ର ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଡ. ସାହୁ।

ଅନ୍ୟପକ୍ଷରେ ୧୫ରୁ ୧୮ ତାରିଖ ଯାଏଁ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ। ବାୟୁମଣ୍ଡଳରେ ବର୍ତମାନ ଜଳୀୟବାଷ୍ପ ରହିଛି। ଏଣୁ ତାତି ସହିତ ଗୁଳୁଗୁଳି ବଢ଼ିଲେ, ୧୭ ତାରିଖ ପର୍ଯ୍ୟନ୍ତ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟା ମଧ୍ୟରେ ଦୈତାରିରେ ପ୍ରାୟ ୫୦ ମି.ମି. ବର୍ଷା ହୋଇଥିଲା। ଜାମଶୋଳାଘାଟ, ଦେବଗଡ଼ରେ ୩୦ ମି.ମି., ଚମ୍ପୁଆରେ ୨୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ୧୬ ମି.ମି. ବର୍ଷା ହୋଇଛି।

ସମ୍ବନ୍ଧିତ ଖବର