ଉତ୍ତର ଓଡ଼ିଶାକୁ ବିପଦ; ଆଜି ବାତ୍ୟା ରୂପ ନେବ, ୨୬‌ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ‘ୟାସ୍’

ପାରାଦୀପଠାରୁ ସାଗରଦ୍ବୀପ ମଧ୍ୟରେ ଛୁଇଁପାରେ: ଆଇଏମ୍‌ଡି

ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର
ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ, ୨୦୦ମିମି ବର୍ଷା
୧୨ ଘଣ୍ଟା ଉପକୂଳକୁ ଘାଣ୍ଟିବ, ଓଡ଼ିଶାରେ ରହିବ ୭୨ ଘଣ୍ଟାର ପ୍ରଭାବ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ୟାସ୍’ ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ଏଭଳି ପୂର୍ବାନୁମାନ କରିଛନ୍ତି। କିନ୍ତୁ ଆଇଏମ୍‌ଡି ପକ୍ଷରୁ ବାତ୍ୟାର ଗତିପଥ ସଂପର୍କରେ ଯେଉଁ ନକ୍ସା ଜାରି କରାଯାଇଛି, ତାହା ଚୂଡ଼ାନ୍ତ ହୋଇନଥିଲେ ହେଁ, ଏହା ସୂଚାଉଛି ଯେ ସମ୍ଭାବ୍ୟ ବାତ୍ୟା ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଆଖି ପକାଇଛି ଏବଂ ଭୋଗରାଇ-ତାଳସାରି ପାଖାପାଖି ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ। ତେବେ ‘ୟାସ୍’ ଭୀଷଣ ବାତ୍ୟା ରୂପ ନେଇ ପାଖାପାଖି ୧୨ଘଣ୍ଟା ଉପକୂଳକୁ ଗୁରାଣ୍ଡି ପକାଇବ। ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ଛୁଇଁଥିବ ଏବଂ ମଝିରେ ମଝିରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ଝଟ୍‌କା ଦେବ।

ଆଇଏମ୍‌ଡି ଆହୁରି କହିଛି ଯେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପଡ଼ିବ। ତେବେ ଗଞ୍ଜାମଠାରୁ ଆରମ୍ଭ କରି ବାଲେଶ୍ବର, ମୟୂରଭଂଜ ପର୍ଯ୍ୟନ୍ତ ଓ ଏହାର ସଂଲଗ୍ନ ଜିଲ୍ଲାମାନଙ୍କରେ ‘ୟାସ୍’ ତା’ର ଚିହ୍ନ ଛାଡ଼ିବ। ୨୪ ତାରିଖ ଅପରାହ୍ଣରୁ ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶା ଅନୁଭବ କରିବ। କିନ୍ତୁ ୨୫ରୁ ବର୍ଷା ଆରମ୍ଭ ହୋଇଯିବ ଓ ୨୬ ତାରିଖରେ ବିପର୍ଯ୍ୟୟ ଘଟାଇବ। ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବ। ଏବେଠାରୁ ସବୁ ବନ୍ଦରରେ ପାଣିପାଗ ବିଭାଗ ୧ନମ୍ବର ବିପଦ ସଙ୍କେତ ଜାରି କରିଛି।

ORF

ପାଣିପାଗ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସେହି ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ପାରାଦୀପଠାରୁ ୫୭୦ କିଲୋମିଟର ଏବଂ ବାଲେଶ୍ବରଠାରୁ ୬୭୦ କିଲୋମିଟର ଦୂରରେ ଘନୀଭୂତ ହେଉଛି। ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଏହା ଆଗକୁ ବଢ଼ୁଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ସକାଳେ ଅତି ଶକ୍ତିଶାଳୀ ବାତ୍ୟା (ୟାସ୍) ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୬ ତାରିଖ ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବ। ସେଠାରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ଏବଂ ସନ୍ଧ୍ୟା ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଏବଂ ସାଗର ଦ୍ବୀପପୁଞ୍ଜ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଝଡ଼ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ଓ ସର୍ବାଧିକ ୬୦ କିେଲାମିଟର ରହିପାରେ। ଏହା ଧୀରେ ଧୀରେ ବୃଦ୍ଧି ପାଇ ୨୫ ତାରିଖ ସନ୍ଧ୍ୟା ପରଠାରୁ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ଓ ସର୍ବାଧିକ ୭୦ କିଲୋମିଟର ରହିବ। ୨୬ ତାରିଖ ଅପରାହ୍ଣରେ କିନ୍ତୁ ବାତ୍ୟା ଅତି ଶକ୍ତିଶାଳୀ ହୋଇ ତାଣ୍ଡବ ରଚିବ। ୨୬ ତାରିଖ ପୂର୍ବାହ୍ଣରୁ ପବନର ବେଗ ବୃଦ୍ଧିପାଇ ଘଣ୍ଟାପ୍ରତି ୯୦ରୁ ୧୦୦ ସର୍ବାଧିକ ୧୧୦ କିଲୋମିଟର ରହିବ ଏବଂ କ୍ରମାଗତ ଏହା ବୃଦ୍ଧି ପାଇବ।

YouTube

ଓଡ଼ିଶା ଉପରେ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉମାଶଙ୍କର ଦାସ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଚିତ୍ର ଜାରି ହୋଇଛି ସେ ଅନୁସାରେ, ୨୬ ତାରିଖ ଦିନ ସର୍ବାଧିକ ପବନ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ମୟୂରଭଂଜ ପାଇବେ। ସେଠାରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ଛୁଇଁପାରେ। ଭୁବନେଶ୍ବର, ପୁରୀ, କଟକ, ଯାଜପୁର, େକନ୍ଦୁଝର ଆଦି ଜିଲ୍ଲାରେ ପବନର ବେଗ ୬୦ରୁ ୭୦ କିଲୋମିଟର ଓ ମଝିରେ ମଝିରେ ୯୦ କିଲୋମିଟର ବେଗରେ ଧକ୍କା ଦେବ। ଗଞ୍ଜାମ, ଢେଙ୍କାନାଳ ଆଦି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ଓ ସ୍ଥଳବିଶେଷରେ ୫୦ କିଲୋମିଟର ବେଗରେ ପବନ ବହିବ।

ଅନ୍ୟପକ୍ଷରେ ୨୫ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଧା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଅର୍ଥାତ୍ ୧୨୦ ମିଲିମିଟରରୁ ୧୫୦ ମିଲିମିଟର ବର୍ଷା ହୋଇପାରେ। ସେହି ସମୟରେ ମୟୂରଭଂଜ, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଅର୍ଥାତ୍ ୬୪ ମିଲିମିଟର ବର୍ଷା ହୋଇପାରେ।

Stellar Accounts

୨୬ ତାରିଖରେ କିନ୍ତୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ (୧୨୦ ମିଲିମିଟରରୁ ୧୫୦ ମିଲିମିଟର) ଏବଂ ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ଅର୍ଥାତ୍ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ସେହିଦିନ ଢେଙ୍କାନାଳ, ଅନୁଗୁଳ, ଦେବଗଡ, ଖୋର୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ୬୪ ମିଲିମିଟର ଯାଏ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ୨୭ ତାରିଖ ଦିନ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଜିଲ୍ଲାରେ ବି ଅନୁରୂପ ପରିମାଣରେ ବର୍ଷା ଜାରି ରହିବ।

ଆଇଏମ୍‌ଡିର ଆକଳନ ଅନୁଯାୟୀ, ପବନର ବେଗ ଯାହା ସେଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ। ଆଜବେଷ୍ଟସ, କଚ୍ଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି। ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ।

ସମ୍ବନ୍ଧିତ ଖବର