ବାତ୍ୟା କ୍ଷୟକ୍ଷତି ୬୧୦ କୋଟି

ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୧ ହଜାର ଗାଁର ୬୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ବର : ରାଜ୍ୟ ସରକାର ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରିଛନ୍ତି। ବାତ୍ୟାରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇଛି। ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନା କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏହି ତଥ୍ୟ ରଖିଥିଲେ। ବିଭିନ୍ନ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ସେମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍ ସମୟ ମଧ୍ୟରେ କରାଯାଇଛି। ବାତ୍ୟା ଲ୍ୟାଣ୍ଡ୍‌ ଫଲ୍‌ର ପୂର୍ବ ପ୍ରସ୍ତୁତି, ସ୍ଥାନାନ୍ତର ଓ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଡକ୍ୟୁମେଣ୍ଟେସନ୍ କରାଗଲେ, ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁ ଜଳମଗ୍ନ ହୋଇଥିଲା। ସାମୁଦ୍ରିକ ଲୁଣି ପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା।

ଉନ୍ନୟନ କମିସନର୍‌ ତଥା ଏସ୍‌ଆର୍‌ସି ଶ୍ରୀ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ର‌ଶାସନ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାମ କରିଥିଲା ଓ ଏଥିରେ ପ୍ରାୟତଃ ସଫଳ ହୋଇଛି। ରିଲିଫ୍‌ କାମ ପାଇଁ ଆଉ ୬୬ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସମୂଦ୍ରକୂଳ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୁଣି ପାଣି ମାଡ଼ିଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି। ତେଣୁ ଓୟୁଏଟି ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି।

ବୈଠକରେ ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଶକ୍ତି ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ବାତ୍ୟାରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଓ ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କର ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି। ଶକ୍ତି ବିଭାଗର କ୍ଷୟକ୍ଷତି ପରିମାଣ ପ୍ରାୟ ୧୫୦ କୋଟି ଟଙ୍କା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ୍‌ ୱାଟର୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ବ୍ୟବସ୍ଥା କରାଯାଇଥିଲା। ଏହା ସାରା ଦେଶରେ ଏକ ଅନନ୍ୟ ପଦକ୍ଷେପ। ମେ’ ୩୧ ତାରିଖ ସୁଦ୍ଧା ସମସ୍ତ ନଳକୂପ ଓ ପାଇପ୍ ପାଣି ପ୍ରକଳ୍ପର ଜଳ ଉତ୍ସକୁ ବିଶୋଧନ କରାଯାଇଥିଲା।। ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ପଞ୍ଚାୟତ ରାସ୍ତାର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା।

ଗୃହ ଓ ନଗର ଉନ୍ନୟନ ବିଭାଗର ସୂଚନା ଅନୁଯାୟୀ ୮ଟି ସହରାଞ୍ଚଳର ୫୮ଟି ରାସ୍ତା ସହିତ ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ କ୍ଷତିର ସମ୍ମୁଖୀନ ହୋଇଛି। ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନାରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଜଳସମ୍ପଦ ବିଭାଗର ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା। ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ବାତ୍ୟା ପରେ ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି। କ୍ଷତିର ପରିମାଣ ୭୫ କୋଟି ଟଙ୍କା। ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ଷତିର ପରିମାଣ ୬୦ କୋଟି ଟଙ୍କା।

ବୈଠକରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ବୈଠକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର