କଟକ ଜିଲ୍ଲାରେ କ୍ଷୟକ୍ଷତି ଆକଳନକୁ ନେଇ ଚର୍ଚ୍ଚା: ‘ୟାସ୍‌’ରେ କେବଳ ଭାଙ୍ଗିଛି ସରକାରୀ ଘର!

ସ୍ଥାନାନ୍ତର ହୋଇଥିଲେ ୩୬ ହଜାର ଝୁମ୍ପୁଡି ବାସିନ୍ଦା, ଜଣଙ୍କର ବି ଘର ଭାଙ୍ଗିନି

କଟକ : କଟକରେ ବାତ୍ୟା ‘ୟାସ୍‌’ କେବଳ କ୍ଷତି କରିଛି ସରକାରୀ ଘରକୁ। ଗୋଟିଏ ବି ସାଧାରଣ ଲୋକଙ୍କ ଘର ଭାଙ୍ଗି ପାରିନି। ଝୁମ୍ପୁଡିରେ ରହୁଥିବାରୁ ୩୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲେ ବି ସେମାନଙ୍କ ମଧ୍ୟରୁ ବି କାହାର ଘର ଭାଙ୍ଗିନି କି ଚାଳ ଉଡିନି। ଜିଲ୍ଲାରେ ପ୍ରାଥମିକ ଆକଳନରୁ ୧୧ କୋଟି ୫୯ ଲକ୍ଷ ଟଙ୍କା କ୍ଷତି ଦର୍ଶାଯାଇଥିବା ବେଳେ ଏଭଳି ରିପୋର୍ଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ରିପୋର୍ଟ ଅନୁଯାୟୀ ବାତ୍ୟା ୟାସ ଯୋଗୁଁ ନିର୍ଦ୍ଦିଷ୍ଟ ଭାବେ ଜିଲ୍ଲାର ୪ଟି ବ୍ଲକ୍‌ରେ ୨୦୬ଟି ସରକାରୀ ଘର ଭାଙ୍ଗିଛି। ଆଉ ସବୁଠୁ ଅଧିକ ଚର୍ଚ୍ଚାର ପ୍ରସଙ୍ଗ ହେଉଛି ବାତ୍ୟା ଦିନ, ଅର୍ଥାତ୍‌ ମେ ୨୬ ତାରିଖ ଦିନ ସଦର ବ୍ଲକ୍‌ ଆୟତ୍ତପୁର ‌ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ତାଙ୍କର ୩ଟି ଶ୍ରେଣୀଗୃହର ଆଜବେଷ୍ଟସ୍ ବାତ୍ୟାରେ ଭାଙ୍ଗି ଯାଇଛି ବୋଲି ସେହି ଦିନ ଡିପିସିଙ୍କ କାର୍ଯ୍ୟାଳୟକୁ ଚିଠି ଦେଇଛନ୍ତି। କିନ୍ତୁ ଏହି ଚିଠିର ତାରିଖ ରହିଛି ମେ ୨୫ ତାରିଖ (ରେଫରେନ୍ସ ନମ୍ବର ୨୩୯୧(୧୪)ତା ୨୫/୫/୨୦୨୧)। କିଛି ସରକାରୀ ପୁରୁଣା ସ୍କୁଲ, ଅଙ୍ଗନବାଡି ଘର ଇତ୍ୟାଦି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇ କ୍ଷତି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସୂଚନା ଅନୁସାରେ, କଟକ ଜିଲ୍ଲାରେ ବାତ୍ୟା ‘ୟାସ୍‌’ ସମୟରେ କେଉଁଠି ବି ଶହେ ମିଲି ମିଟିର ବର୍ଷା ହେଇନି କି ଶହେ କିଲୋମିଟର ବେଗରେ ବି ପବନ ବହିନି। କିନ୍ତୁ ଜିଲ୍ଲା‌ର ୧୪ଟି ବ୍ଲକର ୩୭୩ଟି ପଞ୍ଚାୟତର ୧୯୫୯ଟି ଗାଁ ଏହାଦ୍ବାରା  କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ କହୁଛି। ଜିଲ୍ଲାର ୪ଟି ପୌରାଞ୍ଚଳ ଅଧୀନରେ ଥିବା ୧୧୩ଟି ୱାର୍ଡ ମଧ୍ୟ ବାତ୍ୟା ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାରେ ୩୬ ହଜାର ୧୮୨ଜଣ ଲୋକ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଓ ମୁକାବିଲାରେ ୫୨ଲକ୍ଷ ୮୫ହଜାର ୨୩୬ଟଙ୍କା ଖର୍ଚ୍ଚ ହୋଇଥିବା ସଂପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ ରିପୋର୍ଟ ରାଜ୍ୟସରକାରଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲାରେ ୧୧କୋଟି ୫୯ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସଂକ୍ରାନ୍ତରେ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ଦିଆଯାଇଛି।

ତେବେ ଜିଲ୍ଲାର ୧୪ଟି ବ୍ଲକ୍‌ରେ କୌଣସି ଧନଜୀବନ, ସାଧାରଣ ଲୋକଙ୍କ ଘରଦ୍ବାର, କି କୌଣସି କଚ୍ଚା ଘର ଭାଙ୍ଗି ନଥିବା ରିପୋର୍ଟରେ ଦର୍ଶାଯାଇଛି। କ୍ଷତିଗ୍ରସ୍ତ ୨୦୬ଟି ସରକାରୀ ଘର ମଧ୍ୟରୁ ସଦର ବ୍ଲକର ୩୬ଟି ସରକାରୀ ଘର ବା ଇନଷ୍ଟିଚ୍ୟୁସନାଲ କୋଠା ଥିବା ବେଳେ ସାଲେପୁରର ୫୦, ନିଶ୍ଚିନ୍ତକୋଇଲିର ୬୦ ଓ ମାହାଙ୍ଗାର ୬୦ଟି ଘର ରହିଛି। ଏହି ସରକାରୀ କୋଠାଗୁଡିକର ମରାମତି ପାଇଁ ୪ କୋଟି ୪୫ ଲକ୍ଷ ୫୦ ହଜାର ଟଙ୍କାର ବଜେଟ ଆକଳନ କରାଯାଇଛି। ଜିଲ୍ଲାର ମାହାଙ୍ଗା, ନିଶ୍ଚିନ୍ତକୋଇଲି, ସାଲେପୁର ଓ ସଦର ଭଳି କେବଳ ୪ଟି ବ୍ଲକ୍‌ରେ ସରକାରୀ କୋଠା ବାତ୍ୟାରେ ପ୍ରଭାବିତ ହେବା ଏବଂ ବାତ୍ୟା, ବର୍ଷାରେ କୃଷି, ଉଦ୍ୟାନ କୃଷି, ପଶୁପାଳନ ଭଳି ବିଭାଗର କିଛି କ୍ଷୟକ୍ଷତି ନହେବା ଘଟଣା, କ୍ଷୟକ୍ଷତି ଆକଳନର ବାସ୍ତବତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର