ଜଗତସିଂହପୁର : ‘ୟାସ୍’ ବିପଦରୁ ବର୍ତ୍ତି ଯାଇଛି ପାରାଦୀପ। ଗତକାଲି ରାତିରୁ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବି ସକାଳୁ ଉଭୟ ବର୍ଷା ଓ ପବନର ବେଗ କମିଥିଲା। ପାଗ କୋହଲା ଥିଲେ ବି ଅପରାହ୍ନରୁ ବର୍ଷା ଓ ପବନ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଆଶ୍ରୟସ୍ଥଳରେ ରହିଥିବା ଲୋକେ ଘରକୁ ଫେରି ଯାଇଛନ୍ତି। କିନ୍ତୁ ପାଣିପାଗ ବିଭାଗ ପକ୍ଷରୁ ଏବେ ବି ପାରାଦୀପ ବନ୍ଦରରେ ୧୦ ନମ୍ବର ବିପଦ ସଙ୍କେତ ଜାରି ରହିଛି।
ଗତକାଲି ପ୍ରବଳ ପବନ ଯୋଗୁଁ ପାରାଦୀପରେ ୫ରୁ ଅଧିକ ବଡ଼ ଗଛ ସମେତ ୧୫ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ଓଡ୍ରାଫ୍, ଏନଡିଆରଏଫ୍ ଓ ବନ୍ଦର ସିଆଇଏସଏଫ୍ ଟିମ୍ ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛ କାଟି ସଫା କରିଛନ୍ତି। ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କ ଘରେ ପାଣି ପଶିଥିବା ବେଳେ ତାହାକୁ ନିଷ୍କାସନ କରାଯାଇଛି। ଆଜି ପୌରପାଳିକା ପକ୍ଷରୁ ସମସ୍ତଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଘରକୁ ଫେରିବା ପରେ ରାତି ପାଇଁ ମଧ୍ୟ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁଚରଣ ଧୀର ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟଙ୍କ ତତ୍ତ୍ବାବଧାନରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପରିଚାଳିତ ହେଉଛି। ବାତ୍ୟା ଆଶ୍ରୟସ୍ଥଳକୁ ଆସିଥିବା ଲୋକମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ପୌରପାଳିକା କଲ୍ୟାଣମଣ୍ଡପରେ ଥିବା ସ୍ବତନ୍ତ୍ର କକ୍ଷରେ ରଖାଯାଇଛି।