ଭିତରକନିକାରେ ୟାସ୍‌ କ୍ଷତି: ‘ଡଲଫିନ୍‌ ହାଉସ୍‌’, କ୍ୟାମ୍ପ ହାଉସ୍, ଅତିଥି ଭବନ ଧ୍ବସ୍ତବିଧ୍ବସ୍ତ

ରାଜନଗର : ବାତ୍ୟା ‘ୟାସ୍‌’ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଭିତରକନିକାର ହେନ୍ତାଳବଣ ପାଇଁ ରାଜନଗର ବଡ଼ଧରଣର କ୍ଷୟକ୍ଷତିରୁ ବର୍ତ୍ତିଯାଇଛି ସତ ମାତ୍ର ବାତ୍ୟା ‘ୟାସ’ ପ୍ରଭାବରେ ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷକରି ସମୁଦ୍ର କୂଳରେ ଥିବା ବନବିଭାଗର ଗେଷ୍ଟ ହାଉସ ଓ ଜେଠିକୁ ‘ୟାସ୍‌’ ଉଡ଼ାଇ ନେଇଛି। ଏପରିକି ହବାଳିଖଟି ଠାରେ ୩ ବର୍ଷ ତଳେ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡଲଫିନ ହାଉସ ତଳୁ ୨ଫୁଟର ମାଟି ଓ ବାଲିକୁ ଧୋଇ ନେଇଛି। ପବନ ଅପେକ୍ଷା ସମୁଦ୍ର ଜୁଆର ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି କରିଛି।

ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ଠାରେ ସମୁଦ୍ର କୂଳରେ ୨୦୧୮ ମସିହାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ୪ଟି କଟେଜ ନିର୍ମାଣ କରାଯାଇଥିଲା। ହବାଳିଖଟିକୁ ଆସୁଥିବା ପର୍ଯ୍ୟଟକମାନେ ଡଲଫିନ ହାଉସ ଭିତରେ ରହି ବଂଗୋପସାଗରରେ କ୍ରୀଡାରତ ଡଲଫିନକୁ ଦେଖିବାର ଶୋଭା ଉପଭୋଗ କରିବା ଲକ୍ଷ୍ୟରେ ଏହା ନିର୍ମାଣ କରାଯାଇଥିଲା। ସେତେବେଳେ ସମୁଦ୍ର କୂଳ ଖାଉଥିବାରୁ ସମୁଦ୍ର ନିକଟରେ ଏହାର ନିର୍ମାଣକୁ ବିରୋଧ କରାଯାଇଥିଲା। ତାହା ସତ୍ତ୍ବେ ଏହା ନିର୍ମାଣ ହୋଇଥିଲା। ଚଳିତ ବାତ୍ୟାରେ ଡଲଫିନ ହାଉସ ଉପରେ ସମୁଦ୍ର ଜୁଆର ମାଡ ନେବା ସହ ତଳୁ ୨ ଫୁଟ ଗଭୀରର ମାଟି ଓ ବାଲିକୁ ଧୋଇ ନେଇଛି। ଠିକ୍ ଯେପରି ଦୁଇ ବର୍ଷ ତଳେ ହବାଳିଖଟିର ଅନ୍ୟ ଏକ କୋଠା ତଳୁ ଜୁଆର ବାଲି ଧୋଇ ନେଇଥିଲା।

ସମୁଦ୍ର ଜୁଆର ଓ ପବନ ମାଡରେ ଡଲଫିନ ହାଉସର କବାଟ ଭାଙ୍ଗି ଘର ଭିତରେ ୨ଫୁଟର ଜୁଆର ପାଣି ଜମି ରହିଛି। ଗେଷ୍ଟ ହାଉସ ଭିତରେ ଥିବା ଖଟ, ଗଦି ଓ ଅନ୍ୟାନ୍ୟ ଆସବାବପତ୍ର ଲୁଣି ପାଣିରେ ଭିଜି ରହିଛି। ପର୍ଯ୍ୟଟକଙ୍କ ଓହ୍ଲାଇବା ପାଇଁ ହବାଳିଖଟି ଠାରେ ନଦୀ କୂଳରେ ଥିବା ଫ୍ଲୋଟିଂ ଜେଠିକୁ ପବନ ଓ ଜୁଆର ୧୦ଫୁଟ ଉଚ୍ଚକୁ ଉଡାଇ ନେଇ ଟେକି ରଖିଛି। ବାବୁବାଲି ଠାରେ ବନବିଭାଗର କ୍ୟାମ୍ପ ହାଉସକୁ ଉଡ଼ାଇ ନେଇଛି। ଏକକୂଳା ଠାରେ ଥିବା ଅତିଥି ଭବନର ଛପର ଉଡ଼ାଇ ନେଇଛି। ଡାଙ୍ଗମାଳଠାରେ ଥିବା ସଂଗ୍ରହାଳୟ ଉପରେ ଗଛ ପଡି ଭାଙ୍ଗି ଯାଇଛି। ନଳିତାପାଟିଆ ବିଟ୍‌ ହାଉସ ଓ ଡାଙ୍ଗମାଳ ଭିତରେ ଥିବା ୨ଟି ଗବେଷଣା କେନ୍ଦ୍ର ଉପରେ ଗଛ ପଡିଛି। ଜଙ୍ଗଲ ଭିତରେ ଥିବା ବନବିଭାଗର ଅଧିକାଂଶ ପାଦଚଲା ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ସମୁଦ୍ର କୂଳରେ ଶତାଧିକ ଝାଉଁ ଗଛକୁ ଜୁଆର ଉପାଡି ଦେଇଛି। ଚାରିଆଡେ ପାଣି ମାଡିଥିବାରୁ ଜଙ୍ଗଲ ଭିତରର କ୍ଷୟକ୍ଷତି ରିପୋର୍ଟ ଜଣାପଡିନାହିଁ। ଡାଙ୍ଗମାଳଠାରେ ପାଚେରି ପଡ଼ି ଗୋଟିଏ ହରିଣ ଓ ଗଛ ପଡି ଅନ୍ୟ ଏକ ହରିଣର ଜୀବନ ଯାଇଛି। ତାଳଚୁଆ ଅଂଚଳରେ ଗୋଟିଏ ହରିଣର ଜୀବନ ଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ଖୋଳା ଗାଁ ଭିତରକୁ ପଶି ଆସିଥିବା ୪ଟି ହରିଣକୁ ଉଦ୍ଧାର କରାଯାଇ ଜାତୀୟ ଉଦ୍ୟାନ ମଧ୍ୟରେ ଛଡ଼ାଯାଇଛି।

ସମ୍ବନ୍ଧିତ ଖବର