ରାଜନଗର ବ୍ଲକରେ ଜୋର୍ ଧରିଲା ବାତ୍ୟା ପ୍ରସ୍ତୁତି: ୪୮ଟି ଗାଁର ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ଲୋକେ

ରାଜନଗର: ବାତ୍ୟା ୟାସ୍ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତର ପ୍ରକ୍ରିୟା । ମଗରକନ୍ଦା ଗାଁର ଲୋକଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ଏବେ ସୁଦ୍ଧା ୧୫୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବଗପାଟିଆର ବାତ୍ୟା ଆଶ୍ରୟ ସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବଳକା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଛି ।

ସେପଟେ ତଳିଆ ଅଂଚଳ ଏବଂ କଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟ ସ୍ଥଳରେ ରଖିବାକୁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ବ୍ଲକର ୪୬ଟି ବାତ୍ୟା ଆଶ୍ରୟସ୍ଥଳ ସମେତ ୫୪ଟି ବିଦ୍ୟାଳୟକୁ ପ୍ରସ୍ତୁତ ରଖାଯାଇଛି। ୧୦୦ଟି ଆଶ୍ରୟ ସ୍ଥଳରେ ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ, ଶିକ୍ଷକ, ବାତ୍ୟା ଆଶ୍ରୟ ସ୍ଥଳର ସଂପାଦକ ଓ ଅନ୍ୟ ସରକାରୀ ଅଧିକାରୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ବ୍ଲକର ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ରଖିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।

ହବାଳିଖଟି, ଏକକୂଳା ଓ ବରୁଣେଇଠାରେ ନିୟୋଜିତ ବନ କର୍ମଚାରୀଙ୍କୁ ଫେରାଇ ଅଣାଯାଇଛି। ସାତଭାୟାବାସୀଙ୍କ ଥଇଥାନ ସ୍ଥଳ ବଗପାଟିଆ ସ୍ଥିତ ଓସଡମା ବାତ୍ୟା ଆଶ୍ରୟସ୍ଥଳୀ ଓ ପଂଚୁବରାହୀ ହାଇସ୍କୁଲରେ ୨ଶହ ଲୋକଙ୍କୁ ରଖାଯାଇଛି। ପୁରୁଣା ସାତଭାୟା ପଂଚାୟତର ମଗରକନ୍ଦାର ଗାଁର ସମସ୍ତ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୨୭ ଜଣ ଗର୍ଭବତୀଙ୍କୁ ବିଭିନ୍ନ ମେଡିକାଲକୁ ପଠାଇ ଦିଆଯାଇଛି ।

ରାଜନଗର ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପଂଚାୟତକୁ ଚୂଡା, ଗୁଡ ଓ ବିସ୍କୁଟ ପହଁଚା ଯାଇଥିବା ବେଳେ ଶହେଟି ଆଶ୍ରୟସ୍ଥଳରେ ଓଆରଏସ୍ ସହ ଅନ୍ୟାନ୍ୟ ଔଷଧ ମହଜୁଦ କରି ରଖାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଗାଡ଼ି ଆଶ୍ରୟସ୍ଥଳ ବୁଲିବ। କରୋନା ଲକ୍ଷଣ ଥିବା ବିପନ୍ନଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯିବ। ସ୍ଥାନାନ୍ତର କରାଯାଉଥିବାରୁ ସମସ୍ତ ଆଶ୍ରୟସ୍ଥଳରେ ମାସ୍କ ଓ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ଜିରୋ କାଜୁଆଲିଟି ଲକ୍ଷ୍ୟରେ ସମସ୍ତ ପଦକ୍ଷେପ ନିଆଯାଇଛି।

 

ସମ୍ବନ୍ଧିତ ଖବର