ବର୍ଷିଲା ବେଶି, ପବନ କମ୍; ‘ଆଖି’ ସାମ୍ନାରେ ଯାହା ପଡ଼ିଲା ଛାରଖାର କଲା

ବିଭିନ୍ନ ସ୍ଥାନରେ କୂଳ ଲଂଘିଲା ସମୁଦ୍ର, ଉଠିଲା ୧୬ ଫୁଟ୍‌ର ଜୁଆର

ସମୁଦ୍ର ଆଁରେ ୧୨୮ ଗାଁ, ଅନେକ ପଡ଼ା ପାଣି ଭିତରେ
ରେମୁଣା-ବାଲେଶ୍ବର ସଦର ମଝିରେ ମାଡ଼ ହେଲା, ୧୫୦ କିମି ଛୁଇଁଲା ପବନ
ଭଦ୍ରକ, ବାଲେଶ୍ବର, ମୟୂରଭଂଜରେ ବ୍ୟାପକ କ୍ଷୟକ୍ଷତି
ମୟୂରଭଂଜ: ୩୬ଟି ସ୍ଥାନରେ ୧୦୦ମିମିରୁ ଅଧିକ ବର୍ଷା
ହଜାର ହଜାର ଗଛ ଭାଙ୍ଗିଲା, ବିଦ୍ୟୁତ୍‌ ଖୁଣ୍ଟ ବି ଭାଙ୍ଗିଲା

ଭୁବନେଶ୍ବର : ଫନି କିମ୍ବା ଫାଇଲିନ୍ ବାତ୍ୟା ଭଳି ପ୍ରଳୟ କରିବା ଶକ୍ତି ବା ବଳ ‘ୟାସ୍‌’ ଦେହରେ ନଥିଲା। ବେଶି ବର୍ଷା ହେଲା, କିନ୍ତୁ ପବନ କମ୍ । ଏହା ସତ୍ତ୍ବେ ‘ୟାସ୍‌’ର ‘ଆଖି’ ସାମ୍ନାରେ ଯାହା ପଡ଼ିଲା, ସେସବୁ ସ୍ଥାନରେ ଗୋଟିଏ ଗୋଟିଏ ଝଟ୍‌କାରେ ବିଶାଳ ଦ୍ରୁମ ଭଳି ମୂଲ୍ୟବାନ ଗଛକୁ ମୋଡି ଫିଙ୍ଗି ଦେଇଥିଲା ରାସ୍ତା ଉପରେ। ଟ୍ରାନସଫର୍ମର, ହାଇମାକ୍ସ ଲାଇଟ୍‌ ପୋଷ୍ଟ, ପାର୍କ, ସାଇନବୋର୍ଡ କିଛି ବି ବାଦ୍ ପଡ଼ିଲାନି। କେଉଁଠି ପାଚେରି ଭୁଶୁଡ଼ି ପଡ଼ିଲା, ଆଉ କେଉଁଠି ଆଜବେଷ୍ଟସ୍, ଟିଣ ଛପର ଶୂନ୍ୟରେ ବୁଲିଲା।

ଅତି ଭୀଷଣ ରୂପ ନେଇ ବାଲେଶ୍ବର ଉପକୂଳ ସଂଲଗ୍ନ (ରେମୁଣା ଠାରୁ ବାଲେଶ୍ବର ସଦର ମଧ୍ୟରେ) ଉପକୂଳରେ ବୁଧବାର ସକାଳେ ସ୍ଥଳ ଭାଗ ଛୁଇଁଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ୟାସ୍’ ଏଭଳି ବିତ୍ପାତ କରିଥିଲା।

ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଏହାର ଆଂଶିକ ପ୍ରଭାବ ପଡ଼ିଛି। ହେଲେ ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଂଜର ବେଶ୍ କିଛି ଅଂଶ ଗଭୀର ଭାବେ ପ୍ରଭାବିତ ହୋଇଛି। ଚାନ୍ଦିପୁର ବେଳାଭୂମି ଭଳି କେେତାଟି ସ୍ଥାନକୁ ବାତ୍ୟା ଏମିତି ବିବର୍ଣ୍ଣ କରିଦେଇଛି ଯେ ସେ ଦାଗ ନିକଟ ଭବିଷ୍ୟତରେ ଲିଭିବାର ନାହିଁ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବାଲେଶ୍ବର ସଦର, ବାସୁଦେବପୁର, ବାହାନଗା, ରେମୁଣା, ସିମୁଳିଆରେ ସର୍ବାଧିକ କ୍ଷତି ହୋଇଛି। ଏହାଠାରୁ ସାମାନ୍ୟ କମ୍ ପ୍ରଭାବ ପଡ଼ିଛି ଖଇରା, ସୋର ଏବଂ ବାଲେଶ୍ବର ମ୍ୟୁନିସପାଲିଟିରେ। ସେହିଭଳି ମୟୂରଭଂଜରେ ମେରଡା, କୁସୁମୀ, ବେତନଟୀ, ବିଶ୍ରା ପ୍ରମୁଖ ଅଞ୍ଚଳରେ ବାତ୍ୟା ଗଭୀର କ୍ଷତ ସୃଷ୍ଟି କରିଛି।

ତେବେ ଆଇଏମ୍‌ଡି ସମେତ ପାଣିପାଗ ବିଜ୍ଞାନୀମାନେ ଯେଉଁ ବଡ଼ କଥାଟି ଉପରେ ଆଶଙ୍କା ବ୍ୟକ୍ତ କରିଥିଲେ, ତାହା ବାସ୍ତବ ରୂପ ନେଇ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ପୂର୍ଣ୍ଣିମା କାରଣରୁ ସମୁଦ୍ର ଜୁଆରିଆ ରହିଥିଲା। ଏମିତି ସମୟରେ ଅତି ଭୀଷଣ ବାତ୍ୟା ‘ୟାସ୍’ ଉପକୂଳରେ ମାଡ ହେବା ପରେ ସମୁଦ୍ର ଭୀଷଣ ଅଶାନ୍ତ ହେବା ସହିତ ଉଗ୍ର ରୂପ ଧାରଣ କରିଥିଲା। ଘଣ୍ଟାପ୍ରତି ୧୩୦ରୁ ୧୪୦ କିେଲାମିଟର, େବଳେ ବେଳେ ୧୫୦ କିେଲାମିଟର ବେଗରେ ପବନ ଯେବେ ଉତ୍ତର ଉପକୂଳକୁ ଅସ୍ତବ୍ୟସ୍ତ କରିଦେଉଥିଲା, ଠିକ୍ ସେତିକିବେଳେ ଏହାର ପ୍ରଭାବରେ ଭଦ୍ରକ ଠାରୁ ଦୀଘା ଯାଏ ପାଖାପାଖି ୪ମିଟର ଅର୍ଥାତ୍ ୧୬ଫୁଟରୁ ଅଧିକ ଉଚ୍ଚ ଜୁଆର ମାଡ଼ିଆସିଥିଲା ଭୟଙ୍କର ଭାବେ।

ବାଟରେ ଯେତେ ବନ୍ଧ ବାଡ଼, ଚିଙ୍ଗୁଡି ଘେରି, ଚାଷଜମି ଥିଲା ସେସବୁକୁ ଡେଇଁ ଗୋଟିଏ ପରେ ଗୋଟିଏ ଗାଁକୁ କବ୍‌ଜା କରିନେଇଛି। ଶତାଧିକ ଗାଁରେ ଲୁଣା ପାଣି ପଶିଯାଇଛି, ଅନେକ ଛୋଟ ପଡ଼ା ଗାଁରେ ବି। ସରକାରୀ ରିପୋର୍ଟ ଅନୁସାରେ, ଭଦ୍ରକର ୪୪ଟି ଗାଁ ଏବଂ ବାଲେଶ୍ବରର ୮୪ଟି ଗାଁ ସମୁଦ୍ର ପାଣି ଆଁରେ ଅଛନ୍ତି।

ଗତକାଲି ରାତି ଦୁଇଟା ବେଳେ ହଠାତ୍ ବାତ୍ୟାର ଗତି ବଢିଯାଇଥିଲା ଓ ପ୍ରକୋପ ସାମାନ୍ୟ କମିବ ବୋଲି ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ।

ପୂର୍ବାନୁମାନ ଅନୁସାରେ, ବୁଧବାର ସକାଳ ୯ଟାରେ ବାତ୍ୟା ସ୍ଥଳଭାଗ ଧାମରାର ଉତ୍ତରରେ ଏବଂ ବାଲେଶ୍ବରର ଦକ୍ଷିଣରେ ସ୍ଥଳଭାଗ ଛୁଇଁଥିଲା। ଏହି ପ୍ରକ୍ରିୟା ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା।

ବାତ୍ୟାର ଆଖିର ଆକାର ପାଖାପାଖି ୩୦ କିଲୋମିଟର ରହିଥିବା ପରିପ୍ରେକ୍ଷୀରେ ଏହା ଯେଉଁଆ଼ଡ଼େ ବୁଲିଥିଲା, ସେଠାରେ ଅଧିକ କ୍ଷତ ସୃଷ୍ଟି କରିଥିଲା। ବାଲେଶ୍ବର ଓ ଭଦ୍ରକରେ ସର୍ବାଧିକ ପ୍ରଭାବ ପରିଲକ୍ଷିତ ହୋଇଥିଲା।

ସେପଟେ ଅତି ଭୀଷଣ ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସିଥିବା ସାମୁଦ୍ରିକ ବାତ୍ୟା ‘ୟାସ୍’ ଅପରାହ୍ନ ଗୋଟାଏ ବେଳକୁ ସ୍ଥଳଭାଗକୁ ଯିବା ପରେ ବାଲେଶ୍ବର ଠାରୁ ୧୫ କିମି ଦୂରରେ ପଶ୍ଚିମ ଦିଗରେ ଆଗକୁ ବଢ଼ିଥିଲା। ଅପରାହ୍ନ ସୁଦ୍ଧା ଏହାର ପ୍ରଭାବ ଧୀରେ ଧୀରେ କମିବା ଆରମ୍ଭ କରି ସେ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ୍‌)କୁ ରୂପାନ୍ତରିତ ହୋଇଥିଲା।

ସେତେବେଳେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର (ବେଳେବେଳେ ୧୨୦ କିଲୋମିଟରରେ ଧକ୍କା ଦେଉଥିଲା) ଥିଲା ଓ ଏହା ପଶ୍ଚିମଦିଗକୁ ଗତି କରୁଥିଲା। ବାତ୍ୟାର ଗତି ହଠାତ୍ କମିଯିବା ଓ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢିବା ଫଳରେ ଆଜି ବି ଅତି ଭୀଷଣ ବର୍ଷା କେନ୍ଦୁଝରର କିଛି ଅଂଶ, ମୟୂରଭଂଜ ସଂଲଗ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଥିଲା।

ସର୍ବଶେଷ ରିପୋର୍ଟ ଅନୁସାରେ, ବାଲେଶ୍ୱର ଜିଲ୍ଲା ଅତିକ୍ରମ କରି ଏହା ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଉଛି ଓ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କି.ମି. ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ସେପଟେ ପାଣିପାଗ ବିଭାଗ କହିଛି ଯେ ବାତ୍ୟାର ପ୍ରକୋପ କମିବା ଆରମ୍ଭ କରୁଛି। ଏହା ପୁଣି ସାଇକ୍ଲୋନ୍‌ରେ ପରିଣତ ହୋଇ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ମୟୂରଭଂଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ର କିଛି ଅଂଶ ଦେଇ ଝାଡ଼ଖଣ୍ଡକୁ ଯିବ ଏବଂ ସେଠାରେ ବର୍ଷିବ। ଯେହେତୁ ଏହା ସହିତ ମୌସୁମୀ ଆସିଛି, ଏଣୁ ଯେଉଁ ରାସ୍ତାରେ ଯିବ, ସେଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ।

ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକରେ ପ୍ରାୟ ୩୦୪ ମି.ମି., ଭଦ୍ରକର ଚାନ୍ଦବାଲି ବ୍ଲକରେ ୨୮୮ମି.ମି.,କେନ୍ଦ୍ରାପଡାର ରାଜନଗର ବ୍ଲକରେ ୨୭୫ ମି.ମି., ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ୨୭୧ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି। ରାଜ୍ୟର ୩୬ ଟି ସ୍ଥାନରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହେବାର ରେକର୍ଡ କରାଯାଇଛି। ସେହିପରି ୩୭ଟି ବ୍ଲକରେ ୫୦-୧୦୦ ମି.ମି. ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର