ଭୁବନେଶ୍ବର : ବାତ୍ୟା ‘ୟାସ୍‌’ ଯେମିତି ଭୀଷଣ ରୂପ ଧାରଣ କଲା, ଠିକ୍ ସେମିତି ତାର ପ୍ରଭାବକୁ ନେଇ ବି ଆତଙ୍କ ସୃଷ୍ଟି ହୋଇଥିଲା ରାଜ୍ୟର ଅଧାରୁ ଅଧିକ ଅଞ୍ଚଳରେ। ଗଞ୍ଜାମ, ଗଜପତିଠାରୁ ବାଲେଶ୍ବର, ପଶ୍ଚିମବଙ୍ଗର ସାଗର ଦ୍ବୀପ, ବାଂଲାଦେଶ ପର୍ଯ୍ୟନ୍ତ ବିଶାଳ ଅଞ୍ଚଳକୁ ନେଇ ତନାଘନା ଚାଲିଲା। ପବନର ବେଗ, ପ୍ରକୋପ, କେତେ ଅଧିକ ଜିଲ୍ଲାକୁ ବରବାଦ କରିବ, ଏସବୁକୁ ନେଇ ଗତ ଚାରିଦିନ ଧରି ପାଣିପାଗ ବିଜ୍ଞାନୀ ତୁହାକୁ ତୁହା ଗଣମାଧ୍ୟମରେ ସୂଚନା ଦେଉଥିଲେ।

Advertisment

ରାଜ୍ୟ ସରକାର ବି ଏହାକୁ ନଜରରେ ରଖି ପୂର୍ବାନୁମାନ କରାଯାଇଥିବା ସବୁ ଜିଲ୍ଲାରେ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି। ହେଲେ ସେମିତି କିଛି ବଡ଼ ପ୍ରଭାବ ପଡ଼ିଲାନି ବାତ୍ୟା ‘ୟାସ୍‌’ର। ଅଳ୍ପ କିଛି ଅଞ୍ଚଳ ମଧ୍ୟରେ ବିପର୍ଯ୍ୟୟ ସୀମିତ ରହିଗଲା। ରାଜ୍ୟବାସୀ ଏବେ ଆଶ୍ବସ୍ତ।

publive-image The Hans India

ହେଲେ କାହିଁକି ‘ୟାସ୍‌’ ରହସ୍ୟମୟ ଆଚରଣ ପ୍ରଦର୍ଶନ କଲା, ତାହାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଜନ୍ମ ହେବା ବେଳଠାରୁ ଅନେକ ଦ୍ବନ୍ଦ୍ବ ଭିତରେ ବଢ଼ିଥିଲା। ଠୋସ୍ ଭାବେ ତାର ଚିତ୍ର, ଚରିତ୍ର, ବିଶାଳତା ନେଇ ଶେଷ ପର୍ଯ୍ୟନ୍ତ କେହି ସ୍ପଷ୍ଟ ଆକଳନ କରିପାରିଲେ ନାହିଁ, ଯେମିତି ଅନ୍ୟ ବାତ୍ୟା ମାନଙ୍କରେ ସଫଳ ଭାବେ କରିପାରୁଛନ୍ତି। ଏପରିକି ସେ ଓଡ଼ିଶା ସୀମା ଛାଡ଼ିବାକୁ ବସିଲାଣି, ତଥାପି ତାର ଗତିବିଧି, ଆକ୍ରମଣାତ୍ମକ ଆଭିମୁଖ୍ୟ, ପ୍ରଭାବିତ କରିବାକୁ ଥିବା ଅଞ୍ଚଳ ଆଦି ସବୁକଥା ସଂପର୍କରେ ପାଣିପାଗ ବିଜ୍ଞାନୀମାନଙ୍କର ପୂର୍ବାନୁମାନ ଏବଂ ବାତ୍ୟାର ଆଚରଣ ମଧ୍ୟରେ ଅନେକ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହେଉଛି।

ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ତାକୁ ନେଇ ବି କେହି ଏକମତ ହୋଇପାରିଲେନି। ଆରମ୍ଭରୁ ଶେଷଯାଏ ବିଭିନ୍ନ ପାଣିପାଗ ବିଜ୍ଞାନୀ ଭିନ୍ନ ଭିନ୍ନ ମତ ଦେଲେ। କିଏ କହିଲା ଭିତରକନିକା ପାଖରେ ମାଡ଼ ହେବ, ଆଉ କିଏ କହିଲେ ଭଦ୍ରକ-ବାଲେଶ୍ବର ମଧ୍ୟରେ। କିଏ ପୁଣି ଆକଳନ କରି କହିଲେ ରେମୁଣାଠାରୁ ଇଞ୍ଚୁଡି ମଧ୍ୟରେ ଏହା ସ୍ଥଳଭାଗକୁ ଛୁଇଁପାରେ। ଏସବୁ ଅଳ୍ପବହୁତେ ଠିକ୍ ହେଲା, କିନ୍ତୁ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ସବୁ ବାତ୍ୟା ଭଳି ଏ ବାତ୍ୟା କ୍ଷେତ୍ରରେ ଠୋସ୍ ଭାବେ କାହିଁକି ନିର୍ଦିଷ୍ଟ ସ୍ଥାନ ଆଙ୍କିପାରିଲେ ନାହିଁ, ତାହା ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରିଛି। ସେହିଳି ପବନର ବେଗ କେତେ ହେବ, ସେ ନେଇ ବି ଅନୁରୂପ ସ୍ଥିତି ସୃଷ୍ଟି ହେଲା।

publive-image

ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିଲା ‘ତାଉ-ତେ’ ଓ ‘ୟାସ୍‌’ ମଧ୍ୟରେ ପୂର୍ବାନୁମାନର ତୁଳନାତ୍ମକ ତର୍ଜମା ଚାଲିଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ମଙ୍ଗଳବାର ଦ୍ୱିପହର ପରଠାରୁ ବାତ୍ୟାରେ କେତେକ ପରିବର୍ତନ ଲକ୍ଷ୍ୟ କରାଯାଇଥିଲା ଏବଂ ଜଣାପଡ଼ୁଥିଲା ଯେ ବାତ୍ୟା ଘନୀଭୂତ ହେବା ନେଇ ପାଣିପାଗ ପ୍ରତିକୂଳ ରହିଛି। ବାତ୍ୟାର ଆଚରଣ ହେଲା, ଏହା ଯେତେ ଅଧିକ ଉପକୂଳର ନିକଟତର ହେବ, ସେ ସେତିକି କ୍ଷୀପ୍ର ଗତିରେ ମାଡ଼ିଚାଲିବ। ଠିକ୍ ସେୟା ହେଲା। ବାତ୍ୟା ଯେତେବେଳେ ସ୍ଥଳଭାଗକୁ ଛୁଇଁବା ଲାଗି ପ୍ରକ୍ରିୟା ଆରମ୍ଭ କଲା, ସେବେ ଘଣ୍ଟା ପ୍ରତି ୨୪ କିଲୋମିଟର ବେଗରେ ଏହା ଆଗକୁ ବଢ଼ିଲା।

ପାଣିପାଗ ବିିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ମତ ହେଲା, ଏନ୍‌ସିଇପି ଜିପିଏସ୍‌ ମଡ଼େଲ ଏଭଳି ଚିତ୍ର ଦୁଇଦିନ ପୂର୍ବୁର ରଖିଥିଲା। ସେହିଭଳି ଜଏଣ୍ଟ ଟାଇଫୁନ୍ ମଧ୍ୟ ଏଭଳି ଗତିପଥ ଓ ପବନ ସଂପର୍କରେ କହିଥିଲା। କିନ୍ତୁ ସମ୍ଭବତଃ ତିନିଟି କାରଣ ଯୋଗୁ ଏହି ବାତ୍ୟା ଆକଳନରେ ସମସ୍ୟା ସୃଷ୍ଟି କଲା। ପ୍ରଥମତଃ, ୮ କିଲୋମିଟର ଉପର ବାୟୁମଣ୍ଡଳରେ ବାୟୁ ଦିଗ ପରିବର୍ତ୍ତନ କଲା। ଦ୍ବିତୀୟତଃ ଉପକୂଳକୁ ପାଖେଇ ଆସୁଥିବା ଆଗରୁ ୮ରୁ ୧୨ ଘଣ୍ଟା ମଧ୍ୟରେ ଏହା ଦୁଇଥର ଗତିପଥ ପରିବର୍ତ୍ତନ କଲା ଅର୍ଥାତ୍ ସିଧା ନ ଆସି ଦିଗ ବଦଳାଇବାକୁ ଚେଷ୍ଟା କରିଥିଲା। ତୃତୀୟତଃ ଉର୍ଧ୍ବଗାମୀ ବାୟୁର ବେଗ ମଧ୍ୟ କମିଗଲା।

ତେବେ ବର୍ତ୍ତମାନ ପରିସ୍ଥିତିରେ ‘ତାଉ-ତେ’ ଓ ‘ୟାସ୍‌’ ଯେଭଳି ବ୍ୟବହାର କଲେ, ଏହାକୁ ମଡ଼େଲ୍ ଭାବେ ନେଇ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି। ଏହାଦ୍ବାରା ଭବିଷ୍ୟତରେ ବାତ୍ୟା ନିର୍ଣ୍ଣୟ ଆଉ ଟିକେ ସହଜ ହେବ।

publive-image Image Courtesy of News18

ଅନ୍ୟପକ୍ଷରେ ଆଉ କିଛି ପାଣିପାଗ ବିଜ୍ଞାନୀଙ୍କ ଯୁକ୍ତି ହେଲା, ଏହି ବାତ୍ୟା ଉପକୂଳଠାରୁ କମ୍ ଦୂରତାରେ ସୃଷ୍ଟି ହୋଇଥିଲା, ଏବଂ ଅଧିକ ବେଗରେ ସେହି ଦୂରତାକୁ ଅତିକ୍ରମ କଲା। ଯେଉଁ ବାତ୍ୟା ଯେତେ ସମୟ ଧରି ସମୁଦ୍ରରେ ରୁହେ ଏବଂ ସମୁଦ୍ରରେ ଯେତେ ଅଧିକ ବାଟ ଅତିକ୍ରମ କରେ, ଏହା ଅଧିକ ଘନୀଭୂତ ହୋଇ ସେତିକି ଶକ୍ତିଶାଳୀ ହୋଇଥାଏ। ହେଲେ ‘ୟାସ୍’ ବାତ୍ୟା ରୂପ ଧାରଣ କରିବା ପରେ ଅଳ୍ପ କେଇ ମୁହୂର୍ତ ପାଇଁ ସ୍ଥିର ଥିଲା ଓ ଅଳ୍ପ କେଇ ଘଣ୍ଟା ପାଇଁ ଧୀର ବେଗରେ ଗତି କରିଥିଲା। ଅନ୍ୟଥା ଏହା ଦ୍ରୁତ ମାଡ଼ି ଚାଲିଲା। ୨୪ରେ ବାତ୍ୟା ରୂପ ଧାରଣ କଲା, ସନ୍ଧ୍ୟା ବେଳେ ଭୀଷଣ ବାତ୍ୟା ରୂପ ନେଲା, ୨୫ରେ ଅତି ଭୀଷଣ ରୂପ ନେଇ ୨୭ ସକାଳେ ସ୍ଥଳ ଭାଗକୁ ଛୁଇଁଗଲା। ମୌସୁମୀ ସହିତ ଏହି ବାତ୍ୟା ଆସୁଥିବା କାରଣରୁ ଏହା ଆଦୌ ଅଧିକ ପ୍ରଭାବୀ ହୋଇପାରିବ ନାହିଁ ବୋଲି ମଧ୍ୟ କୁହାଯାଉଛି। ବରଂ ମୌସୁମୀକୁ ଅଧିକ ସକ୍ରିୟ କରିବାରେ ଏହା ସହାୟକ ହୋଇଛି।

ଉଲ୍ଲେଖଥାଉକି, ‘ତାଉ-ତେ’ ଉପକୂଳଠାରୁ ୧୮୦୦ କିଲୋମିଟର ଦୂରରେ ସୃଷ୍ଟି ହୋଇଥିଲା ଓ ସେ ଦୀର୍ଘ ୬ ଦିନ ଧରି ସମୁଦ୍ରରେ ରହି ଶକ୍ତିଶାଲୀ ହୋଇଥିଲା। ଯେତେବେଳେ କି ଉପକୂଳ ଠାରୁ ‘ୟାସ୍‌’ ସୃଷ୍ଟି ହୋଇଥିବା ଅଞ୍ଚଳ ମଧ୍ୟରେ ଦୂରତା ସର୍ବାଧିକ ହଜାରେ କିଲୋମିଟର ପାଖାପାଖି ଥିଲା ଓ ସେ ଚାରିଦିନରେ ସ୍ଥଳଭାଗ ଛୁଇଁଗଲା। ସେହିଭଳି ସ୍ଥଳଭାଗ ଛୁଇଁବା ବେଳେ ‘ତାଉ-ତେ’ ପ୍ରତି ଘଣ୍ଟାରେ ୧୫ କିଲୋମିଟରରେ ଗତି କରୁଥିବା ବେଳେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୭୦ କିଲୋମିଟର। ହେଲେ ‘ୟାସ୍‌’ ୧୪୦ କିଲୋମିଟର ପାଖାପାଖି ବେଗରେ ସ୍ଥଳଭାଗ ଛୁଇଁଲା ଏବଂ ଘଣ୍ଟା ପ୍ରତି ୨୪ ଘଣ୍ଟା ବେଗରେ ଯାଇ ମାଡ଼ ହେଲା।