୩୬ ଘଣ୍ଟାରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ; ଓଡ଼ିଶାରେ ପବନ କମ୍‌, ବର୍ଷା ଅଧିକ

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ଆସନ୍ତା ୩୬ ଘଣ୍ଟାରେ ଘନୀଭୂତ ହୋଇ ଓଡ଼ିଶାକୁ ମୁହାଁଇବ। କିନ୍ତୁ ଏହା ଅଧିକ ଘନୀଭୂତ ହେବନାହିଁ, ଅବପାତରେ ସୀମିତ ରହିବ। ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ, ଅଧିକ ବେଗରେ ପବନ ବହିବାର ସମ୍ଭାବନା କ୍ଷୀଣ। ଅବଶିଷ୍ଟ ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ୧୭ରୁ ୧୯ ତାରିଖ ମଧ୍ୟରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆକଳନରୁ ଜଣାପଡ଼ୁଛି ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ୧୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ସେହି ସ୍ଥାନରେ ହିଁ ରହିବ। ୧୩ ତାରିଖରେ ଲଘୁଚାପ କ୍ଷେତ୍ର ହୋଇ ୧୫ତାରିଖରେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ୧୭ତାରିଖ ସକାଳେ ଅବପାତରେ ପରିଣତ ହୋଇ ୧୮ ସଂଧ୍ୟା ପର୍ଯ୍ୟନ୍ତ ସେହି ଅବସ୍ଥାରେ ରହିବ। ୧୭ସଂଧ୍ୟାରୁ ୧୮ ସଂଧ୍ୟା ମଧ୍ୟରେ ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନର ଆକଳନ କହୁଛି, ଏହି ସିଷ୍ଟମ ପୁରୀଠାରୁ ଦୀଘା ମଧ୍ୟରେ ଉପକୂଳ ସ୍ପର୍ଶ କରିବ। ଯଦି ପଶ୍ଚିମବଙ୍ଗମୁହାଁ ହୁଏ, ତେବେ ବି ଏହା ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବା ହେତୁ ରାଜ୍ୟରେ ପ୍ରଭାବ ରହିବ।

Bengal Daily

ରାଜ୍ୟରେ ୧୫ ତାରିଖରେ ଦକ୍ଷିଣ ଉପକୂଳ ଓ ୧୬ରେ ସମସ୍ତ ଉପକୂଳରେ ପାଗ ପରିବର୍ତ୍ତନ ହେବ। ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବ। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୭ରୁ ୧୯ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବାଲେଶ୍ବରରେ ଅତି ପ୍ରବଳ ବର୍ଷିବ। ରାଜ୍ୟର ବାକି ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ସଂଲଗ୍ନ ୪ଟି ଜିଲ୍ଲାରେ ସମୁଦାୟ ବର୍ଷା ୩୦୦ ମିମିରୁ ଅଧିକ ହୋଇପାରେ। ଉତ୍ତର ଭାରତ ମହାସାଗର ଓ ସଂଲଗ୍ନ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ତଥା ସେମାନଙ୍କ ଉପରିସ୍ଥ ବାୟୁମଣ୍ଡଳରେ ପାଗରେ ଶୀଘ୍ର ପରିବର୍ତ୍ତନ ସହ ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଥିବାରୁ ଆଗକୁ ଏହି ଆକଳନରେ ପରିବର୍ତ୍ତନ ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି। ତେବେ ଏନେଇ ଆସନ୍ତା ୧୪ ତାରିଖରେ ଅଧିକ ସଠିକ୍‌ କହି ହେବ ବୋଲି ସେ କହିଛନ୍ତି।

ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ଉତ୍ତର ଆଣ୍ଡାମାନ ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ। ଏହାପରେ ଏହା ଧୀରେଧୀରେ ଅଧିକ ଘନୀଭୂତ ହେବ ଓ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଗତି କରିବ।

ସମ୍ବନ୍ଧିତ ଖବର