ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତିଭୀଷଣ ବାତ୍ୟାର ରୂପ ନେବ ୟାସ୍, ୨୬ ତାରିଖ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ୟାସ୍‌ ବର୍ତ୍ତମାନ ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି । ଆଗାମୀ ୨୪ ଘଂଟାରେ ଏହା ଅତିଭୀଷଣ ବାତ୍ୟାର ରୂପ ନେବ । କ୍ରମଶଃ ଓଡ଼ିଶା ଉପକୂଳ, ବାତ୍ୟାର କେନ୍ଦ୍ରସ୍ଥଳ ମଧ୍ୟରେ ଥିବା ବ୍ୟବଧାନ କମିବାରେ ଲାଗିଛି । ପାରାଦୀପର ୫୪୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ଏବଂ ବାଲେଶ୍ୱରର ୬୫୦ କିଲୋମିଟର ଦକ୍ଷିଣ- ପୂର୍ବକୁ ରହିଛି ୟାସ୍ । ଧୀରେ ଧୀରେ ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପୂକଳ ମୁହାଁ ହେବ ।

ତେବେ ବାତ୍ୟା ୟାସ କେଉଁଠି ମାଡ ହେବ, କେଉଁ ଆଡକୁ ଗତି କରିବ । ଏହାର ଗତିପଥ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେ । ବାଲେଶ୍ୱର–ଭୋଗରାଇ ଅଂଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ । କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ୨୬ ତାରିଖ ମଧ୍ୟାହ୍ନ ସୁଧା ଲ୍ୟାଣ୍ଡଫଲ କରିବ । ଏବଂ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଂଟାକୁ ୧୬୫ କିଲୋମିଟର ହୋଇପାରେ । ବେଳେ ବେଳେ ପବନ ଝଟକା ଦେଇ ଘଂଟାକୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ ।

ପୂର୍ବରୁ ଏହା ବାଙ୍ଗଲାଦେଶ ଯାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏହା ଓଡିଶା ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି । ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଭାରତର ପ୍ରାୟ ଅଧା ଆକାରର ସୃଷ୍ଟି ହୋଇଥିବା ଏହି ବାତ୍ୟା ‘ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଆକାରକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି । ଯଦି ବାତ୍ୟାର ଗତିପଥକୁ ଆକଳନ କରାଯିବ, ତେବେ ଏହା ବାଲେଶ୍ୱରରେ ମାଡ ହୋଇ ବାରିପଦା, ଜାମଶୋଳା, ତାପରେ ବାହାରାଗୋଡା ଓ ଘାଟଶିଳା ଦେଇ ଜାମସେଦପୁର ଆଡକୁ ଗତି କରିବ । ଏଥିପାଇଁ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର