ଅନ୍ଧାରରେ ଅନେକ ଗାଁ, ଉଜୁଡ଼ିଗଲା ଜୀବିକା
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ
କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ଦେବାକୁ ମନ୍ତ୍ରୀଙ୍କ ନିର୍ଦେଶ
ବାଲେଶ୍ବର : କୋଭିଡ୍ ଭଳି ମହାମାରୀ ସମୟରେ ସାମୁଦ୍ରିକ ଝଡ଼ବାତ୍ୟା ‘ୟାସ୍’ ବାଲେଶ୍ବର ଜିଲ୍ଲାବାସୀଙ୍କୁ ଚରମ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ଜିଲ୍ଲାର ସମସ୍ତ ବ୍ଲକରେ ବାତ୍ୟାର ପ୍ରଭାବ ପଡ଼ିଥିବା ବେଳେ ସମୁଦ୍ର ତଟବର୍ତ୍ତୀ ବାହାନଗା, ବାଲେଶ୍ବର ସଦର, ବାଲିଆପାଳ ଓ ଭୋଗରାଇ ବ୍ଲକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯୋଗୁଁ ସମୁଦ୍ରରୁ ହଠାତ୍ ଜୁଆର ମାଡ଼ି ଆସିବା ଫଳରେ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇ ଯାଇଥିଲା। ତା’ ସାଙ୍ଗକୁ ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ମାଟିରେ ଲୋଟି ପଡ଼ିଥିଲା ଶହଶହ ଗଛ ଓ କଚାଘର। ପ୍ରକୃତି କୋପରେ ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ତ ଆଉ କେଉଁଠି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
/sambad/media/post_attachments/wp-content/uploads/2021/05/bls-bhagrai.jpg)
ଗତକାଲି ‘ୟାସ୍’ ତାଣ୍ଡବ ରଚିବା ପରେ ସରକାରଙ୍କ ତରଫରୁ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବାତ୍ୟା ପରବର୍ତ୍ତୀ ସ୍ଥିତି ତଦାରଖ ପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ବାଲେଶ୍ବରରେ ପହଞ୍ଚିଥିବା ବେଳେ ବାତ୍ୟା ପୂର୍ବଦିନଠାରୁ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବାଲେଶ୍ବରରେ ରହି ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ବାଇଁ ବାତ୍ୟା ସ୍ଥିତି ସମୀକ୍ଷା କରିବା ପରେ କ୍ଷୟକ୍ଷତି ଆକଳନ ଚାଲିଥିବା କହିଥିଲେ। ବାତ୍ୟା ବିପତ୍ତି ବେଳେ ଦରଦାମ୍ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ନଷ୍ଟ ହୋଇଥିବା ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରୟାସ ଜାରି ରହିଛି। ସପ୍ତାହେ ମଧ୍ୟରେ ସବୁ ସ୍ଥିତିରେ ସୁଧାର ଆସିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରକାଶ କରିବା ସହ ପ୍ରଭାବିତଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ।
/sambad/media/post_attachments/wp-content/uploads/2021/05/bls-c1.jpg)
ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇଏଏସ୍ ବିଶାଲ ଦେବ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଓ ଜଳଯୋଗାଣକୁ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଥିବା କହିଥିଲେ। ଜିଲ୍ଲାର ୮୬ଟି ଗାଁରେ ସମୁଦ୍ର ଜୁଆର ପାଣି ମାଡ଼ିଯାଇ ଅନେକ କଚାଘର ଭାଙ୍ଗିଯାଇଛି। ବାଲିଆପାଳ, ବାଲେଶ୍ବର ସଦର, ଭୋଗରାଇ ଓ ରେମୁଣା ବ୍ଲକରେ ଶହଶହ ହେକ୍ଟର ଜମିରେ ରବିଫସଲ ସହ ମାଛଚାଷ ନଷ୍ଟ ହୋଇଯାଇଛି। ଚିଙ୍ଗୁଡ଼ି ଘେରିରେ ଜୁଆର ପାଣି ପଶିଯିବା ଫଳରେ ହଜାର ହଜାର ଲୋକଙ୍କର ଜୀବିକା ଉଜୁଡ଼ିଯାଇଛି। କ୍ଷୟକ୍ଷତି ଆକଳନ ପାଇଁ ସବୁ ଲାଇନ୍ ଡିପାର୍ଟମେଣ୍ଟକୁ କାମରେ ଲଗାଯାଇଛି ବୋଲି ଶ୍ରୀ ଦେବ କହିଥିଲେ।
/sambad/media/post_attachments/wp-content/uploads/2021/05/bls-Dagara-copy.jpg)
ବିପର୍ଯ୍ୟୟ ମୁକାବିଲା ସଂପର୍କରେ ସୂଚନା ଦେବାକୁ ଯାଇ ବାଲେଶ୍ବର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଥିଲେ, ତଳିଆ ଅଞ୍ଚଳରେ ଜୁଆର ମାଡ଼ିଥିବାରୁ ପାନୀୟ ଜଳଯୋଗାଣ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଜେନେରେଟର ଲଗାଯାଇ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଗଛ, ବିଦ୍ୟୁତ ଖୁଣ୍ଟ ପଡ଼ି ଅବରୋଧ ହୋଇଥିବା ରାସ୍ତାକୁ ସଫା କରାଯାଉଛି। ଏହି କାମରେ ଅଗ୍ନିଶମ ବିଭାଗର ୩୮ଟି ଟିମ୍ ସହ ୪ଟି ଓଡ୍ରାଫ୍ ଏବଂ ଏନ୍ଡିଆର୍ଏଫ୍ର ୯ଟି ଟିମ୍ ଲାଗିଛନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟସେବା ଉପରେ ଧ୍ୟାନ ଦିଆଯାଉଛି। ପ୍ରଭାବିତ ଅଞ୍ଚଳରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ହାଲୋଜିନ୍ ବଟିକା ବାଣ୍ଟିଥିବା ଜିଲ୍ଲାପାଳ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dhamara-3.jpg)