ଭଦ୍ରକ ଜିଲ୍ଲାରେ ଖଣ୍ଡପ୍ରଳୟ, ଧାମରାରେ ରାସ୍ତା ଉପରକୁ ମାଡ଼ି ଆସିଲା ଜୁଆର

ବର୍ଷା ସାଙ୍ଗକୁ ୧୩୦ କିମି ବେଗରେ ବହିଲା ପବନ, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୫୦ ଗାଁ ଜଳମଗ୍ନ

ଉପୁଡ଼ିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଶତାଧିକ ଘର ଧରାଶାୟୀ
ଚାନ୍ଦବାଲିରେ ସର୍ବାଧିକ ୨୮୮.୩ ମିମି ବର୍ଷା
ବାତ୍ୟା ଆଶ୍ରୟସ୍ଥଳରେ ୧ ଲକ୍ଷ ୨୦ ହଜାର ଲୋକ

ଭଦ୍ରକ/ଧାମରା/ବାସୁଦେବପୁର : ଭଦ୍ରକ ଜିଲ୍ଲାର ଧାମରା ଓ ବାଲେଶ୍ବର ଜିଲ୍ଲାର ବାହାନଗା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ବାତ୍ୟା ‘ୟାସ୍‌’ । ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା, ଦୋସିଙ୍ଗା, କଇଥକୋଲା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି, ଚଡ଼ଦିଆ ପଞ୍ଚାୟତ ସମେତ ନଦୀକୂଳ ଆରଡି ପଞ୍ଚାୟତର ୪୦ରୁ ଅଧିକ ଗାଁ ଜଳମୟ ହୋଇଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଜୁଆର ପାଣି ଜନବସତି ଆଡ଼କୁ ମାଡ଼ି ଆସିବା ସହ ରାସ୍ତାଘାଟ ସବୁ ବୁଡ଼ାଇ ଦେଇଛି। ଧାମରା ଅଞ୍ଚଳରେ ଆଜି ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୧୩୦ କିମି ବେଗରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ଲାଗି ରହିଥିଲା। ଯାହାଫଳରେ ୨୦ରୁ ଅଧିକ ଗାଁରେ ସମୁଦ୍ର ଜୁଆର ପାଣି ପଶିଯାଇଛି। ବନ୍ଦର ସହର ଧାମରାରେ ରାସ୍ତା ଉପରକୁ ସମୁଦ୍ର ଜୁଆର ମାଡ଼ି ଆସିବା ଯୋଗୁଁ ଲୋକେ ଭୟଭୀତ ହୋଇ ଯାଇଥିଲେ। ବାତ୍ୟା ପ୍ରଭାବରେ ଏ ଅଞ୍ଚଳର ଶତାଧିକ କଚା, ଚାଳଛପର ଘର ମାଟିରେ ମିଶିଯାଇଛି।

‘ୟାସ୍‌’ ପ୍ରଭାବରେ ଗତକାଲି ଦିନରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଅନେକ ଗାଁ ଜଳାର୍ଣ୍ଣବ ହୋଇଯାଇଛି। ବାତ୍ୟାରେ ୨ ହଜାରରୁ ଅଧିକ ଗଛ ଭାଙ୍ଗି ପଡ଼ିଥିବାବେଳେ ୫ ଶହରୁ ଅଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ରାସ୍ତାରେ ବର୍ଷା ପାଣିର ସୁଅ ଛୁଟୁଛି। କଚାଘର ଓ ଆଜବେଷ୍ଟସ୍‌ ଘର ସବୁ ଭୁଶୁଡି ପଡ଼ିଛି। ସମୁଦ୍ର କୂଳବର୍ତ୍ତୀ ବାସୁଦେବପୁର ବ୍ଲକର ପଢ଼ୁଆ, କୁମାରପୁର, ଜଗନ୍ନାଥପୁର, ନୂଆଗାଁ, ଇରମ, ଅଢ଼ୁଆ, ଚୁଡ଼ାମଣି, କିସ୍‌ମତକୃଷ୍ଣପୁର, ସାନକୃଷ୍ଣପୁର, ବିନୋବାଭାବେନଗର, ବାଲିମୁଣ୍ଡା, ବିଦେଇପୁର ଆଦି ପଞ୍ଚାୟତର ୪୦ଟି ଗାଁରେ ଶତାଧିକ ଚାଳଛପର ଘର ଭାଙ୍ଗିଯାଇଛି। ଧାମରା, ଚାନ୍ଦବାଲି, ବାସୁଦେବପୁର ଅଞ୍ଚଳରେ ହଜାର ହଜାର ଏକର ଚିଙ୍ଗୁଡ ଘେରି ପାଣିରେ ବୁଡ଼ିଯାଇଛି। ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଶତାଧିକ ଗଛ ସହିତ ଚାଳଛପର ଘର ଭାଙ୍ଗି ଯାଇଛି। ବାତ୍ୟା ଯୋଗୁଁ ଜିଲ୍ଲାରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥରେ ଅନେକ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ସେହିପରି ବନ୍ତ, ଭଣ୍ଡାରିପୋଖରୀ, ତିହିଡି, ଧାମନଗର, ଭଦ୍ରକ ସହର ବାତ୍ୟାପବନରେ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି।

ଅସୁରାଳି, କୋଠାର, ଦଇପୁର, ବମକୁରା, ପାଳସାହି, ଭଗବାନପୁର, ଧୂଷୁରୀ, କାଶିମପୁର, ଚୁଡାକୁଟି, ବୟାଂଗଡିହ, ନଦୀଗାଁ, ଗୋବିନ୍ଦପୁର ଆଦି ଅଞ୍ଚଳରେ ଉପୁଡ଼ି ପଡ଼ିଥିବା ଗଛକୁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ କାଟି ସଫା କରିଛନ୍ତି। ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଜୋରରେ ପବନ ବହିଥିଲା। ତଳିଆ ଅଞ୍ଚଳ ସହିତ ବହୁ ଜନବସତିରେ ବର୍ଷାଜଳ ପଶି ଯାଇଛି। ସେହିପରି ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାବେଳେ ଜମିରେ ବର୍ଷାଜଳ ଲହଡ଼ି ଖେଳୁଛି। ଭଦ୍ରକ ସହରରେ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରିବାରୁ ଏକାଧିକ କଲୋନି ବୁଡ଼ିଛି। ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଜିଲ୍ଲା ପ୍ରଶାସନରୁ ମିଳିଥିବା ସୂଚନା ମୁତାବକ ଚାନ୍ଦବାଲି ବ୍ଲକ୍‌ରେ ସର୍ବାଧିକ ୨୮୮.୩ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ୧୬୭ ମିମି, ଧାମନଗର ବ୍ଲକ୍‌ରେ ୧୬୦ ମିମି, ତିହିଡି ବ୍ଲକ୍‌ରେ ୧୪୨ ମିମି, ଆଖୁଆପଦାରେ ୧୨୭ ମିମି, ବନ୍ତ ବ୍ଳକ୍‌ରେ ୧୩୨ ମିମି ଏବଂ ବାସୁଦେବପୁର ବ୍ଲକରେ ୧୨୫ ମିମି ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ ଘରେ ରଖାଯାଇଥିବା ବେଳେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍, ୮ଟି ଓଡ୍ରାଫ୍ ଟିମ୍‌କୁ ବିଭିନ୍ନ ବ୍ଲକ୍‌ରେ ମୁତୟନ କରାଯାଇଥିବା ବେଳେ ୨୦ଟି ଅଗ୍ନିଶମ ଟିମ୍ , ଗୋଟିଏ ଫରେଷ୍ଟ ଟିମ୍ ସହିତ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସ୍ଥାନରେ ଉପୁଡି ପଡ଼ିଥିବା ଗଛକଟା ଆରମ୍ଭ ହୋଇଛି। ଅଗ୍ନିଶମ କର୍ମଚାରୀମାନେ ଗଛାକାଟି ରାସ୍ତା ସଫା କରୁଛନ୍ତି। ଗତକାଲିଠାରୁ ଜିଲ୍ଲାରେ ୨୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି। ଜିଲ୍ଲାରେ ୫୪ କିମି ଉପକୂଳ ଅଞ୍ଚଳ ରହିଥିବାବେଳେ ବାତ୍ୟା ପ୍ରଭାବିତ ୧୪ଟି ପଞ୍ଚାୟତର ୪୧ଟି ଗ୍ରାମର ଅଧିବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ୧୦୪ ଆଶ୍ରୟସ୍ଥଳ ଓ ୬୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ ସହ ୫୦୦ ସ୍କୁଲ ଘରେ ଏମାନଙ୍କୁ ରଖାଯାଇଛି। ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଏବେ ବି ପୁଲିସ ପଇଁତରା ଜାରି ରହିଛି। ଚୁଡ଼ାମଣି ଓ କଶିଆ ଜେଟିରେ ମେରାଇନ୍ ପୁଲିସ, ଓଡ୍ରାଫ୍ ଟିମ୍, ଏନଡିଆରଏଫ ଟିମ୍ ରହିଛନ୍ତି। ଛୋଟ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ରୋଗଗ୍ରସ୍ତ ଲୋକଙ୍କ ପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି। ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନିଆଯାଉଛି ବୋଲି ଜିଲ୍ଲାପାଳ ଡ. ଜ୍ଞାନରଞ୍ଜନ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର