ଭଦ୍ରକ : ବାତ୍ୟାରେ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ସହ ୭ଟି ବ୍ଲକରେ ଚାଷବାସ ସବୁ ଉଜାଡ଼ି ଦେଇଛି ୟାସ୍। ଜିଲ୍ଲାରେ ଶହ ଶହ ଚାଳଘର ମାଟିରେ ମିଶିଯାଇଛି। ଦୁଇ ହଜାରରୁ ଊର୍ଦ୍ଧ୍ବ ଗଛ ଭାଙ୍ଗିଥିବା ବେଳେ ଦୁଇଶହରୁ ଅଧିକ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତାରେ ପଡ଼ିଛି। ବାସୁଦେବପୁର, ଧାମରା, ଚାନ୍ଦବାଲି ଅଞ୍ଚଳରେ ୪ଟି ସବଷ୍ଟେସନ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ତିନିଦିନ ହେଲା ଗ୍ରାମାଞ୍ଚଳର ଲୋକେ ଅନ୍ଧାରରେ ରହୁଛନ୍ତି। ଜିଲ୍ଲାରେ ରବି ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିବା ବେଳେ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
/sambad/media/post_attachments/wp-content/uploads/2021/05/bdk2.jpg)
ଦୁଇ ଦିନ ହେଲା ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକର ଶତାଧିକ ଗାଁ ପାଣି ଘେରରେ ରହିଥିବା ବେଳେ ଜିଲ୍ଲାର ୨୧୮ ପଞ୍ଚାୟତରୁ ପ୍ରାୟ ୧୫୦ ପଞ୍ଚାୟତ ଏବେ ଜଳମଗ୍ନ ହୋଇରହିଛି। ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସମେତ ଜିଲ୍ଲାର ପ୍ରାୟ ୪୦ଟି ଗ୍ରାମ୍ୟ ରାସ୍ତା ବୁଡ଼ିଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବାସୁଦେବପୁର-ଇଚ୍ଛାପୁର, ଜାମୁଝାଡ଼ି-ବାସୁଦେବପୁର, ଭଦ୍ରକ-ଆରଡ଼ି ରାସ୍ତା କାଟି ଜଳ ନିଷ୍କାସନ କରାଯାଇଥିଲା। ଚାନ୍ଦବାଲି ବ୍ଲକରେ ୧୫ ଶହ ଓ ବାସୁଦେବପୁର ବ୍ଲକରେ ଏକ ହଜାର ପୋଖରୀରେ ବର୍ଷାପାଣି ପଶି ଚିଙ୍ଗୁଡ଼ି ସବୁ ଭାସି ଯାଇଛନ୍ତି। ଜିଲ୍ଲାରେ ଏହି ଦୁଇଟି ବ୍ଲକରେ ପ୍ରାୟ ଅଢ଼େଇ ହଜାର ଏକର ପୋଖରୀରୁ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଚିଙ୍ଗୁଡ଼ି ଭାସି ଯାଇଥିବା ଆକଳନ କରାଯାଇଛି।
ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ସହିତ ଅନ୍ୟ ୫ଟି ବ୍ଲକରେ ମଧୁର ଜଳରେ ମାଛଚାଷ କରିଥିବା ଚାଷୀଙ୍କର ଶହ ଶହ ମାଛ ପୋଖରୀ ବୁଡ଼ିଯାଇଛି। ବାସୁଦେବପୁର ବ୍ଲକରେ ୭୦୦ ଏକର ରବି ଫସଲ ନଷ୍ଟ ହୋଇଥିବା ବେଳେ ୪ ଶହ ହେକ୍ଟର ପନିପରିବା ଫସଲ ଉଜୁଡ଼ିଯାଇଛି। ବାସୁଦେବପୁର ବ୍ଲକର ସୁଆଁ, ସୁଦର୍ଶନପୁର, ମିରିଗା, ଉହାଡ଼, ନୂଆଗାଁ, ବରଣ୍ଡୁଆ, କୁମାରପୁର, ଅରଣ୍ଡୁଆ, ଇରମ ଆଦି ଅଞ୍ଚଳରେ ବ୍ୟାପକ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଡାଳୁଅ ଧାନ ଓ ସୂର୍ଯ୍ୟମୁଖୀ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜିଲ୍ଲାରେ ୨୫୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିଲା। କିଛି ଚାଷୀ ମଧ୍ୟ ମଞ୍ଜି ଅମଳ କରି ଖଳାକୁ ଆଣିଥିଲେ। ବର୍ଷାରେ ସେସବୁ ନଷ୍ଟ ହୋଇଯାଇଛି। ଚାନ୍ଦବାଲି ବ୍ଲକର ୩୦୦ ହେକ୍ଟର ଜମିରେ ରବି ଫସଲ ଓ ୪ ହେକ୍ଟର ଜମିର ପନିପରିବା ଚାଷ ନଷ୍ଟ ହୋଇଛି।
/sambad/media/post_attachments/wp-content/uploads/2021/05/bhadarka-yaas2.jpg)
ସେହିପରି ବନ୍ତ ବ୍ଲକର ୫୦୦ ହେକ୍ଟର ଜମିରେ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ୨୫୦ ହେକ୍ଟର ଜମିରେ ରବିଧାନ ଚାଷ କରାଯାଇଥିବା ବେଳେ କିଛି ଚାଷୀଙ୍କର ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି। ଭଣ୍ଡାରିପୋଖରୀ ବ୍ଲକର ୨୫୦ ହେକ୍ଟର ରବି ଫସଲ ଓ ୨୦୦ ହେକ୍ଟର ଜମିରେ ପନିପରିବା ଚାଷ ଉଜୁଡ଼ି ଯାଇଛି। ତିହିଡ଼ି ବ୍ଲକର ୭୦୦ ହେକ୍ଟର ପନିପରିବା ଚାଷ, ୩୦୦ ହେକ୍ଟର ଜମିରେ ରବିଧାନ ଓ ଡାଲିଜାତୀୟ ଫସଲ ନଷ୍ଟ ହୋଇଛି। ଧାମନଗର ବ୍ଲକର ୪୦୦ ହେକ୍ଟର ଜମିରେ ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ ଭଦ୍ରକ ବ୍ଲକର ପ୍ରାୟ ୫୫୦ ହେକ୍ଟର ଜମିର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଜିଲ୍ଲାପାଳ ଡ.ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲାପାଳ ଅରୁଣ ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସମେତ ବାସୁଦେବପୁର, ଚାନ୍ଦବାଲି ବିଡିଓ ଓ ତହସିଲଦାର କ୍ଷେତ୍ରୀୟ ତଦନ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/bhadarka-yaas.jpg)